୩ ବର୍ଷରେ ବଜ୍ରପାତ ଯୋଗୁଁ ଓଡ଼ିଶାରେ ୯୭୨ ଜଣ ପ୍ରାଣ ହରାଇଛନ୍ତି

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର:  ବଜ୍ରପାତ ବର୍ତ୍ତମାନ ଏକ ନୂଆ ପ୍ରାକୃତିକ ବିପତ୍ତି ଭାବେ ଉଭା ହୋଇଛି।ଦେଶର ବିଭିନ୍ନ ରାଜ୍ୟରେ ବଜ୍ରପାତ ଯୋଗୁଁ ଏକାଧିକ ଲୋକ ପ୍ରାଣ ହରାଉଛନ୍ତି। ଏଥିରୁ ଲୋକଙ୍କୁ ରକ୍ଷା କରିବାପାଇଁ ବର୍ତ୍ତମାନ ଉଦ୍ୟମ ଆରମ୍ଭ ହୋଇଛି । ତେବେ ଏହି ନୂତନ ପ୍ରାକୃତିକ ବିପତ୍ତି ବଜ୍ରପାତ ଯୋଗୁଁ ଓଡିଶାରେ ଗତ ତିନିବର୍ଷ ମଧ୍ୟରେ ୯୭୨ ଜଣ ଲୋକ ପ୍ରାଣ ହରାଇଥିବା ବେଳେ ୫୦ଜଣ ଗୁରୁତର ଆହତ ହୋଇଛନ୍ତି ।

ସରକାରୀ ସୂଚନା ମୁତାବକ ୨୦୧୮-୧୯ ରୁ ୨୦୨୦-୨୧ ମଧ୍ୟରେ ରାଜ୍ୟରେ ୯୭୧ଜଣଙ୍କ ଜୀବନ ବଜ୍ରପାତ ଯୋଗୁଁ ଚାଲି ଯାଇଛି । ଏଥି ମଧ୍ୟରୁ ୨୦୧୯-୨୦ ରେ ସର୍ବାଧିକ ୩୫୭ଜଣ ପ୍ରାଣ ହରାଇ ଥିବାବେଳେ ୨୦୧୮-୧୯ରେ ୩୪୦ଜଣ ଓ ୨୦୨୦-୨୧ ବର୍ଷରେ ୨୭୪ ଜଣଙ୍କ ଜୀବନ ଚାଲିଯାଇଛି। ତେବେ ବଜ୍ରପାତ ଯୋଗୁଁ ମୟୁରଭଞ୍ଜ ଜିଲ୍ଲା ଏହି ତିନିବର୍ଷରେ ସର୍ବାଧିକ ମୃତ୍ୟୁ ହୋଇଥିବା ବେଳେ ଗଜପତି ଜିଲ୍ଲାରେ ସବୁଠାରୁ କମ୍ ମୃତ୍ୟୁ ହୋଇଥିବା ରେକର୍ଡ କରାଯାଇଛି ।

୩ ବର୍ଷରେ ବଜ୍ରପାତରେ ପ୍ରାଣ ହରାଇଥିବା ୯୭୧ ଜଣଙ୍କ ମଧ୍ୟରୁ ମୟୁରଭଞ୍ଜରେ ସର୍ବାଧିକ ୯୮ ଜଣ , ଗଞ୍ଜାମରେ ୭୫, କେନ୍ଦୁଝରରେ ୭୧, ବାଲେଶ୍ବରରେ ୬୩, ସୁନ୍ଦରଗଡରେ ୫୨, ନବରଙ୍ଗପୁରରେ ୪୭, ବରଗଡ ଓ କୋରାପୁଟରେ ୪୧ଜଣ , ବୌଦ୍ଧରେ ୭  ଜଣ ପ୍ରାଣ ହରାଇଛନ୍ତି । ଗଜପତିରେ ସବୁଠାରୁ କମ୍‍ ୬ ଜଣ ଲୋକ ବ୍ରଜପାତର ଶିକାର ହୋଇଛନ୍ତି । ବାକି ଜିଲ୍ଲା ଗୁଡିକରେ ବଜ୍ରପାତ ଜନିତ ମୃତ୍ୟୁସଂଖ୍ୟା ୨ଅଙ୍କ ରହିଛି।

ତେବେ ବଜ୍ରପାତରେ ଗୁରୁତର ଆହତ ହୋଇଥିବା ୫୦ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ସର୍ବାଧିକ ୧୧ଜଣ ମୟୁରଭଞ୍ଜରୁ , କୋରାପୁଟରେ ୭ଜଣ ଏବଂ ଝାରସୁଗୁଡାରୁ ୪ ଜଣ ଆହତ ହୋଇଛନ୍ତି ।

ତେବେ ବଜ୍ରପାତରୁ ଲୋକଙ୍କୁ ରକ୍ଷା କରିବା ପାଇଁ କେନ୍ଦୁଝର, ବଲାଙ୍ଗିର, ବ୍ରହ୍ମପୁର, ଜୟପୁର, ରାଉରକେଲା, ଭୁବନେଶ୍ୱର, କଟକ ଓ ପାଣିକୋଇଲି ଠାରେ ବଜ୍ରପାତ ସୂଚନା ଦେଉଥିବା ସେନ୍ସର ବସାଯାଇଛି। ଏହି ସେନ୍ସର ଦ୍ୱାରା ୨୦୦ ରୁ ୨୫୦ କିଲୋମିଟର ମଧ୍ୟରେ ବଜ୍ରପାତର ଆଗୁଆ ସୂଚନା ମିଳିପାରୁଛି।

ଏତଦ୍ ବ୍ୟତୀତ ପଡୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶ, ପଶ୍ଚିମବଙ୍ଗ ଓ ଛତିଶଗଡରେ ଲାଗିଥିବା ସେନ୍ସର ଦ୍ୱାରା ମଧ୍ୟ ଓଡ଼ିଶାର ବଜ୍ରପାତ ସୂଚନା ମିଳିପାରୁଛି। ଏହି ସେନ୍ସର ଜରିଆରେ ବଜ୍ରପାତ ହେବାର ୩୦/୪୦ ମିନିଟ୍‍ ପୂର୍ବରୁ ଆଗୁଆ ସୂଚନା ମିଳୁଛି। ଏବଂ ଲୋକଙ୍କୁ ପୂର୍ବ ସୂଚନା ଦେଇ ସତର୍କ କରାଯାଉଛି ।

ବଜ୍ରପାତ ସୂଚନା ଦେବା ପାଇଁ ୧୪ଟି ସ୍ଥାନରେ ଲାଗିଥିବା ଆଉଟଡୋର ଆଲର୍ଟ ବ୍ୟବସ୍ଥାରେ ବଜ୍ରପାତ ଓ ଘୂର୍ଣ୍ଣିଝଡର ୩୦/୪୦ ମିନିଟ୍‍ ପୂର୍ବରୁ ସାଇରନ ବଜାଇ ଲୋକଙ୍କୁ ସତର୍କ କରାଯାଉଛି । ତେବେ ପୂର୍ବ ସୂଚନା ସତ୍ବେ ଗ୍ରାମାଞ୍ଚଳରେ ଅନେକ ଲୋକ ବିଶେଷକରି ଗରିବ ମଜୁରିଆ ଶ୍ରେଣୀର ଲୋକେ ବଜ୍ରପାତର ଶିକାର ହେଉଛନ୍ତି । 

Related Posts