ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବାଲେଶ୍ବର ଜିଲ୍ଲା ବାହାନଗା ରେଳ ଦୁର୍ଘଟଣା ମାମଲାରେ ୭ ରେଳବାଇ କର୍ମଚାରୀ ନିଲମ୍ବିତ ହୋଇଛନ୍ତି । ଗିରଫ ୩ କର୍ମଚାରୀଙ୍କ ସହ ୭ ରେଳବାଇ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ଏନେଇ ରେଳବାଇ ମହାପ୍ରବନ୍ଧକ ଅନୀଲ କୁମାର ମିଶ୍ର ସୂଚନା ଦେଇଛନ୍ତି ।
ସେ କହିଛନ୍ତି, ନିଲମ୍ବିତ ହୋଇଥିବା କର୍ମଚାରୀଙ୍କ ମଧ୍ୟରେ ସିବିଆଇ ଗିରଫ କରିଥିବା ୩ ଜଣ ରେଲୱେ ଷ୍ଟାଫ୍ ମଧ୍ୟ ଅଛନ୍ତି। ଏହି ଦୁର୍ଘଟଣାରେ ଷ୍ଟେସନ ମାଷ୍ଟର, ଟ୍ରାଫିକ ଇନ୍ସପେକ୍ଟର ଓ ମେଣ୍ଟେନରଙ୍କ ଭୂମିକା ମଧ୍ୟ ରହିଛି। ସେଥିପାଇଁ ସେମାନଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି। ଏହି କର୍ମଚାରୀମାନେ ସତର୍କ ହୋଇଯାଇଥିଲେ ଦୁର୍ଘଟଣାକୁ ଟାଳି ହୋଇଥା’ନ୍ତା। ତେଣୁ କାର୍ଯ୍ୟରେ ଅବହେଳା କରିଥିବା ନେଇ ସେମାନଙ୍କୁ ନିଲମ୍ବନ କରାଯାଇଛି। ସିବିଆଇ ଘଟଣାର ତଦନ୍ତ ଜାରି ରଖିଛି।
ସେପଟେ ବାହାନଗା ଟ୍ରେନ୍ ଟ୍ରାଜେଡି ଘଟଣାରେ ଗିରଫ ୩ ଜଣଙ୍କୁ ପୁଣି ୪ ଦିନ ରିମାଣ୍ଡରେ ନେଇଛି ସିବିଆଇ ।ପୂର୍ବରୁ ସିବିଆଇ ଏହି ୩ ଅଭିଯୁକ୍ତଙ୍କୁ ୫ ଦିନ ପାଇଁ ରିମାଣ୍ଡରେ ନେଇଥିବା ବେଳେ ମଙ୍ଗଳବାର ସରିଥିଲା ରିମାଣ୍ଡ ଅବଧି । କୋର୍ଟରେ ହାଜର ପରେ ପୁଣି ରିମାଣ୍ଡ ଆବେଦନ କରିଥିଲା ସିବିଆଇ । ଯାହାକୁ ଅଭିଯୁକ୍ତଙ୍କ ଓକିଲ ପ୍ରତିବାଦ କରିଥିଲେ ।
ଘଟଣାରେ ଗିରଫ ୩ ଅଭିଯୁକ୍ତ ଅରୁଣ ମହାନ୍ତ, ଅମିର ଖାନ୍ ଓ ପପୁ କୁମାରଙ୍କର ମଙ୍ଗଳବାର ଶେଷ ହୋଇଥିଲା ରିମାଣ୍ଡ ଅବଧି । ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଥିଲା । ସିବିଆଇ ପୁଣି ରିମାଣ୍ଡରେ ନେବା ଲାଗି ଚାହିଁଥିଲା । ପ୍ରଥମେ ଅରୁଣ ମହାନ୍ତଙ୍କ ଓକିଲ ଏହାକୁ ବିରୋଧ କରିଥିଲେ । ତାଙ୍କର ଯୁକ୍ତି ଥିଲା ଘଟଣା ଦିନ ଅରୁଣ କୌଣସି ଦାୟିତ୍ବରେ ନଥିଲେ । ତାଙ୍କର ସେହି ସମୟରେ ଡ୍ୟୁଟି ହିଁ ନଥିଲା । ତେଣୁ ତାଙ୍କୁ ଆଉ ରିମାଣ୍ଡ ଅନୁମତି ଦିଆନଯାଉ । ସେହିଭଳି ମହମ୍ମଦ ଅମିର ଖାନ୍ଙ୍କ ଓକିଲ ଜାମିନ ପାଇଁ ଆବେଦନ କରିଥିଲେ । ହେଲେ ସ୍ପେଶାଲ ସିବିଆଇ କୋର୍ଟ ଏମାନଙ୍କୁ ୪ ଦିନ ରିମାଣ୍ଡରେ ନେବା ଲାଗି ସିବିଆଇକୁ ଅନୁମତି ଦେଇଥିଲେ । ସେପଟେ ପପୁଙ୍କ ଓକିଲ କହିଛନ୍ତି ୧୪ ତାରିଖରେ ଜାମିନ ଆବେଦନ କରିବେ ।
ଏହି ୩ ଅଭିଯୁକ୍ତଙ୍କୁ ୫ ଦିନ ରିମାଣ୍ଡରେ ନେଇ ସିବିଆଇ ଘନ ଘନ ଜେରା କରିଛି । ଏତେ ବଡ଼ ରେଳ ଦୁର୍ଘଟଣାରେ ଏମାନଙ୍କର ଭୁଲ୍ କ’ଣ ଥିଲା । ଏମାନେ କୌଣସି ବାହ୍ୟ ଚାପରେ ରହିଥିଲେ କି ନାହିଁ ତାହା ଜାଣିବାକୁ ଚାହିଁଥିଲା । ସେହିପରି ସିବିଆଇ ସୋମବାରଠାରୁ ଷ୍ଟେସନ ମାଷ୍ଟର ଓ ଆଉ ଜଣେ ରେଳ କର୍ମଚାରୀଙ୍କୁ ଜେରା ଆରମ୍ଭ କରିଛି । ଏଥି ସହିତ ଆଉ ୩ କର୍ମଚାରୀଙ୍କୁ ସମନ କରାଯାଇଛି । ବୁଧବାର ସେହି ୩ ରେଳ କର୍ମଚାରୀ ହାଜର ହେବାକୁ ସମନରେ ଉଲ୍ଲେଖ ରହିଛି । ଏଥିସହିତ ସିବିଆଇ ରେଳ ବିଭାଗର ଟେକ୍ନିକାଲ ଟିନ୍ର ସହାୟତା ଲୋଡିଛି ।
ସୂଚନାଯୋଗ୍ୟ ଯେ, ଗତ ଜୁନ୍ ୨ ତାରିଖରେ ବାଲେଶ୍ବର ଜିଲ୍ଲା ବାହାନଗାରେ ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣାରେ ୨୯୩ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ୧ ହଜାରରୁ ଅଧିକ ଆହତ ହୋଇଥିଲେ । ରେଳ ଦୁର୍ଘଟଣାରେ ମୃତ ୧୯୩ ଜଣଙ୍କ ମଧ୍ୟରେ ଏବେବି ୪୧ ଜଣଙ୍କ ମୃତଦେହ ଏମସ ନିକଟରେ କଣ୍ଟେନର ଭିତରେ ପଡି ରହିଥିଲା । ଏହାରି ଭିତରେ ଆଉ ୧୦ ଜଣଙ୍କର ଡିଏନଏ ଟେଷ୍ଟ ରିପୋର୍ଟ ଆସିସାରିଛି । ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି ।





