ଅବୈଧ କୋଇଲା ଉତ୍ତୋଳନ ବେଳେ ଧସିଗଲା ୫୦ ଫୁଟ ପରିମିତ ଅଞ୍ଚଳ: ୪୦ରୁ ଉର୍ଦ୍ଧ ଶ୍ରମିକ ଦବି ରହିଥିବା ଆଶଂକା

ଧାନବାଦ : ନିରସା ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଡୁମରୀଜୋଡ ଗାଁରେ ଅଘଟଣ ।ଅବୈଧ କୋଇଲା ଖନନ ବେଳେ ପ୍ରାୟ ୫୦ ଫୁଟ ପରିମିତ ଅଞ୍ଚଳ ଧସି ଯାଇଛି। ଚିରକୁଣ୍ଡା ଥାନା ଅଞ୍ଚଳରେ ଘଟିଛି ଏହି ଦୁର୍ଘଟଣା। ତେବେ ଏହି ଅଘଟଣ ରେ ଖଣି ତଳେ ଅନୁନ୍ୟ ୩୦ରୁ ୪୦ଜଣ ଶ୍ରମିକ ଦବି ରହିଥିବାର ଆଶଙ୍କା କରାଯାଉଛି। ମାଟି ଧସିଯିବା ସୂଚନା ପାଇ ଉଚ୍ଚ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିବା ସହ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଚନ୍ତି।

ଆସୁଥିବା ସୂଚନାରୁ ମାଟି ତଳେ ଦବି ରହିଥିବା ଲୋକଙ୍କ ମଧ୍ୟରୁ କିଛି ପ୍ରାଣ ହରାଇଛନ୍ତି। ତେବେ କେତେଜଣଙ୍କ ମୃତ୍ୟୁ ହୋଇଛି ସେ ନେଇ କୌଣସି ସଠିକ ସୂଚନା ମିଳି ନାହିଁ।

ଇଏସଏଲ ଅଧିକାରୀ, ପ୍ରଶାସନିକ ମହକମା ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଇତିମଧ୍ୟରେ ପ୍ରାରମ୍ଭିକ ଉଦ୍ଧାର କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇସାରିଥିବାର ସୂଚନା ଆସୁଛି। ଉଲ୍ଲେଖ ଯୋଗ୍ୟ ଯେ ଡୁମରୀଜୋଡରେ ଦୀର୍ଘ ସମୟରୁ ଅବୈଧ କୋଇଲା ଉତ୍ତୋଳନ ଜାରି ଥିଲେ ହେଁ ପ୍ରଶାସନ ଓ ଇଏସଏଲ କର୍ତ୍ତୃପକ୍ଷଙ୍କୁ ଏ ବାବଦେ କୌଣସି ସୂଚନା ନଥିଲା।

ବିସିସିଏଲ ପ୍ରବନ୍ଧନ ଏଠାରେ ଡୋଜରିଂ କରିବା ପରଠାରୁ ଲୋକେ ମାଟି ତଳକୁ ଯାଇ କୋଇଲା ଉତ୍ତୋଳନ କରିବାରେ ଲାଗିଛନ୍ତି। ତେବେ ଗୁରୁବାର ସକାଳ ପ୍ରାୟ ୮ଟା ବେଳେ ଭୀଷଣ ଶବ୍ଦ ସହ ମାଟି ଧସିପଡିଥିଲା। ମାଟି ଅତଡା ଧସିବା ଯୋଗୁ ଆଖପାଖରେ ଆତଙ୍କ ଖେଳିଯାଇଥିଲା। ଦୁର୍ଘଟଣା ପରେ ଲୋକେ ନିଜର ପରିଚିତ ଲୋକଙ୍କ ସନ୍ଧାନରେ ଲାଗି ଯାଇଥିଲେ।

Related Posts