ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ)): ଆଫଗାନିସ୍ତାନର ତିନୋଟି ସ୍ଥାନରେ ବୋମା ବିସ୍ଫୋରଣ । ତାଲିବାନ ଶାସନାଧିନ ଏହି ଦେଶରେ ଆଜି ୩ଟି ପୃଥକ୍ ସ୍ଥାନରେ ବୋମା ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ୧୦ ଜଣ ଲୋକ ମୃତ୍ୟୁବରଣ କରିଥିବାବେଳେ ପ୍ରାୟ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆଫଗାନିସ୍ତାନରେ ଲୋକପ୍ରିୟ ଟୋଲୋ ନ୍ୟୁଜର ରିପୋର୍ଟ ଅନୁସାରେ ପ୍ରଥମ ବିସ୍ଫୋରଣଟି କାବୁଲ ସହରରେ ହୋଇଥିଲା । ଏହି ବିସ୍ଫୋରଣ କମ ଶକ୍ତିସଂପନ୍ନ ଥିଲା । ଏଥିରେ ୨ ଜଣ ପିଲା ଆହତ ହୋଇଛନ୍ତି । ୨ୟ ବିସ୍ଫୋରଣଟି ଉତ୍ତର ଆଫଗାନିସ୍ତାନରେ ଥିବା ଐତିହାସିକ ମଜାର-ଏ-ସରିଫ୍ ସହରରେ ହୋଇଥିଲା । ଏକ ସିହା ମସଜିଦରେ ହୋଇଥିବା ଏହି ବିସ୍ଫୋରଣଟି ବେଶ୍ ଶକ୍ତିଶାଳୀ ଥିବା କୁହାଯାଉଛି ।

ଏଥିରେ ୧୦ ଜଣ ଲୋକ ମୃତ୍ୟୁବରଣ କରିବା ସହ ୪୦ରୁ ଅଧିକ ଆହତ ହୋଇଛନ୍ତି । ପବିତ୍ର ରମଜାନ ମାସ ଚାଲିଥିବାରୁ ସାଇ ଡୋକେନ ମସଜିଦରେ ବେଶ ଭୀଡ଼ ଥିଲା । ସିହା ସଂପ୍ରଦାୟର ଲୋକମାନଙ୍କୁ ଟାର୍ଗେଟ କରି ଏହି ବିସ୍ଫୋରଣ କରାଯାଇଥିଲା । ବେସରକାରୀ ସୁତ୍ର ଅନୁସାରେ ମୃତକଙ୍କ ସଂଖ୍ୟା ୨୫ ବୋଲି ଜଣାପଡ଼ିଛି । ତାଲିବାନ ସରକାରଙ୍କ ପକ୍ଷରୁ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ୩ୟ ବିସ୍ଫୋରଣଟି କୁନ୍ଦୁଜ ରାଜ୍ୟର ରାଜଧାନୀ କୁନ୍ଦୁଜ ସହରରେ ହୋଇଥିବା ଜଣାଯାଇଛି । ଏଥିରେ କେତେ ଲୋକ ମୃତାହତ ହୋଇଛନ୍ତି ସେ ସଂପର୍କରେ ଏପର୍ୟ୍ୟନ୍ତ କୌଣସି ସୂଚନା ମିଳିପାରିନାହିଁ । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିଛି ।