ପାଉଣା ପାଇବା ପାଇଁ ଦୀର୍ଘ ୫ବର୍ଷ ହେବ ରାଜ୍ୟ ପ୍ରଶାସନ ବିରୁଦ୍ଧରେ ପୂର୍ବତନ ସୈନିକଙ୍କ ଅଦାଲତି ଲଢେଇ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ପ୍ରଥମେ ସେନାରେ ଯୋଗ ଦେଇ ଦେଶର ଶତ୍ରୁ ବିରୁଦ୍ଧରେ ୧୫ବର୍ଷ ପର୍ଯ୍ୟନ୍ତ ସେବା ଦେଲେ। ଏହା ପରେ ଓଡିଶା ପ୍ରଶାସନିକ ସେବାରେ କାର୍ଯ୍ୟକରି ଅବସର ଗ୍ରହଣ କରିଥିବା ଜଣେ ପୂର୍ବତନ ସୈନିକ ଏବେ ତାଙ୍କର ପାଉଣା ପାଇବା ପାଇଁ ରାଜ୍ୟ ପ୍ରଶାସନ ବିରୁଦ୍ଧରେ ଦୀର୍ଘ ୫ବର୍ଷ ଧରି ଲଢେଇ ଜାରି ରଖିଛନ୍ତି।

ସ୍ୟାଟ୍‍ ଓ ହାଇକୋର୍ଟ ତାଙ୍କ ସପକ୍ଷରେ ରାୟ ଦେବାପରେ ଏହା ବିରୁଦ୍ଧରେ ରାଜ୍ୟ ସରକାର ସୁପ୍ରିମ୍‍କୋର୍ଟରେ ରୁଜୁ କରିଥିବା ମାମଲା ଖାରଜ ହୋଇଯିବା ପରେ ମଧ୍ୟ ତାଙ୍କୁ ସମ୍ପୂର୍ଣ୍ଣ ପ୍ରାପ୍ୟ ମିଳୁନାହିଁ । ତେଣୁ ସେ ପୁଣି ଥରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

ଏମିତି ଏକ ଘଟଣା ଘଟିଛି ଅବସରପ୍ରାପ୍ତ ବାୟୁସେନା ଅଧିକାରୀ କେଳୁ ଚରଣ ରଣସିଂହଙ୍କ ସହ। ୧୯୯୬ ମସିହାରେ କେଳୁ ଚରଣ ଓଡିଶା ପ୍ରଶାସନିକ ସେବା ଅଧିକାରୀଭାବେ ଯୋଗଦେଇ କାର୍ଯ୍ୟକରୁଥିଲେ। ୨୦୧୭ ମସିହାରେ ସେ ଅବସର ଗ୍ରହଣ କରିଥିଲେ । ସେ ଆସିକାର ତହସିଲଦାର ଭାବେ ଯୋଗଦେବାର କିଛି ଦିନ ମଧ୍ୟରେ ରାଜସ୍ୱ ପାର୍ଷଦରୁ କେହି ଜଣେ ନିର୍ଦ୍ଧିଷ୍ଟ ବ୍ୟକ୍ତିଙ୍କୁ ବାଲିଘାଟ ଲିଜ୍‍ ଦେବାପାଇଁ ଅର୍ଡର ପାଇଥିଲେ।

ସେ ତହସିଲଦାର ହୋଇ ଆସିବାର ଦୀର୍ଘବର୍ଷ ପୂର୍ବରୁ ଅନେକ ବାଲିଘାଟ ନିଲାମ କିମ୍ବା ଲିଜ୍‍ରେ ଦିଆନଯାଇ ବାଲି ମାଫିଆଙ୍କ ଚୋରା କାରବାର ପାଇଁ ଏକ ପ୍ରକାର ଛାଡି ଦିଆଯାଇଥିଲା । ତେବେ ରାଜସ୍ୱ ପାର୍ଷଦର ନିର୍ଦ୍ଦେଶ ପାଇ ରଣସିଂହ ଉପରିସ୍ଥ ଅଧିକାରୀଙ୍କ ଅନୁମୋଦନ କ୍ରମେ ବାଲିଘାଟ ଲିଜ୍‍ ଦେଇଥିଲେ। ପରେ ସରକାର ତାଙ୍କୁ ନିଲମ୍ବନ କରିବା ସହ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ଏଥିରେ ମଧ୍ୟ ଦଣ୍ଡବିଧାନ ହୋଇଥିଲା ।

ଏ ସମ୍ପର୍କରେ ନ୍ୟାୟ ପାଇଁ ରଣସିଂହ ସ୍ୟାଟ୍‍ଙ୍କ ଦ୍ୱାରସ୍ଥ ହୋଇଥିଲେ ଏବଂ ସ୍ୟାଟ୍‍ ତାଙ୍କ ମାମଲାର ବିଚାର କରି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନରେ ହୋଇଥିବା ଦଣ୍ଡବିଧାନକୁ ବାତିଲ କରିଦେବା ସହ ନିଲମ୍ବନ ସମୟକୁ କାର୍ଯ୍ୟଦିବସ ଭାବେ ଗ୍ରହଣ କରି ସରକାର ଏହି ଅଧିକାରୀଙ୍କୁ ସମସ୍ତ ପାଉଣା ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏବଂ ଯଦି ତାଙ୍କର କୌଣସି କନିଷ୍ଠ ଅଧିକାରୀ ପଦୋନ୍ନତି ପାଇଥାନ୍ତି ତେବେ ସେହି ତାରିଖରୁ ତାଙ୍କୁ ବି ପଦୋନ୍ନତି ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ।

କିନ୍ତୁ ରାଜ୍ୟ ସରକାର ସ୍ୟାଟ୍ ଙ୍କ ରାୟ ବିରୁଦ୍ଧରେ ହାଇକୋର୍ଟରେ ଏକ ରିଟ୍‍ ଆବେଦନ ଦାଖଲ କରିଥିଲେ ଏବଂ ମାମଲାର ବିସ୍ତୃତ ଶୁଣାଣି କରି ହାଇକୋର୍ଟ ସ୍ୟାଟ୍‍ଙ୍କ ରାୟକୁ କାଏମ ରଖିବାରୁ ଓଡିଶା ସରକାର ସୁପ୍ରିମ୍‍କୋର୍ଟରେ ଏକ ଏସ୍‍ଏଲ୍‍ପି ଦାଖଲ କରିଥିଲେ । ଏହି ଏସଏଲ୍‍ପିଟି ମଧ୍ୟ ଖାରଜ ହୋଇଯାଇଛି ।

ତେବେ ଏହା ମଧ୍ୟରେ ୨୦୧୭ ମସିହାରେ ରଣସିଂହ ଚାକିରିରୁ ଅବସର ଗ୍ରହଣ କରିଥିଲେ ମଧ୍ୟ ତାଙ୍କୁ ସମସ୍ତ ପ୍ରାପ୍ୟ ମିଳିପାରିନାହିଁ । ଏବଂ ଏଥିପାଇଁ ଓଡିଶା ହାଇକୋର୍ଟରେ ସେ ଏକ ଅଦାଲତ ଅବମାନନା ମାମଲା ରୁଜୁ କରିଛନ୍ତି । ଜଣେ ଦକ୍ଷ ଓ ସଚ୍ଚୋଟ ଅଫିସର ଉଚ୍ଚ କର୍ତ୍ତୃପକ୍ଷଙ୍କ ଆଦେଶର ଅନୁପାଳନ କରି ରାଜକୋଷକୁ ରାଜସ୍ୱ ଆଣିବାପାଇଁ ବାଲିଘାଟ ଲିଜ୍‍ ଦେଇ ମାଫିଆଙ୍କ ଚୋରି ରୋକିଥିବାବେଳେ ପ୍ରଶଂସା ପାଇବା ପରିବର୍ତ୍ତେ ତାଙ୍କୁ ନିଲମ୍ବିତ କରାଯିବା ସହ ଏକ ପ୍ରକାର ବଦନାମ କରାଯାଇଥିଲା ବୋଲି ରଣସିଂହ କହିଛନ୍ତି ।

Related Posts