ଭୁବନେଶ୍ୱର,୦୩/୦୭ (ସତ୍ୟପାଠ ବ୍ୟୁରୋ): ଆଇପିଏସ୍ଙ୍କ ବାପା-ମାଆଙ୍କୁ ଆକ୍ରମଣ। ପୂର୍ବତନ ଭୁବନେଶ୍ୱର ଟ୍ରାଫିକ ଡିସିପି ତଥା ବର୍ତ୍ତମାନର ବାଲେଶ୍ୱର ଏସ୍ପି ସାଗରିକା ନାଥଙ୍କ ପରିବାର ଉପରେ ଆକ୍ରମଣ ହୋଇଛି। ମିଳିଥିବା ସୂଚନା ଅନସାରେ ଗତକାଲି ରାତିରେ ସାଗରିକାଙ୍କ ବାପା-ମାଆ ଏକ କାର୍ରେ ଆମ୍ରି ହସ୍ପିଟାଲ ନିକଟରୁ ଫେରୁଥିଲେ। ଏହି ସମୟରେ ଦୁଇ ଜଣ ଦୁର୍ବୃତ୍ତ ତାଙ୍କୁ ଦୀର୍ଘ ସମୟ ଧରି ବାଇକ୍ରେ ପିଛି କରିବା ପରେ ଘାଟିକିଆସ୍ଥିତ ଏକ ନିର୍ଜନ ଅଞ୍ଚଳରେ ଅଟକାଇଥିଲେ। ଦୁର୍ବୃତ୍ତ ଦୁଇଜଣ ତାଙ୍କ କାର୍ ଆଗରେ ବାଇକ୍ ରଖିଦେଇଥିଲେ। ପରେ ଦମ୍ପତ୍ତିଙ୍କୁ କାରରୁ ଓହ୍ଲାଇ ଟଣାଓଟରା କରିଥିଲେ।
ପାଖରେ ଯାହା ଟଙ୍କା , ମୋବାଇଲ ଓ ସୁନା ଜିନିଷ ଅଛି ଦେଇଦେବାକୁ ଧମକାଇଥିଲେ। କିନ୍ତୁ ସାଗିରକାଙ୍କ ବାପା ଦୁର୍ବୃତ୍ତମାନଙ୍କୁ ବାଧା ଦେବାରୁ ସେମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଅଭିଯୁକ୍ତମାନେ ରାଗରେ ଦମ୍ପତିଙ୍କୁ ଆକ୍ରମଣ କରିଥିଲେ। ପାଟି ଶୁଣି କିଛି ଲୋକ ପହଞ୍ଚି ଯିବାରୁ ଭୟରେ ଲୁଟେରାମାନେ ସେଠାରୁ ଚମ୍ପଟ ମାରିଥିଲେ। ଖବରପାଇ ଭରତପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦମ୍ପତିଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଭର୍ତ୍ତି କରାଇଥିଲେ। ପ୍ରତିଦିନ ରାଜଧାନୀରେ ଲୁଟ୍, ଛିନତାଇ ଭଳି ଘଟଣା ଘଟିଚାଲିଥିବାରୁ ଭୟଭୀତ ହୋଇ ରହିଛନ୍ତି ରାଜଧାନୀ ବାସିନ୍ଦା।
କେବଳ ଗତକାଲିର ଘଟଣା ନୁହେଁ, ପ୍ରତିଦିନ ରାଜଧାନୀରେ ଏଭଳି ଘଟଣା ଘଟୁଥିଲେ ହେଁ ପୁଲିସ୍ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନେଉ ନଥିବାରୁ ଅପରାଧୀଙ୍କ ମୁହଁ ବଢ଼ିଯାଉଛି। ଏପରିକି ସେମାନେ ପୁଲିସକୁ ଆକ୍ରମଣ କରିବାକୁ ବି ପଛାଉ ନାହାନ୍ତି। କିଛି ଦିନ ତଳେ ବଡ଼ଗଡ଼ ଥାନାର ଜଣେ ମହିଳା ପୁଲିସଙ୍କୁ କିଛି ଦୁର୍ବୃତ୍ତ ଆକ୍ରମଣ କରି ଲହୁଲୁହାଣ କରିଥିଲେ। ନୂଆବର୍ଷ ରାତିରେ ମହିଳା ଥାନା ଏସ୍ଆଇ ଶୁଭଶ୍ରୀ ନାୟକଙ୍କୁ ବି ସାଇନ୍ସ ପାର୍କ ନିକଟରେ ଆକ୍ରମଣ ହୋଇଥିଲା। ସେ ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଖଣ୍ଡା ଧରି ଗୋଡ଼ାଇଥିଲେ। ସେହିପରି ଗତବର୍ଷ ଡିସେମ୍ବର ୧୭ ତାରିଖରେ ୧୨୦ ବାଟାଲିୟନ୍ ନିକଟରେ କାର୍ଯ୍ୟରତ ମହିଳା ଟ୍ରାଫିକ୍ ପୁଲିସଙ୍କୁ କିଛି ଦୁର୍ବୃତ୍ତ ଟଣାଓଟରା କରିଥିଲେ। ସେହିପରି ଗତ ଡିସେମ୍ବର ୧୮ରେ ଏକ ଯୌତୁକ ନିର୍ଯାତନା ମାମଲାର ତଦନ୍ତ କରିବାକୁ ଯାଉଥିବା ମହିଳା ଥାନା ପୁଲିସ ଓ ଟିମ୍କୁ ଅଭିଯୁକ୍ତଙ୍କ ପରିବାରଲୋକ ଠେଙ୍ଗା ଧରି ଗୋଡ଼ାଇଥିଲେ।
ସୂଚନାଯୋଗ୍ୟ, ରାଜଧାନୀରେ ଅପରାଧ ଉପରେ ରୋକ୍ ଲଗାଇବା ପାଇଁ କମିସନରେଟ ପୁଲିସ ‘ସେଫ୍ ସିଟି ଡ୍ରାଇଭ ଅଭିଯାନ ଆରମ୍ଭ କରିଛି। ପିଓପିଡି ଓ ଟିମ୍-୬୦ ବି ଗଠନ କରିଛି। କିନ୍ତୁ ଏହା ସତ୍ତ୍ବେ ଦିନକୁ ଦିନ ଅପରାଧ ବଢ଼ିବାରେ ଲାଗିଛି।





