ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଗତକାଲି ରାଜ୍ୟ ସରକାରଙ୍କ ପକ୍ଷରୁ ‘ଆମ ଓଡିଶା ନବୀନ ଓଡିଶା’ ଯୋଜନା ସମ୍ପର୍କରେ ଘୋଷଣା କରାଯିବା ପରେ ଏବେ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି। ବିଜେପି ପରେ ଏବେ ଏହି ଯୋଜନାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛି କଂଗ୍ରେସ | ଶାସନ କ୍ଷମତାରେ ରହିବାର ଏତେ ବର୍ଷ ପରେ ନବୀନ ବାବୁ ଆମ ଓଡ଼ିଶା ନବୀନ ଓଡ଼ିଶା କରୁଛନ୍ତି । ଆଜିଯାଏ କାହା ଓଡ଼ିଶା ଥିଲା ବୋଲି ପ୍ରଶ୍ନ କରିଛି ବିରୋଧୀ କଂଗ୍ରେସ ।
ଆଜି ଏକ ପ୍ରେସମିଟ୍ କରି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ନିର୍ବାଚନ ଆସିଲେ ନବୀନ ବାବୁଙ୍କର ଯୋଜନା କଥା ମନେପଡେ । ଏହା ପୂର୍ବରୁ ମଧ୍ୟ ଠିକ ଏମିତି ଯୋଜନା କରିଥିଲେ ନବୀନ ବାବୁ । ପିଠା ଯୋଜନା, କାଳିଆ ଯୋଜନା, ଆମ ସ୍କୁଲ, ଆମ ଗାଁ ଯୋଜନା ଇତ୍ୟାଦି । ହେଲେ ଏ ସବୁ ଯୋଜନାର କ’ଣ ହେଲା ? ଠିକ ସେମିତି ଆମ ଓଡ଼ିଶା ନୀବନ ଓଡ଼ିଶା ଯୋଜନା । ୨୪ ବର୍ଷ ପରେ ନବୀନଙ୍କ ମନେ ପଡିଲା ନବୀନ ଓଡ଼ିଶା କଥା । ତେବେ ଏହି ଯୋଜନାର ଆୟୁଷ କେତେଦିନ ବୋଲି ପ୍ରଶ୍ନ କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । କେବଳ ନିର୍ବାଚନକୁ ଦୃଷ୍ଟିରେ ରଖି ଏପରି ଘୋଷଣା କରାଯାଇଛି ବୋଲି କହିଛନ୍ତି ପିସିସି ସଭାପତି । ଯଦି ବିକାଶ ଚାହୁଁଛନ୍ତି, ତେବେ ଚାଷୀଙ୍କ ପାଇଁ ଶୀତଳ ଭଣ୍ଡାର କରିଥାନ୍ତେ । ହେଲେ ତାହା ନ କରି ୪ ହଜାର କୋଟିର ପ୍ୟାକେଜ ଘୋଷଣା କରିଛନ୍ତି ବୋଲି ସେ କହିଛନ୍ତି।
ଶରତ ପଟ୍ଟନାୟକ କହିଛନ୍ତି, ଏହି ୪ ହଜାର କୋଟିର ଟେଣ୍ଡର ହେବନାହିଁ । ଏଠାରୁ ବାବୁମାନେ ଯାଇ, ସରକାରୀ ଅର୍ଥରେ ଲୋକଙ୍କୁ ଡକାଯିବ । ବଡ ବଡ ସ୍କ୍ରିନ ଲାଗିବ । ଏଠାରୁ ଥାଇ ନବୀନ ବାବୁ ‘ଆପଣମାନେ ଖୁସି ତ’ ବୋଲି କହିବେ । ଆପଣଙ୍କ ପାଇଁ ଯୋଜନା ହେଲା ବୋଲି କହିବେ ।ଯଦି ନବୀନ ବାବୁ କରିବାକୁ ଚାହୁଁଛନ୍ତି ତେବେ ଶୀତଳଭଣ୍ଡାର ଖୋଲନ୍ତୁ, ଚାଷୀଙ୍କ ଦୁଃଖ ବୁଝନ୍ତୁ ବୋଲି ସେ କହିଛନ୍ତି ।
ସେପଟେ 4 ହଜାର କୋଟିର ଆମ ଓଡିଶା ନବୀନ ଓଡିଶା ଯୋଜନାର ଉଦେଶ୍ୟ ବିଜେଡି କର୍ମୀଙ୍କୁ ପୋଷିବା ବୋଲି କହିଛନ୍ତି କଂଗ୍ରେସ ପ୍ରଚାର କମିଟି ଅଧକ୍ଷ ବିଜୟ ପଟ୍ଟନାୟକ | ଲୋକଙ୍କ ଅର୍ଥରେ ବିଜେଡିକୁ ଜିତେଇବା ପାଇଁ ତରବରିଆ ଭାବରେ ଏହି ଯୋଜନା ଘୋଷଣା କରାଯାଇଛି | ଏହି ଅର୍ଥ ରାଜ୍ୟ ବାସୀଙ୍କ କେତେ ଉନ୍ନତିମୂଳକ କାର୍ଯ୍ୟ ପାଇଁ ଖର୍ଚ୍ଚ ହୋଇପାରିଥାନ୍ତା | ଗତ ନିର୍ବାଚନରେ ବିଜେଡି ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଶୀତଳ ଭଣ୍ଡାର ପ୍ରତିଷ୍ଠା କରିବ ବୋଲି ପ୍ରତିଶୃତି ଦେଇଥିଲା ହେଲେ ଏଯାଏଁ ତାହା ହେଲା ନାହିଁ | ଏହି ଅର୍ଥରେ ରାଜ୍ୟର ପ୍ରତି ବ୍ଲକରେ ଗୋଟିଏ ଗୋଟିଏ ଶୀତଳ ଭଣ୍ଡାର ହୋଇ ପାରିଥାନ୍ତା | ରାଜ୍ୟର ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାକୁ ସୁଧାରାଯାଇ ପାରିଥାନ୍ତା ବୋଲି ବିଜୟ କହିଛନ୍ତି |





