ଭବାନିପାଟଣାରୁ ନଡ୍ଡାଙ୍କ ଟାର୍ଗେଟ: ବିଜେଡି ସାଂସଦ ଓ ବିଧାୟକଙ୍କ କଥା କେହି ଶୁଣୁନାହାନ୍ତି, ଅଧିକାରୀଙ୍କ ହାତରେ ପୂରା ଶାସନ ଟେକି ଦେଇଛନ୍ତି ନବୀନ

ଭୁବନେଶ୍ୱର, ୨୩/୦୬ (ସତ୍ୟପାଠ ବ୍ୟୁରୋ): ଭବାନୀପାଟଣାରେ ଆଜି ବିଜେପିର ମହା ଜନସଂପର୍କ ସମାବେଶରେ ଯୋଗ ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା | ଏହି ଅବସରରେ ସେ ଦଳୀୟ କର୍ମୀଙ୍କୁ ଉଦବୋଧନ ଦେଇଛନ୍ତି | ନିଜ ଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ସରକାରଙ୍କ ଗୁଣଗାନ କରିବା ସହିତ ବିଜେଡି ଓ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ନଡ୍ଡା |

ନିଜ ଅଭିଭାଷଣରେ ନଡ୍ଡା କହିଛନ୍ତି ଯେ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ଏକ ନୂଆ ଦିଶା ଦେଇଛନ୍ତି। ଏଥିଲାଗି ତାଙ୍କୁ ସାରା ବିଶ୍ବରେ ପ୍ରଶଂସା କରାଯାଉଛି। ‘ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱକୁ ସାରା ବିଶ୍ୱ ମାନୁଛି, ନୋବେଲ ବିଜେତା ପଲ୍ ରୋମର ବି ମୋଦୀଙ୍କ ପ୍ରଶଂସାରେ ଶତମୁଖ। ଖାଲି ସେତିକି ନୁହେଁ, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ‘ବସ୍’ କହି ସମ୍ବୋଧନ କରୁଛନ୍ତି। କିନ୍ତୁ ଏକଥାକୁ କଂଗ୍ରେସ ହଜମ କରିପାରୁନାହିଁ। କଂଗ୍ରେସ ନେତା ମୋଦୀଙ୍କୁ ସାପ, ବିଚ୍ଛା କହିବାକୁ ବି ପଛାଉନାହାନ୍ତି। କିନ୍ତୁ ଏକଥା ସେମାନେ ଭୁଲିଯାଉଛନ୍ତି, ଦେଶର ୧୪୦ କୋଟି ଜନତା ମୋଦୀଜିଙ୍କ ସହିତ ଅଛନ୍ତି ବୋଲି ଜେ.ପି ନଡ୍ଡା କହିଛନ୍ତି।

ଅନ୍ୟପଟେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ନଡ୍ଡା। ସେ କହିଛନ୍ତି, ଓଡ଼ିଶାରେ ୨୩ ବର୍ଷ ହେଲା ନବୀନ ସରକାର ଚାଲିଛି, ହେଲେ ଓଡ଼ିଶା ସବୁଠାରୁ ପଛୁଆ। ଏହା ଏବେ ଗରିବ ରାଜ୍ୟ ଭାବେ ପରିଚିତ ହେଉଛି। ଓଡ଼ିଶାର ୩.୫ କୋଟି ଲୋକଙ୍କୁ ମୋଦୀ ରାସନ ଦେଉଛନ୍ତି। କିନ୍ତୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାରେ ହିତାଧିକାରୀଙ୍କୁ ଘର ମିଳୁନି। ଏନେଇ ମୁଁ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂଙ୍କୁ କହିବି, ଏହାର ତଦନ୍ତ କରାଯିବ ଓ ଯିଏ ଦୋଷୀ, ତାକୁ ଜେଲ୍ ପଠାଯିବ ବୋଲି ନଡ୍ଡା କହିଛନ୍ତି |

ସେ ଆହୁରି କହିଛନ୍ତି, ଓଡ଼ିଶାକୁ ଚଳାଉଛି କିଏ ଓ ଏଠାକାର ନେତା କିଏ କାହାକୁ ଜଣାନାହିଁ। ଓଡ଼ିଶାକୁ ନେତା ନା ଅଫିସର ଚଳାଉଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ବିଜେଡି ସାଂସଦ ଓ ବିଧାୟକଙ୍କ କଥା କେହି ଶୁଣୁନାହାନ୍ତି। ପୁରା ସରକାର ଭ୍ରଷ୍ଟାଚାରରେ ବୁଡି ରହିଛି | ଏବେ ତ ଏଠାରେ ୫୦% ପିସି କାରବାର ଚାଲିଛି | କେନ୍ଦ୍ର ଯୋଜନାକୁ ନିଜ ନାଁରେ କରି ଫାଇଦା ନେବାକୁ ଚେଷ୍ଟା କରାଯାଉଛି | ନା ବଦଳେଇ ଏଠାରେ ଯୋଜନାକୁ ହଡ଼ପ କରାଯାଉଛି | ନାଁ ବଦଳେଇଲେ କିଛି ହେବନି, ମୋଦି ଲୋକଙ୍କ ହୃଦୟରେ ଅଛନ୍ତି ବୋଲି ସେ କହିଛନ୍ତି |

ସେ ଆହୁରି କହିଛନ୍ତି, ନବୀନ ପଟ୍ଟନା୍ୟକ ଅଧିକାରୀଙ୍କ ହାତରେ ପୂରା ଶାସନକୁ ଟେକି ଦେଇଛନ୍ତି| ଏଠି କିଏ ଶାସନ ଚଳାଉଛି ଆପଣ ଜାଣିଛନ୍ତି, ମୁଁ ବି ଜାଣିଛି | ନବୀନ ବାବୁ ଚଳାଉ ନାହାନ୍ତି, କିଏ ଚଳାଉଛି ସମସ୍ତେ ଜାଣିଛନ୍ତି | ଆପଣ ଭୋଟ ଜଣକୁ ଦେବେ, ଶାସନ ଆଉ ଜଣେ କରିବେ ଏଭଳି ସରକାର ଆମର ଦରକାର କି ପ୍ରଶ୍ନ କରିଛନ୍ତି ନଡ୍ଡା | ଏହାସହିତ ଏବେ ସମୟ ଆସିଯାଇଛି, ଆମେ ଏଠି ବି ସରକାର ଗଢ଼ିବା ବୋଲି ଦଳୀୟ କର୍ମୀଙ୍କୁ କହିଛନ୍ତି ନଡ୍ଡା |

‘ଜୟ ଜଗନ୍ନାଥ’ କହି ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା ଭାଷଣ ଆରମ୍ଭ କରିବା ସହ ବାହାନଗା ରେଳ ଦୁର୍ଘଟଣାର ମୃତକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ଏହି ସାଧାରଣସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ବିଶ୍ବେଶ୍ବର ଟୁଡ଼ୁ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ, ସୁନ୍ଦରଗଡ଼ ସାଂସଦ ଜୁଏଲ୍ ଓରାମ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା , ସ୍ଥାନୀୟ ବିଧାୟକ ପ୍ରଦୀପ୍ତ ନାୟକ ଓ ରାଜ୍ୟ ସଭାପତି ମନମୋହନ ସାମଲ ପ୍ରମୁଖ ମଧ୍ୟ ଉପସ୍ଥିତ ଅଛନ୍ତି।

Related Posts