ଭୁବନେଶ୍ୱର, ୨୬/୦୬ (ସତ୍ୟପାଠ ବ୍ୟୁରୋ): ଦିଗପହଣ୍ଡିରେ ଵସ ଦୁର୍ଘଟଣା ବସ ମାଲିକଙ୍କ ଖାମଖିଆଲି ଯୋଗୁଁ ଘଟିଲା। ଚାଲିଗଲା ୧୨ଜଣ ନିରୀହଙ୍କ ଜୀବନ। ପ୍ରାଥମିକ ତଦନ୍ତରୁ ଜଣାଯାଇଛି ଯେ, ଏହି ମିନି ବସରେ ପରମିଟ୍ ନଥିଲା। ୨୫ ବର୍ଷ ତଳର ପୁରୁଣା ଗାଡ଼ି ବିନା ଗାଇଡଲାଇନରେ ଗଡୁଥିଲା। ଯାତ୍ରୀ ବୋହିବା ପାଇଁ ପରମିସନ ନଥିଲା। ସେପଟେ ୨୫ ବର୍ଷ ପୁରୁଣା ବସକୁ ଫିଟନେସ୍ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଏଣେ ଯେଉଁ ରୁଟରେ ଗାଡ଼ି ଗଡୁଥିଲା, ତାହା ସମ୍ପୂର୍ଣ୍ଣ ବେଆଇନ ଥିଲା। ଖାଲି ସେତିକି ନୁହେଁ, ପୁରୁଣା ଗାଡ଼ି ଯୋଗୁ ବସର ଆକ୍ସିଲ ଭାଙ୍ଗି ଯାଇଥିଲା। ଏନେଇ ଥାନାରେ ମାମଲା ହୋଇଛି। ପୁଲିସ ଘଟଣାର ତଦନ୍ତ ତଦନ୍ତ ଜାରି ରଖିଛି।
ଅନ୍ୟପଟେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଗଞ୍ଜାମ ଜିଲ୍ଲା ସଡ଼କ ପରିବହନ ଅଧିକାରୀ (ଆରଟିଓ) ମାନସ ସାହୁ। ସେ କହିଛନ୍ତି, ଦୁର୍ଘଟଣାଗ୍ରସ୍ତ ଘରୋଇ ବସର ଫିଟନେସ୍ ଥିଲା, ରାତିରେ ଚଳାଚଳ ପାଇଁ ପରମିଟ୍ ନଥିଲା କି ବୀମା ନଥିଲା, ଘଟଣା ପାଇଁ ବସ୍ ମାଲିକ ହିଁ ଦାୟୀ, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ଦୁଇ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୧୨ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ୭ ଜଣ ରହିଥିବା ସୂଚନା ମିଳିଛି। ଏଥିସହିତ ଦୁଇ ବସ୍ର ଅନେକ ଯାତ୍ରୀ ମଧ୍ୟ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଉଦ୍ଧାର କରାଯାଇ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ ଜଣେ ଯାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।
ପ୍ରାଥମିକ ସୂଚନା ଅନୁସାରେ, ରାୟଗଡ଼ାରୁ ଭୁବନେଶ୍ୱର ଯାଉଥିବା ଓଏସ୍ଆର୍ଟିସି ବସଟି ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଅନ୍ତର୍ଗତ ଖେମୁଣ୍ଡି କଲେଜ ଛକ ନିକଟରେ ବିବାହ ପରେ କନ୍ୟାକୁ ଛାଡ଼ି ବ୍ରହ୍ମପୁରରୁ ଫେରୁଥିବା ଏକ ଘରୋଇ ମିନିବସ୍ ସହ ମୁହାଁମୁହିଁ ଧକ୍କା ହେବାରୁ ଏହି ଅଘଟଣ ଘଟିଛି ବୋଲି ଖବର ମିଳିଛି । ଘଟଣା ସଂପର୍କରେ ଖବର ପାଇ ସ୍ଥାନୀୟ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ବ୍ରହ୍ମପୁର ଏମ୍କେସିଜି ମେଡିକାଲରେ ଭର୍ତ୍ତି କରିଛନ୍ତି। ସେଠାରେ ସେମାନଙ୍କର ଚିକିତ୍ସା ଜାରି ରହିଛି।





