ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପୁରୀ ଜିଲ୍ଲାପାଳଙ୍କ ନାଁରେ ଥାନାରେ ମାମଲା ରୁଜୁ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ତାଙ୍କ ନାଁରେ ମାମଲା ରୁଜୁ କରିଛି ସିଂହଦ୍ୱାର ଥାନା ପୁଲିସ୍। କେବଳ ଜିଲ୍ଲାପାଳ ନୁହନ୍ତି, ଟାଟା ପ୍ରୋଜେକ୍ଟ ମ୍ୟାନେଜର ଏବଂ ଓବିସିସି ନିର୍ବାହୀ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ପୁରୀ ଏସ୍ଡିଜେଏମ୍ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୁଲିସ୍ ଏ ସମସ୍ତଙ୍କ ନାଁରେ ମାମଲା ରୁଜୁ କରିଛି। ଆନିସେଣ୍ଟ ମନୁମେଣ୍ଟ ଆକ୍ଟର ଧାରା ୨ଊ(ଉ) ଏବଂ ୩୦(ଇ)ରେ ମାମଲା ରୁଜୁ ହୋଇଛି। ଜିଲ୍ଲାପାଳ, ଟାଟା ପ୍ରୋଜେକ୍ଟ ମ୍ୟାନେଜର ଏବଂ ଓବିସିସି ନିର୍ବାହୀ ଅଧିକାରୀଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କରିବା ପାଇଁ କୋର୍ଟ ଯାଇଥିଲେ ପୁରୀ ଓକିଲ ସଂଘ ସଂପାଦକ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ବେଆଇନ ଖନନ ଚାଲିଥିବାରୁ ମାମଲା ରୁଜୁ କରିବା ପାଇଁ ସେ ଆବେଦନ କରିଥିଲେ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ନିର୍ମାଣ କାର୍ୟ୍ୟରେ ନିୟମକୁ ଉଲ୍ଲଂଘନ କରାଯାଇଥିବାରୁ ପୁରୀ ଓକିଲ ସଙ୍ଘ ତରଫରୁ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଥିଲା। କିନ୍ତୁ ଥାନା ଏତଲା ନ ରଖିବାରୁ ସଂଘ ତରଫରୁ ସଂପାଦକ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ଆଉ ଆଜି କୋର୍ଟ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପକ୍ଷରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାରେ ସୁପ୍ରିମ୍କୋର୍ଟରେ ଆଜି ଶୁଣାଣି ଶେଷ ହୋଇଛି। କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ଆସନ୍ତାକାଲି କୋର୍ଟ ରାୟ ପ୍ରକାଶ କରିବେ। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।





