ଦର ବୃଦ୍ଧିର ଅଭିନବ ପ୍ରତିବାଦ: କୃଷିମନ୍ତ୍ରୀଙ୍କ ଘର ଆଗରେ ଅଧା ଦରରେ ପରିବା ବିକିଲା ଛାତ୍ର କଂଗ୍ରେସ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପନି ପରିବା ଦର ଆକାଶଛୁଆଁ ହୋଇଥିବାବେଳେ ଏହାର ପ୍ରତିବାଦ କରି ଆଜି ରାସ୍ତାକୁ ଓହ୍ଲାଇଛି ଛାତ୍ର କଂଗ୍ରେସ । ଛାତ୍ର କଂଗ୍ରେସ କର୍ମୀମାନେ ଆଜି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଘର ଗେଟ୍ ଆଗରେ ଅଧା ଦରରେ ପରିବା ବିକ୍ରି କରୁଥିବା ଦେଖିବାକୁ ମିଳିଥିଲା ।

ବଜାର ରେଟ ଠାରୁ ଅଧା ଦରରେ ପରିବା ବିକ୍ର କରିଥିଲେ ଛାତ୍ର କଂଗ୍ରେସ କର୍ମୀ । ଟମାଟୋ କିଲୋ ୫୦, ବାଇଗଣ ୩୦, ପୋଟଳ ୫୦, ଅଦା ୭୦, ବିନ୍ସ ୫୦, ଲଙ୍କା ୫୦, ସାରୁ ୩୦ କିଲୋ ପିଛା ଏହି ଦରରେ ବିକ୍ରି କରାଯାଇଥିଲା । ପରିବା ବିକ୍ରି ଶେଷ ବେଳକୁ ପଲିଥିନରେ ପରିବା ଭର୍ତି କରି ମନ୍ତ୍ରୀଙ୍କ ଗେଟ୍ ଆଗରେ ଝୁଲାଇ ଦେଇଛି ଛାତ୍ର କଂଗ୍ରେସ। ଏହି ପରିବା କିଣିବା ପାଇଁ ଗ୍ରାହକଙ୍କ ଭିତରେ ଗହଳି ବି ଦେଖିବାକୁ ମିଳିଛି।

କଡା ସୁରକ୍ଷା ଭିତରେ ମନ୍ତ୍ରୀଙ୍କ ଘର ସମ୍ମୁଖରେ ଏହି ପରିବା ବିକ୍ରି କରାଯାଇଥିଲା । ପ୍ରାୟ ଅଧାଦାମରେ ପରିବା ପାଇଁ ଗ୍ରାହକ ମଧ୍ୟ ଖୁବ ଖୁସି ଥିଲେ । ସେପଟେ ଛାତ୍ର କଂଗ୍ରେସ ସଭାପତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦରଦାମ ପ୍ରସଙ୍ଗରେ କଡା ସାମଲୋଚନା କରିଛନ୍ତି ।

ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ କହିଛନ୍ତି ଯେ, ଓଡ଼ିଶାରେ ଦରଦାମର ଏପରି ସ୍ଥିତି ପାଇଁ ଉଭୟେ ରାଜ୍ୟ ଓ କେନ୍ଦ୍ର ସରକାର ଦାୟୀ । ସାଧାରଣ ପରିବାରରେ ଲୋକେ ଭାତ-ଡାଲି ଖାଉଛନ୍ତି । ହାଟକୁ ପରିବା ପାଇଁ ଗଲେ କାନ୍ଦି କାନ୍ଦି ଫେରୁଛନ୍ତି । ଏ ସ୍ଥିତି ପାଇଁ ସରକାର ଦାୟୀ । ୨୩ ବର୍ଷ ଶାସନ ଭିତରେ ଶୀତଳ ଭଣ୍ଡାର କରିପାରିଲେ ନାହିଁ ନବୀନ ସରକାର । ଏ ସରକାର ଖାଲି ଲୋକଙ୍କୁ ଭଣ୍ଡଉଛନ୍ତି ବୋଲି ସେ କହିଛନ୍ତି।

Related Posts