(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଆଗକୁ ପାର୍ବଣ ଋତୁ ଆସୁଥିବା ବେଳେ ସମ୍ଭାବ୍ୟ ତୃତୀୟ ତରଙ୍ଗକୁ ନଜରରେ ରଖି ରାଜ୍ୟ ସରକାର ନୂତନ ଗାଇଡଲାଇନ ଜାରି କରିଛନ୍ତି। ଏହି ଗାଇଡଲାଇନ ଅନୁଯାୟୀ, ପୂଜାରେ ମୂର୍ତ୍ତିର ଉଚ୍ଚତା ୪ଫୁଟ୍ ରୁ ଅଧିକ ହେବ ନାହିଁ। ସରକାରଙ୍କ ଏହି ନିୟମକୁ ନେଇ ଏବେ ବିରୋଧର ସ୍ୱର ଉଗ୍ର ରୂପ ନେଉଛି। ପରଦା ଟାଣି ବିନା ଶ୍ରଦ୍ଧାଳୁରେ ପୂଜା କରାଯିବାକୁ ନେଇ ରାଜ୍ୟ ସରକାରଙ୍କ କଟକଣା ପ୍ରତିବାଦରେ କଟକ ସହରରେ କିଛିଦିନ ହେଲା ପ୍ରତିବାଦ ହୋଇଆସୁଛି। ରବିବାର ସହରବାସୀ ଏକ ନିଆରା ଢଙ୍ଗରେ ପ୍ରତିବାଦ କରିଛନ୍ତି। ପ୍ରବଳ ବର୍ଷାରେ ଭିଜି, ରାସ୍ତାରେ ଆଣ୍ଠେଇ ପ୍ରତିବାଦ କରିଛନ୍ତି କଟକ ସହରବାସୀ ।
ଲିଙ୍କ୍ରୋଡ୍ଠାରେ ଖାନନଗର ଖପୁରିଆ ଶିଳ୍ପାଞ୍ଚଳ ପୂଜା କମିଟି ଓ ସହରର ଅନ୍ୟାନ୍ୟ ସାମାଜିକ ସଂଗଠନ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଥିଲା। ସେମାନେ ଚେତାବନୀ ଦେଇଛନ୍ତି ଯେ, ରାଜ୍ୟ ସରକାର ଯଦି ପାର୍ବଣ କଟକଣାକୁ କୋହଳ ନକରନ୍ତି ତେବେ ଆଗକୁ ଏହି ଆନ୍ଦୋଳନ ବ୍ୟାପକ ରୂପ ନେବ ବୋଲି ବିକ୍ଷୋଭକାରୀମାନେ ଚେତାବନୀ ଦେଇଛନ୍ତି।
ରବିବାର ଅପରାହ୍ଣରେ ଖାନନଗର ଖପୁରିଆ ଶିଳ୍ପାଞ୍ଚଳ ପୂଜା କମିଟି ଓ କଟକର ୪୦ରୁ ଅଧିକ ସାମାଜିକ ସଂଗଠନର ସଭ୍ୟସଭ୍ୟା ମିଳିତ ଭାବେ ବର୍ଷାରେ ଭିଜି ଭିଜି ରାସ୍ତା ଉପରେ ଆଣ୍ଠେଇ କଟକଣା କୋହଳ ଦ୍ବାରା ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ରାଜ୍ୟ ସରକାର ସବୁ କ୍ଷେତ୍ରରେ କୋହଳ କରିଥିବା ବେଳେ ପାର୍ବଣ ପାଇଁ କାହିଁକି ଏତେ କଟକଣା ବୋଲି ସେମାନେ ପ୍ରଶ୍ନ କରିଛନ୍ତି। କଟକ ଦୁର୍ଗାପୂଜାରେ ପାରମ୍ପରିକ ଢଙ୍ଗରେ ମୂର୍ତ୍ତି ନିର୍ମାଣ ହେଉ, ବିନା ପରଦାରେ ପୂଜା ସଂପାଦନ ହେଉ ଓ କୋଭିଡ୍ ଗାଇଡ୍ଲାଇନ୍ ଅନୁସାରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେବାର ସୁଯୋଗ ଦିଆଯାଉ ବୋଲି କସେମାନେ ଦାବି କରିଥିଲେ।