‘ବେକାର ଥିବାରୁ ଦେଶର ଯୁବକଙ୍କୁ ବିବାହ ପାଇଁ ଝିଅ ମିଳୁନାହିଁ’: ଶରଦ ପାୱାର

ଭୁବନେଶ୍ୱର,୫/୧(ସତ୍ୟପାଠ ବ୍ୟୁରୋ): ବେକାର ଥିବାରୁ ଆମ ଦେଶର ଯୁବକମାନଙ୍କୁ ବିବାହ ପାଇଁ ଝିଅ ମିଳୁନାହିଁ। ଫଳରେ ବୟସାଧିକ ହୋଇ ବିଭିନ୍ନ ପ୍ରକାର ମାନସିକ ଯନ୍ତ୍ରଣାରେ ଭୋଗୁଛନ୍ତି ଯୁବପିଢ଼ି। ଏଭଳି କହିଛନ୍ତି ଏନସିପି ମୁଖ୍ୟ ଶରଦ ପାୱାର। ଦେଶର ଉତ୍କଟ ବେକାରୀ ସମସ୍ୟା ଏବଂ ବେରୋଜଗାରକୁ ନେଇ ଏନସିପି ମୁଖ୍ୟ ଶରଦ ପାୱାର ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି।

ପୁଣେରେ ‘ଜନ ଜାଗରଣ ଯାତ୍ରା’ରେ ସେ କହିଛନ୍ତି ଯେ, ଦେଶରେ ବେକାରୀ ସମସ୍ୟା ବେଲଗାମ ସ୍ଥିତିରେ ପହଞ୍ଚିଛି। ରୋଜଗାର ନପାଇ ଯୁବପିଢ଼ି ହତାଶ ଅବସ୍ଥାରେ ଗତି କରୁଛନ୍ତି। ଏହା ମଧ୍ୟ ସାମାଜିକ ସମସ୍ୟା ସୃଷ୍ଟି କରୁଛି। ଚାକିରି ଅଭାବରୁ ବିବାହ ଯୋଗ୍ୟ ଯୁବକଙ୍କୁ କନ୍ୟା ମିଳୁନାହିଁ। ଦିନକୁ ଦିନ ବୃଦ୍ଧି ପାଉଥିବା ବେକାରୀ ସମସ୍ୟା ଦେଶର ଚିନ୍ତା ବଢ଼ାଉଛି। ଏହାର ପରିଣାମ ହେଉଛି ଚାକିରି ଅଭାବରୁ ଭାରତୀୟମାନେ ଆତ୍ମହତ୍ୟା କରୁଛନ୍ତି। ଚାକିରି ଅଭାବରୁ ଲୋକଙ୍କ ଉପରେ ବଢୁଥିବା ଋଣ ଭାର ମଧ୍ୟ ସେମାନଙ୍କ ପାଇଁ ସମସ୍ୟା ସୃଷ୍ଟି। ସମସ୍ୟା ଏତେ ଗମ୍ଭୀର ହେଉପଡ଼ିଛି ଯେ ବେକାରୀ ଓ ଋଣ ନେଇଥିବା ଯୁବକଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଛି।ଦର ବୃଦ୍ଧି ଏବଂ ବେକାରୀ ଭଳି ପ୍ରକୃତ ପ୍ରସଙ୍ଗରୁ ଦୃଷ୍ଟି ଏଡାଇବା ପାଇଁ ଦେଶରେ ସମ୍ପ୍ରଦାୟ ସମ୍ପ୍ରଦାୟ ମଧ୍ୟରେ ମତଭେଦ ସୃଷ୍ଟି କରାଯାଉଛି ବୋଲି ସେ କହିଛନ୍ତି।

ପାୱାର ଆହୁରି ମଧ୍ୟ କହିଛନ୍ତି ଯେ, ଆଜିର ଯୁବକମାନେ ଶିକ୍ଷିତ। ତେଣୁ ଚାକିରି ଦାବି କରିବା ସେମାନଙ୍କର ଅଧିକାର ରହିଛି। ଶିଳ୍ପଗୁଡିକ ମହାରାଷ୍ଟ୍ରରୁ ବାହାରକୁ ଯାଉଛନ୍ତି। ଏବେ ରାଜ୍ୟରେ ଥିବା ଶିଳ୍ପଗୁଡିକୁ କୌଣସି ପ୍ରୋତ୍ସାହନ ଦିଆଯାଉ ନାହିଁ ଏବଂ ନୂତନ ବ୍ୟବସାୟ ପ୍ରତିଷ୍ଠା ପାଇଁ କୌଣସି ସୁଯୋଗ ସୃଷ୍ଟି କରାଯାଉ ନାହିଁ। ଫଳରେ ବେକାରୀ ବୃଦ୍ଧି ପାଉଛି ବୋଲି ସେ କହିଛନ୍ତି।

‘ଜନ ଜାଗରଣ ଯାତ୍ରା’ ଯାତ୍ରା ସମୟରେ ସେ ଏକ ଗ୍ରାମ ଛକରେ ୨୫ ରୁ ୩୦ ବର୍ଷ ବୟସର ୧୫ ରୁ ୨୦ ଜଣ ଯୁବକଙ୍କୁ ଭେଟିଥିଲେ। ସେମାନଙ୍କ ମଧ୍ୟରେ ଅଧିକାଂଶ ଯୁବକ ସ୍ନାତକ ଏବଂ ସ୍ନାତକତ୍ତୋର। କିନ୍ତୁ ଚାକିରି ନ ଥିବାରୁ ସେମାନଙ୍କୁ କନ୍ୟା ଦେବାକୁ କେହି ପ୍ରସ୍ତୁତ ନ ଥିବା ସେମାନେ କହିଥିଲେ। ମହାରାଷ୍ଟ୍ରର ଗ୍ରାମାଞ୍ଚଳରେ ଏହି ସମସ୍ୟା ଅଧିକ ଶୁଣାଯାଉଛି ବୋଲି ପାୱାର କହିଛନ୍ତି।

Related Posts