ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବାଲ୍ୟ ବିବାହ ବନ୍ଦ କରିବାକୁ ଆସାମରେ ବେଧଡ଼କ ଚଢ଼ାଉ କରି ଚର୍ଚ୍ଚାକୁ ଆସିଥିବା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତା ବିଶ୍ୱଶର୍ମା ଏବେ ବହୁ ବିବାହ ଉପରେ କଟକଣା ଲଗାଇବାକୁ ଯୋଜନା କରିଛନ୍ତି। ଏଥିପାଇଁ ଆସନ୍ତା ବିଧାନସଭା ଅଧିବେଶନରେ ସେ ଏକ ବିଲ୍ ଆଣିବେ। ଏହାପରେ ଏହାକୁ ନିୟମରେ ପରିଣତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି।
ବହୁ ବିବାହ ବ୍ୟାନ କରିବା ୟୁନିଫର୍ମ ସିଭିଲ୍ କୋଡ୍ରେ ସମ୍ପର୍କିତ ବୋଲି କୁହାଯାଉଛି। ବହୁ ବିବାହ ଉପରେ ରୋକ୍ ଲଗାଇବା ପାଇଁ ଆଇନଗତ ଦିଗଗୁଡ଼ିକୁ ଯାଞ୍ଚ କରି ରିପୋର୍ଟ ଦେବାକୁ ଆସାମ ସରକାର ଏକ ବିଶେଷଜ୍ଞ କମିଟି ଗଠନ କରିଥିଲେ। ହେଲେ କମିଟି ଏପର୍ଯ୍ୟନ୍ତ ରିପୋର୍ଟ ଦେଇ ନାହିଁ।
ଏନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତା ବିଶ୍ୱ ଶର୍ମା କହିଛନ୍ତି ଯେ, ସେପ୍ଟେମ୍ବର ମାସରେ ହେବାକୁ ଥିବା ବିଧାନସଭା ଅଧିବେଶନରେ ଏହି ବିଲ୍ ଆଣିବୁ। ଯଦି କୌଣସି କାରଣରୁ ସେପ୍ଟେମ୍ବର ମାସରେ ବିଲ୍ ଆଗତ କରିପାରିଲୁ ନାହିଁ ତେବେ ଆସନ୍ତା ବର୍ଷ ଜାନୁଆରୀ ମାସରେ ଆମେ ସୁନିଶ୍ଚିତ ଏହି ବିଲ୍ ଆଣିବୁ ବୋଲି ଗୁରୁବାର ମୁଖ୍ୟମନ୍ତ୍ରୀ କହିଛନ୍ତି।
ସମାନ ଆଚାରଣ ସଂହିତା (ୟୁସିସି)କୁ ନେଇ ହିମନ୍ତା କହିଛନ୍ତି ‘ଆସାମରେ ଆମେ ତୁରନ୍ତ ବହୁ ବିବାହ ରୋକିବାକୁ ଚାହୁଁଛୁ। ତେବେ ଯଦି ୟୁସିସି ଆସିବ ତେବେ ଆମେ ଏହି କାର୍ଯ୍ୟାନୁଷ୍ଠାନ ନେବୁ ନାହିଁ । କାରଣ ଏହା ୟୁସିସି ସହିତ ମିଶିଯିବ।’
ଏହା ପୂର୍ବରୁ ମଧ୍ୟ ବହୁ ବିବାହକୁ ବ୍ୟାନ୍ କରିବା କଥା କହିଥିଲେ ହିମନ୍ତ ବିଶ୍ୱଶର୍ମା। ତେବେ ଲୋକଙ୍କ ଅନୁମତି ଏହାକୁ ବ୍ୟାନ୍ କରାଯିବ। କୌଣସି ପ୍ରକାର ଜବରଦସ୍ତି କରାଯିବ ନାହିଁ ବୋଲି ଶ୍ରୀ ଶର୍ମା କହିଛନ୍ତି।





