ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଲୋକମାନ୍ୟ ତିଲକ ଜାତୀୟ ପୁରସ୍କାର ପ୍ରଦାନ କରାଯିବ। ଏହି ପୁରସ୍କାର ଅଗଷ୍ଟ ୧ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଦାନ କରାଯିବ। ବିଶ୍ୱ ଦରବାରରେ ଭାରତର ସମ୍ମାନକୁ ବଢ଼ାଇବା ସହ ଦେଶବାସୀଙ୍କ ମଧ୍ୟରେ ଭାଇଚାରାକୁ ସୁଦୃଢ କରିବାକୁ ଚେଷ୍ଟା ଅବ୍ୟାହତ ରଖିବା ନିମନ୍ତେ ପ୍ରଧାନମନ୍ତ୍ରୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି ଆୟୋଜକମାନେ କହିଛନ୍ତି। ଲୋକମାନ୍ୟ ତିଳକଙ୍କ ୧୦୩ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ । ଏହି ଅବସରେରେ ମହାରାଷ୍ଟ୍ରର ପୁଣେରେ ଆୟୋଜିତ କାର୍ଯ୍ୟକ୍ରମରେ ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଏନସିପି ମୁଖ୍ୟ ଶରଦ ପାୱାର ଜନସାଧାରଣଙ୍କୁ ସମ୍ବୋଧନ କରିବେ ।
ତେବେ ସବୁଠାରୁ ରୋଚକ କଥାଟି ହେଲା ଏନସିପିରେ ଫାଟ ସୃଷ୍ଟି ହେବା ପରଠୁ ଉଭୟ ଶରଦ ପାୱାର ଓ ଅଜିତ ପାୱାର ପରସ୍ପରଙ୍କୁ ଦୋଷାରୋପ କରିବାର ଗୋଟିଏ ବି ମଉକା ହାତ ଛଡ଼ା କରୁ ନ ଥିବା ବେଳେ ପୁଣି ଥରେ କିନ୍ତୁ ଉଭୟ ମୋଦି ଙ୍କ ଉପସ୍ଥିତିରେ ଏହି ମଞ୍ଚରେ ଏକାଠି ହେବେ। ଆସନ୍ତା ୧ ତାରିଖରେ ଦେଖିବାକୁ ମିଳିବ ଏପରି ଦୃଶ୍ୟ। ତେବେ ଏନସିପି ଦୁଇ ଫାଳ ହେବା ପରେ ପ୍ରଥମ ଥର ପାଇଁ ଉଭୟ ଗୋଟିଏ ମଞ୍ଚରେ ଦେଖାଦେବେ।
ସେପଟେ ମହାରାଷ୍ଟ୍ର ରାଜ୍ୟପାଳ ରମେଶ ବାଇସ୍, ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିଶ ଓ ଅଜିତ ପାୱାର, କଂଗ୍ରେସ ନେତା ସୁଶୀଲ କୁମାର ସିନ୍ଦେ ପ୍ରମୁଖ ମଧ୍ୟ ଏହି କାର୍ଯ୍ୟକମରେ ଯୋଗ ଦେବେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମ୍ମାନ ମିଳିବା ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଟ୍ୱିଟ୍ କରିଛନ୍ତି। ସିନ୍ଦେ ଲେଖିଛନ୍ତି ଯେ ନିକଟରେ ଦେଶର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଲୋକମାନ୍ୟ ତିଲକ ଜାତୀୟ ପୁରସ୍କାର ପ୍ରଦାନ କରିବାକୁ ଘୋଷଣା କରାଯାଇଛି। ଏହି ପୁରସ୍କାର ତାଙ୍କୁ ଅଗଷ୍ଟ ୧ରେ ଦିଆଯିବ। ଏହି ଅବସରରେ ମୋଦୀଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା।





