ACF ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା: ପତ୍ନୀ ବିଦ୍ୟାଭରତୀଙ୍କ ସମେତ ୩ ଜଣଙ୍କ ନାଁରେ NBW ଜାରି

ବହୁଚର୍ଚ୍ଚିତ ପାରଳାଖେମୁଣ୍ଡି ପୂର୍ବତନ ACF ସୌମ୍ୟ ରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ୩ ଅଭିଯୁକ୍ତଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି। ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା, DFO ସଂଗ୍ରାମ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କ ନାଁରେ NBW ଜାରି କରିଛନ୍ତି ପାରଳାଖେମୁଣ୍ଡି SDJM କୋର୍ଟ । ଆସନ୍ତା ଜୁଲାଇ ୭ ତାରିଖରେ ୩ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ମାମଲା ଖାରଜ ପାଇଁ ହୋଇଥିବା ଆବେଦନକୁ ମଧ୍ୟ କୋର୍ଟ ଅଗ୍ରାହ୍ୟ କରି ଦେଇଛନ୍ତି ।

ସୂଚନାଯାଗ୍ୟ ଯେ, ଗତ ୨୦୨୧ ଜୁଲାଇ ୧୨ ତାରିଖରେ ନିଆଁରେ ପୋଡ଼ି ହୋଇ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କର ୧୩ ତାରିଖରେ ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ସରକାରୀ ବାସଭବନରେ ସୌମ୍ୟରଞ୍ଜନ ସ୍ତ୍ରୀଙ୍କ ସହ ଥିବା ବେଳେ ହଠାତ୍ ତାଙ୍କ ଦେହରେ ନିଆଁ ଲାଗିଯାଇଥିଲା। ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେତେବେଳେ ତାଙ୍କ ଶରୀରର ୯୦ ପ୍ରତିଶତ ପୋଡ଼ିଯାଇଥିବା ଡାକ୍ତର କହିଥିଲେ। ଅବସ୍ଥା ସଂକଟାପନ୍ନ ଥିବାରୁ ଅଧିକ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଏକ ଘରାଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଜୁଲାଇ ୧୬ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା।

ଏହାକୁ ଆକସ୍ମିକ ଘଟଣା ବୋଲି ତାଙ୍କ ପତ୍ନୀ ବିଦ୍ୟାଭାରତୀ କହୁଥିବା ବେଳେ ସୌମ୍ୟଙ୍କ ବାପା ଅଭିରାମ ତାଙ୍କ ପୁଅକୁ ମାରିବା ପାଇଁ ଯୋଜନାବଦ୍ଧ ଷଡଯନ୍ତ୍ର କରାଯାଇଥିବା ଏବଂ ଏଥିପାଇଁ ବିଦ୍ୟାଭାରତୀ ପଣ୍ଡା, ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କ ମଧ୍ୟରେ ଥିବା ଅନୈତିକ ସଂପର୍କ ଦାୟୀ ବୋଲି ଅଭିଯୋଗ କରିଥିଲେ। ଏହାକୁ ଆଧାର କରି ପାରଳାଖେମୁଣ୍ଡି ପୁଲିସ୍ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ମାସାଧିକ କାଳ ତଦନ୍ତ ପରେ ମଧ୍ୟ କୌଣସି ସୁଫଳ ନମିଳିବାରୁ ସରକାର ଘଟଣାର ତଦନ୍ତ ଦାୟିତ୍ଵ କ୍ରାଇମବ୍ରାଞ୍ଚକୁ ପ୍ରଦାନ କରିଥିଲେ। କ୍ରାଇମବ୍ରାଞ୍ଚ ତଦନ୍ତ କରି ଚାର୍ଜସିଟ୍ ଦାଖଲ କରିଥଲା। ଘଟଣାର ଏତେ ଦିନ ପରେ ପୁଣି ଥରେ ମାମଲାର ଶୁଣାଣି ହେବା ଜଣାପଡିବା ପରେ ସୌମ୍ୟଙ୍କ ପରିବାରର ନ୍ୟାୟ ପାଇଁ ଆଶା ବଢିଛି।

Related Posts