ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟ ସରକାର ଗୋଟିଏ ପଟେ ସବୁକିଛିକୁ ବିଶ୍ୱସ୍ତରୀୟ କରିବାରେ ଲାଗିଛନ୍ତି । ଏହି କ୍ରମରେ ଓଡ଼ିଶାର ସ୍କୁଲର ଭିତ୍ତିଭୂମିକୁ ପରିବର୍ତ୍ତନ କରିବା ଉଦ୍ଦେଶ୍ୟରେ ସ୍କାଟସ୍କୁଲ ଯୋଜନା ରାଜ୍ୟରେ ସରକାର ଆରମ୍ଭ କରିଛନ୍ତି । ଏରପିକି ସମଗ୍ର ଶିକ୍ଷା ଅଭିଯାନ, ମଧ୍ୟାହ୍ନ ଭୋଜନ, ସ୍ମାର୍ଟସ୍କୁଲ ପରିକଳ୍ପନା ଓ ୫-ଟି ଯୋଜନାରେ ବିଦ୍ୟାଳୟ ରୂପାନ୍ତରୀକରଣ ଯୋଜନାରେ ସରକାର କୋଟି କୋଟି ଟଙ୍କା ପାଣି ପରି ଖର୍ଚ୍ଚ କରୁଛନ୍ତି । ହେଲେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରୁ ଚକିତ କଲା ଭଳି ଘଟଣା ନଜରକୁ ଆସିଛି । ତେବେ ଗଞ୍ଜାମ ବ୍ଲକ ଅଧୀନ ରାମଗଡ଼ ପଞ୍ଚାୟତ ଏନ ବରପଲ୍ଲୀ ଗ୍ରାମରେ ଥିବା ୬୨ ବର୍ଷ ପୁରାତନ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ୪୧ ଜଣ କୋମଳମତି ଛାତ୍ରଛତ୍ରୀଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ଦେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଅଭିଭାବକ ମଧ୍ୟ ବିଚଳିତ ହୋଇ ପଡ଼ିଛନ୍ତି ।

ଗତ ୨ ବର୍ଷ ହେଲା ପିଲାଏ ପାଠପଢ଼ାରୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନ, ସମସ୍ତ ସରକାରୀ ସୁବିଧାରୁ ବଞ୍ଚିତ । ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଗ୍ରାମବାସୀ ପ୍ରତ୍ୟେକ ଘରୁ ଚାନ୍ଦା ଆଦାୟ କରି ଜଣେ ଶିକ୍ଷିତ ଯୁବକଙ୍କୁ ମାସିକ କିଛି ଦରମା ଦେି ୪୧ ଜଣ ପିଲାଙ୍କ ପଢ଼ା ଜାରି ରଖିଛନ୍ତି । ସେପଟେ ୧୯୬୦ ମସିହାରେ ଏନ.ବରପଲ୍ଲୀ ଗ୍ରାମରେ ପ୍ରାଥମିକ ବିଦ୍ୟାଳୟଟି ପ୍ରତିଷ୍ଠା ହୋଇଥିଲା । ଏହି ବିଦ୍ୟାଳୟରେ ପଞ୍ଚାୟତର ପାଞ୍ଚଟି ଗ୍ରାମର ଛାତ୍ରଛାତ୍ରୀ ଏଠାରେ ଅଧ୍ୟୟନ କରୁଥିଲେ । ହେଲେ ଆଖପାଖ ଅଞ୍ଚଳରେ ଏକାଧିକ ପ୍ରାଥମିକ ବିଦ୍ୟାଳୟ ଖୋଲିବାପରେ ଏହି ବିଦ୍ୟାଳୟରୁ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମିବାରେ ଲାଗିଥିଲା ।

ଏକଦା ଏହି ବିଦ୍ୟାଳୟରେ ୩୦୦ ରୁ ଅଧିକ ଛାତ୍ରଛାତ୍ରୀ ପଢ଼ୁଥିଲେ । କିନ୍ତୁ ଅନ୍ୟ ଗ୍ରାମରେ ବିଦ୍ୟାଳୟ ଖୋଲଇବା ଫଳରେ ପିଲା ସଂଖ୍ୟା ୨୦ ତଳକୁ ଖସି ଆସିଥିଲା । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନୂତନ ନିୟମ ପ୍ରକାରେ ୨୦ରୁ କମ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟ ଗୁଡ଼ିକୁ ବନ୍ଦ କରିବା ଫର୍ମୁଲାରେ ଏହି ବିଦ୍ୟାଳୟ ବନ୍ଦ ହେବା ତାଲିକାଭୁକ୍ତ ହୋଇଗଲା । ସରକାରଙ୍କ ଏହି ନିଷ୍ପତ୍ତିର ବିରୋଧ କରି ଏନ.ବରପଲ୍ଲୀ ଗ୍ରାମବାସୀ ଗଞ୍ଜମ ବିଇଓ ଅଫିସ ଘେରାଉ କରିଥିଲେ । ତତ୍କାଳୀନ ଗଞ୍ଜାମ ବ୍ଲକ ଶିକ୍ଷାଧିକାରୀ ସୁବାସ ଚନ୍ଦ୍ର ଘଡେଇ ଓ ଗ୍ରାମବାସୀଙ୍କ ମଧ୍ୟରେ ୨୦୨୦ ନଭେମ୍ବର ୧୩ ତାରିଖରେ ଏକ ବୈଠକ ବସିଥିଲା । ବୈଠକରେ ଗ୍ରାମବାସୀ ୨୦ରୁ ଅଧିକ ପିଲାଙ୍କୁ ବିଦ୍ୟାଳୟରେ ନାମ ଲେଖାଇଲେ ବିଦ୍ୟାଳୟ ବନ୍ଦ ହେବ ନାହିଁ ବୋଲି ଶିକ୍ଷାଧିକାରୀ ଶ୍ରୀ ଘଡେଇ ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ଗ୍ରାମବାସୀଙ୍କ ଉଦ୍ୟମରେ ପ୍ରଥମ ଶ୍ରେଣୀରେ ୮ ଜଣ, ଦ୍ୱିତୀୟ ଶ୍ରେଣୀରେ ୧୦ ଜଣ, ତୃତୀୟ ଶ୍ରେଣୀରେ ୪ ଜଣ, ଚୁତର୍ଥରେ ୧୨ ଓ ପଞ୍ଚମ ଶ୍ରେଣୀରେ ୯ ଜଣ ପିଲାଙ୍କ ନାମ ଲେଖାଇଲେ ।

୨୦୨୦ ଶିକ୍ଷାବର୍ଷ ଅଧାରୁ କିନ୍ତୁ ବନ୍ଦ ତାଲିକାରେ ଥିବା ଏହି ବିଦ୍ୟାଳୟର ବଦଳି ହୋଇ ଯାଇଥିବା ଶିକ୍ଷକ ଆଉ ଫେରିଲେନି କି ସରକାରୀ ଯୋଜନାରୁ ଆଉ ପିଲା ଉପକୃତ ହେଲେ ନାହିଁ । ଦୁଇ ବର୍ଷ ହେଲା ବିଦ୍ୟାଳୟରେ ପିଲା ସଂଖ୍ୟା ୪୧ ଥିଲେ ମଧ୍ୟ ତାଲା ଝୁଲୁଛି । ପ୍ରତିଶୃତ ଦେଇଥିବା ତତ୍କାଳୀନ ବ୍ଲକ ଶିକ୍ଷାଧିକାରୀ ଥିବା ଭାଗୀରଥି ବେହେରାଙ୍କୁ ଅଭିଯୋଗ କରିବାରୁ ସେ ବିଦ୍ୟାଳୟ ସମ୍ପର୍କିତ ଫାଇଲ, ସମସ୍ତ ତଥ୍ୟ ଗଣଶିକ୍ଷା ବିଭାଗକୁ ପଠାଯାଇଛି ଓ ଆମ ହାତରେ କିଛି ନାହିଁ ବୋଲି ହାତ ଟେକି ଦେଇଛନ୍ତି । ଅନ୍ୟପଟେ ଏଠାରେ ନାମ ଲେଖାଇଥିବା ୪୧ ଜଣ ଛାତ୍ରଛତ୍ରୀଙ୍କ ଭବିଷ୍ୟତକୁ ନେଇ ବର୍ତ୍ତମାନ ଚିନ୍ତାରେ ଗ୍ରାମବାସୀ । ବର୍ତ୍ତମାନ ଦେଖିବାର ବିଷୟ ଏହା ଯେ ପ୍ରଶାସନର ଏ ଦିଗରେ କେବେ ଦୃଷ୍ଟି ପଡ଼ଛି ।