ଚାକିରିରୁ ବିଦା ହେଲେ ନବରଙ୍ଗପୁରର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ

ଭୁବନେଶ୍ୱର, ୨୭/୦୬ (ସତ୍ୟପାଠ ବ୍ୟୁରୋ): ଚାକିରିରୁ ବିଦାହେଲେ ନବରଙ୍ଗପୁରର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ। ପ୍ରଶାନ୍ତଙ୍କୁ ଚାକିରିରୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର । ୨ଦିନ ତଳେ ପ୍ରଶାନ୍ତଙ୍କୁ ଭିଜିଲାନ୍ସ ଗିରଫ କରିଥିଲା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍‌ ବେଳେ ପ୍ରଶାନ୍ତଙ୍କ ଘରୁ ନଗଦ ୩ କୋଟି ଟଙ୍କା ସହ ୫ କୋଟିରୁ ଅଧିକ ସମ୍ପତ୍ତି ମିଳିଥିଲା। ତାଙ୍କର ଆୟଠାରୁ ୫୦୦ ପ୍ରତିଶତ ଅଧିକ ସମ୍ପତ୍ତି ଠାବ ହୋଇଥିଲା ।

ସୂଚନାଯୋଗ୍ୟ ଯେ, ୨୭ ବର୍ଷ ଚାକିରି କାଳରେ ପ୍ରଶାନ୍ତ ରାଉତ କୋଟି କୋଟି କଳା ଟଙ୍କା ଠୁଳ କରିଥିଲେ । ୧୯୯୬ ଜୁଲାଇ ୧ ତାରିଖରୁ ସେ ଓଏଏସ୍ ଭାବେ ଚାକିରି ଜୀବନ ଆରମ୍ଭ କରିଥିଲେ । କେନ୍ଦ୍ରାପଡ଼ା, ଯାଜପୁର, ବାଲେଶ୍ବର, ବରଗଡ଼ ଜିଲ୍ଲାରେ ତହସିଲଦାର ଭାବେ ଚାକିରି ଜୀବନ ଆରମ୍ଭ କରିଥିଲେ । ଏହା ପରେ ଯାଜପୁର, କଟକ, କେନ୍ଦ୍ରାପଡ଼ା, ସୁନ୍ଦରଗଡ଼ରେ ବିଡିଓ ଭାବେ କାର୍ଯ୍ୟ କରିଥିଲେ ।

ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବ୍ଲକ ବିଡିଓ ଥିବା ବେଳେ ୨୦୧୮ ନଭେମ୍ବର ୬ ତାରିଖରେ ଭିଜିଲାନ୍ସ ଜାଲରେ ପଡ଼ିଥିଲେ । ଲାଞ୍ଚ ମାମଲାରେ ଗିରଫ ହେବା ପରେ ସେହି ଦିନ ଠାରୁ ୨୦୨୦ ଜାନୁଆରୀ ୧୮ ତାରିଖ ପର୍ଯ୍ୟନ୍ତ ନିଲମ୍ବିତ ହୋଇଥିଲେ । ଏହା ପରେ ତାଙ୍କୁ ନବରଙ୍ଗପୁର ଅତିରିକ୍ତ ଉପ ଜିଲ୍ଲାପାଳ ଭାବେ ଅବସ୍ଥାପିତ କରା ଯାଇଥିଲା ।

Related Posts