ସତ୍ୟପାଠ | ଭୁବନେଶ୍ୱର | ୨୩ ଅକ୍ଟୋବର ୨୦୨୬: ଓଡ଼ିଶାରେ ୩୫ ହଜାର କୋଟି ଟଙ୍କାର ନୂଆ ତାପଜ ବିଦ୍ୟୁତ୍ ପ୍ରକଳ୍ପ! ମୁମ୍ବାଇରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ NLC India ଓ ରାଜ୍ୟ ସରକାରଙ୍କ IPICOL ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ପ୍ରସ୍ତାବ ଅନୁସାରେ ୩,୨୦୦ ମେଗାୱାଟ୍‌ର କୋଇଲାଭିତ୍ତିକ ବିଦ୍ୟୁତ୍ ପ୍ରକଳ୍ପ ନିର୍ମାଣ ହେବ। ପ୍ରାୟ ୪,୦୦୦ ନିଯୁକ୍ତି ସୃଷ୍ଟି ହେବ ବୋଲି ଆକଳନ କରାଯାଇଛି।

କିନ୍ତୁ ଏହି ଘୋଷଣା ପଛରେ ରହିଛି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ — ପ୍ରକଳ୍ପଟି ସତରେ କେତେ ନୂଆ?

କେନ୍ଦ୍ର ସରକାରଙ୍କ ପ୍ରକଳ୍ପ ନିରୀକ୍ଷଣ ତଥ୍ୟରେ NLCର ତଲାବିରା ତାପଜ ବିଦ୍ୟୁତ୍ ପ୍ରକଳ୍ପ ପାଇଁ ଜାନୁଆରୀ ୨୦୧୭ର ଅନୁମୋଦନ ସମ୍ପର୍କିତ ତଥ୍ୟ ରହିଛି। ପରବର୍ତ୍ତୀ ସମୟରେ ୨,୪୦୦ ମେଗାୱାଟ୍ ପ୍ରକଳ୍ପକୁ ଆଗକୁ ନିଆଯାଇଥିଲା। ୨୦୨୪ ଫେବ୍ରୁଆରୀ ୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଶିଳାନ୍ୟାସ କରିଥିଲେ। ସେତେବେଳେ ଘୋଷିତ ଖର୍ଚ୍ଚ ଥିଲା ପ୍ରାୟ ୨୭ ହଜାର କୋଟି ଟଙ୍କା। BHELକୁ ମୁଖ୍ୟ ନିର୍ମାଣ ଚୁକ୍ତି ମଧ୍ୟ ଦିଆଯାଇସାରିଥିଲା।

ଏବେ ୨୦୨୬ରେ NLC ପୁଣି ୩୫ ହଜାର କୋଟିର ଏକ ବିଦ୍ୟୁତ୍ ପ୍ରକଳ୍ପ ପାଇଁ ଚୁକ୍ତି କରିଛି।

ତେବେ ସରକାର ସ୍ପଷ୍ଟ କରନ୍ତୁ — ଏହା ତଲାବିରା ପ୍ରକଳ୍ପର ସମ୍ପ୍ରସାରଣ, ସଂଶୋଧିତ ଯୋଜନା ନା ସମ୍ପୂର୍ଣ୍ଣ ଅଲଗା ପ୍ରକଳ୍ପ?

ଯଦି ଅଲଗା ପ୍ରକଳ୍ପ, ତେବେ ଜମି କେଉଁଠି ଚିହ୍ନଟ ହୋଇଛି? କୋଇଲା କେଉଁ ଖଣିରୁ ଆସିବ? ପାଣି କେଉଁ ନଦୀ କିମ୍ବା ଜଳଭଣ୍ଡାରରୁ ମିଳିବ?

ଆଉ ଯଦି ପୁରୁଣା ପ୍ରକଳ୍ପର ସମ୍ପ୍ରସାରଣ, ତେବେ ପୂର୍ବରୁ ଘୋଷିତ ୨୭ ହଜାର କୋଟି ଓ ଏବେର ୩୫ ହଜାର କୋଟି ମଧ୍ୟରେ ସମ୍ପର୍କ କ’ଣ? ଉଭୟ ରାଶିକୁ ଅଲଗା ନିବେଶ ଭାବେ ଗଣାଯିବ କି?

ଏହି ପ୍ରଶ୍ନ ଆହୁରି ଗୁରୁତ୍ୱପୂର୍ଣ୍ଣ, କାରଣ କେନ୍ଦ୍ର ସରକାରଙ୍କ ଜାନୁଆରୀ ୨୦୨୬ ନିରୀକ୍ଷଣ ରିପୋର୍ଟରେ ପୁରୁଣା ତଲାବିରା ପ୍ରକଳ୍ପର ଭୌତିକ ଅଗ୍ରଗତି ମାତ୍ର ୧ ପ୍ରତିଶତ ଦର୍ଶାଯାଇଥିଲା। ମାର୍ଚ୍ଚ ୨୦୩୦ ଥିଲା ଲକ୍ଷ୍ୟ ଅବଧି।

ଅର୍ଥାତ୍ ପୁରୁଣା ପ୍ରକଳ୍ପର ଅଗ୍ରଗତି କେତେ ହୋଇଛି, ତାହାର ସଦ୍ୟତମ ହିସାବ ଦେବା ପୂର୍ବରୁ ଆଉ ଏକ ବଡ଼ ନିବେଶ ଘୋଷଣା କାହିଁକି?

ଏହା ସହିତ ରହିଛି ପରିବେଶ ଓ ସ୍ଥାନୀୟ ଲୋକଙ୍କ ସ୍ୱାର୍ଥର ପ୍ରଶ୍ନ। ନୂଆ ପ୍ରକଳ୍ପ ପାଇଁ କେତେ ଜମି ଅଧିଗ୍ରହଣ ହେବ? କେତେ ପରିବାର ପ୍ରଭାବିତ ହେବେ? ଜଳ ବ୍ୟବହାର, କୋଇଲା ପାଉଁଶ ଓ ବାୟୁ ପ୍ରଦୂଷଣର ଆକଳନ କ’ଣ?

ସରକାର ନିବେଶ ଓ ନିଯୁକ୍ତିର ଘୋଷଣା କରିବା ସହିତ ଏହାର ପ୍ରକୃତ ଆର୍ଥିକ ଓ ପରିବେଶଗତ ହିସାବ ମଧ୍ୟ ସାର୍ବଜନୀନ କରିବା ଆବଶ୍ୟକ। କାରଣ ନୂଆ ଚୁକ୍ତି ସ୍ୱାକ୍ଷର ହେବା ଓ ନୂଆ ନିବେଶ ବାସ୍ତବରେ ଆସିବା ଏକା କଥା ନୁହେଁ।

ଓଡ଼ିଶାବାସୀ ଜାଣିବାକୁ ଚାହାନ୍ତି — ୨୦୧୭ର ଯୋଜନା, ୨୦୨୪ର ଶିଳାନ୍ୟାସ ଏବଂ ୨୦୨୬ର ଚୁକ୍ତି ମଧ୍ୟରେ ପ୍ରକୃତ ପାର୍ଥକ୍ୟ କ’ଣ? ଆଉ ଏହି ତିନୋଟି ଘୋଷଣାରୁ ମାଟି ଉପରେ କେତେ କାମ ହୋଇଛି?