ଭୁବନେଶ୍ୱର,୫/୧(ସତ୍ୟପାଠ ବ୍ୟୁରୋ): ଡିଜିଟାଲ ସେବା କ୍ଷେତ୍ରରେ ଓଡ଼ିଶାରେ ଆଜି ନୂଆ ଯୁଗର ଶୁଭାରମ୍ଭ ହୋଇଛି। ରାଜ୍ୟରେ ଆଜି ଆରମ୍ଭ ହୋଇଛି ବହୁ ପ୍ରତିକ୍ଷିତ ୫ଜି ସେବା । ଭୁବନେଶ୍ୱରର ଶିକ୍ଷା ଓ ଅନୁସନ୍ଧାନ ବିଶ୍ଵବିଦ୍ୟାଳୟ ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ରେଳ, ଯୋଗାଯୋଗ, ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।ଏଣିକି ୪ଜି ତୁଳନାରେ ୧୦ ଗୁଣା ଅଧିକ ସ୍ପିଡ୍ ହେବ ଇଣ୍ଟରନେଟ୍ । ଧିରେ ଧିରେ ଅନ୍ୟ ସହର ସହ ଗ୍ରାମାଞ୍ଚଳରେ ଏହି ସୁବିଧା ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

କେବଳ ରିଲାଏନ୍ସ ଓ ଏୟାରରେଲ ତରଫରୁ ଓଡ଼ିଶାରେ ୫ଜି ସେବା ଯୋଗାଇ ଦେବାକୁ ଅନୁମତି ମିଳିଛି। ତେଣୁ ଆଗାମୀ ଦିନରେ ରାଜ୍ୟର ଅନ୍ୟ ଅଞ୍ଚଳରେ ୫ଜି ସେବା ଲାଗୁ ହେଲେ ଶିକ୍ଷା, ସ୍ୱାସ୍ଥ୍ୟ ଆଦି କ୍ଷେତ୍ରରେ ଏହା ବୈପ୍ଲବିକ ପରିବର୍ତ୍ତନ ଆଣିପାରିବ ବୋଲି କୁହାଯାଇଛି। ଏହାସହିତ ରାଜ୍ୟ ବ୍ୟାପି ୧୦୦ଟି ମୋବାଇଲ ଟାୱାରର ମଧ୍ୟ ଉଦଘାଟନ କରାଯାଇଛି ।