ଶିକ୍ଷକ ତାଗିଦ କରିବାରୁ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କଲେ ଅଷ୍ଟମ ଶ୍ରେଣୀ ଛାତ୍ରୀ

ବିନିକା: ଆତ୍ମହତ୍ୟା କଲେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ । ଶିକ୍ଷକ ତାଗିଦ କରିବାରୁ ସେ ନିଜ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ସେ ସ୍କୁଲରୁ ଯାଇ ଘରେ ପହଞ୍ଚିବା ପରେ ରସିରେ ଝୁଲିପଡ଼ିଥିବା କହିଛନ୍ତି ପରିବାର ଲୋକେ। ଏହି ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଛି। ମୃତ ଛାତ୍ରୀ ଜଣକ ଦୁଙ୍ଗୁରିପାଲି ଥାନ୍ତା ପହଣ୍ଡି ଗ୍ରାମର ଚନ୍ଦ୍ର ଛଉରାଙ୍କ ଝିଅ ରିଙ୍କି ଛଉରା। ସେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅନ୍ତର୍ଗତ ଚେରୁପାଲି ହାଇସ୍କୁଲରେ ପଢ଼ୁଥିଲେ।

ସୂଚନାଯୋଗ୍ୟ, ଗତକାଲି ରଶି ଲଗାଇ ଝୁଲି ପଡ଼ିବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ପ୍ରଥମେ ଡୁଙ୍ଗୁରିପାଲି ପରେ ବୁର୍ଲା ନେଇଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ଯାହା ପରେ ଘଟଣାରେ ନିରପେକ୍ଷା ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ସହ କ୍ଷତିପୂରଣ ଦାବିରେ ଶବ ରଖି ପରିବାର ଓ ସମ୍ପର୍କିୟ ଲୋକେ ରାସ୍ତାରୋକ କରିଛନ୍ତି। ଚେରୁପାଲି ସ୍କୁଲ ପାଖରେ ରାସ୍ତାରୋକ ଯୋଗୁଁ ବଲାଙ୍ଗିର-ବରଗଡ଼ ମୁଖ୍ୟ ରାସ୍ତାରେ ଯାତାୟତ ପ୍ରଭାବିତ ହୋଇଛି।

ଅଭିଯୋଗ ମୁତାବକ, ଗତକାଲି ଏହି ଛାତ୍ରୀ ଜଣକ ଚେରୁପାଲୀ ସ୍କୁଲକୁ ପାଠପଢିବାକୁ ଆସିଥିଲେ। ହେଲେ ସ୍କୁଲର ଜଣେ ଶିକ୍ଷକ ତାକୁ ତାଗିତ କରିଥିଲେ। ଯାହାକୁ ସେ ନେଇ ମାନସୀକ ଭାରସାମ୍ୟ ହରାଇ ଅବସାଦ ହୋଇପଡ଼ିଥିଲେ। ଘରକୁ ଫେରିବା ପରେ ସେ ଘରେ ରଶି ଲଗାଇ ଝୁଲି ପଡ଼ିଥିଲେ। ପରିବାର ଲୋକଙ୍କ ନଜର ପଡ଼ିବା ପରେ ତାଙ୍କୁ ଉଦ୍ଧାର କରାଯାଇଥିଲା। ହେଲେ ସେତେବେଳକୁ ଶ୍ୱାସ ରୁଦ୍ଧ ହୋଇ ଛାତ୍ରୀଙ୍କ ଅବସ୍ଥା ଗୁରୁତର ହୋଇଯାଇଥିଲା। ପ୍ରଥମେ ତାଙ୍କୁ ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।

କିନ୍ତୁ ଚିକିତ୍ସାଧିନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଛି। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକେ କ୍ଷତିପୂରଣ ଓ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଧାରଣାରେ ବସିଛନ୍ତି। ସ୍ଥାନୀୟ ଭୀମସେନା ସଂଗଠନ ଏହାକୁ ସମର୍ଥନ ଦେଇ ଧାରଣାରେ ମଧ୍ୟ ସାମିଲ ହୋଇଛି।

Related Posts