ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଖଡ଼ିଆଳ ଥାନା ଅଞ୍ଚଳରୁ ନିଖୋଜ ଥିବା ଜଣେ ବୃଦ୍ଧଙ୍କୁ ସୁଦୂର ଆନ୍ଧ୍ରପ୍ରଦେଶରୁ ସଫଳତାର ସହ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ବୃଦ୍ଧ ଜଣକ ହେଲେ ଖଡ଼ିଆଳ ଥାନା ଅନ୍ତର୍ଗତ ଧ୍ରୁବ ଶବର (୬୫)। ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବା ସହ ବର୍ତ୍ତମାନ ନୂଆପଡ଼ା ଅଭିମୁଖେ ଅଣାଯାଉଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, ବୃଦ୍ଧ ଧ୍ରୁବ ଶବର କୌଣସି ଏକ କାମ କରିବା ପାଇଁ ଜଣେ ବ୍ୟକ୍ତିଙ୍କ ସହ ଆନ୍ଧ୍ରପ୍ରଦେଶ ଯାଇଥିଲେ। ମାତ୍ର ସେଠାରେ ସେ ହଠାତ୍ ନିଖୋଜ ହୋଇଯାଇଥିଲେ। ପାଖରେ ମୋବାଇଲ୍ ଫୋନ୍ ନଥିବାରୁ କୌଣସି ଯୋଗାଯୋଗ ସମ୍ଭବ ହୋଇପାରି ନଥିଲା। ଏ ନେଇ ଖଡ଼ିଆଳ ଥାନାରେ ଏକ ନିଖୋଜ ମାମଲା (MMR No. 46/2026) ରୁଜୁ ହୋଇଥିଲା। ଦୀର୍ଘ ଦିନ ଧରି କୌଣସି ପତ୍ତା ନ ମିଳିବାରୁ ବୃଦ୍ଧଙ୍କ ପରିବାର ଲୋକେ ଗଭୀର ଚିନ୍ତା ଓ ଦୁଃଖରେ ଭାଙ୍ଗି ପଡ଼ିଥିଲେ।ଏହାପରେ ପରିବାର ପକ୍ଷରୁ ସହାୟତା ଲୋଡ଼ାଯିବା ପରେ ତୁରନ୍ତ ଏକ ସ୍ପେଶାଲ୍ ଟିମ୍ ଗଠନ କରାଯାଇ ଆନ୍ଧ୍ରପ୍ରଦେଶ ପଠାଯାଇଥିଲା। ଉକ୍ତ ଟିମ୍ ଆନ୍ଧ୍ରପ୍ରଦେଶର ବିଭିନ୍ନ ସ୍ଥାନରେ ଦୀର୍ଘ ୪ ଦିନ ଧରି ବ୍ୟାପକ ସର୍ଚ୍ଚ ଅପରେସନ ଚଲାଇଥିଲା।
ଶେଷରେ ଭିନୁକୋଣ୍ଡା ଅଞ୍ଚଳର ଏକ ନିଛାଟିଆ ସ୍ଥାନରେ ଗଛ ମୂଳେ ବୃଦ୍ଧ ଜଣକ ଅସହାୟ ଅବସ୍ଥାରେ ବସିଥିବା ଦେଖିବାକୁ ମିଳିଥିଲା।ଉଦ୍ଧାର ସମୟରେ ବୃଦ୍ଧଙ୍କ ଗୋଡ଼ରେ ଆଘାତ ଲାଗିଥିବାରୁ ଟିମ୍ ପକ୍ଷରୁ ତାଙ୍କୁ ତୁରନ୍ତ ସେଠାକାର ବିନୁକୋଣ୍ଡା ପୋଲିସ ଷ୍ଟେସନ ସହାୟତାରେ ଡାକ୍ତରୀ ଚିକିତ୍ସା ଯୋଗାଇ ଦିଆଯାଇଥିଲା। ନିଜ ପିତାଙ୍କୁ ଫେରି ପାଇବା ପରେ ସାଙ୍ଗରେ ଯାଇଥିବା ପୁଅଙ୍କ ଆଖିରେ ଖୁସିର ଲୁହ ଆସିଯାଇଥିବା ବେଳେ ସେ ଟିମର ସମସ୍ତ ସଦସ୍ୟଙ୍କୁ କୃତଜ୍ଞତା ଜଣାଇଛନ୍ତି। ଚିକିତ୍ସା ପରେ ଏବେ ତାଙ୍କୁ ଗୃହ ଜିଲ୍ଲା ନୂଆପଡ଼ାକୁ ଅଣାଯାଉଛି। ଏହି ମହତ କାର୍ଯ୍ୟ ଓ ସଫଳ ଉଦ୍ଧାର ପାଇଁ ସ୍ଥାନୀୟ ଅଞ୍ଚଳରେ ଟିମର କାର୍ଯ୍ୟଦକ୍ଷତାକୁ ବେଶ୍ ପ୍ରଶଂସା କରାଯାଇଛି।
