ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନିଜ ଦଳରେ ବିଦ୍ରୋହ କରି ମହାରାଷ୍ଟ୍ରର ଶିବସେନା-ବିଜେପି ସରକାରରେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନସିପି) ନେତା ଅଜିତ ପାୱାରଙ୍କୁ ଆଜି ଅର୍ଥ ମନ୍ତ୍ରାଳୟ ର ଦାଇତ୍ୱ ମିଳିଛି । ତେବେ ବିଦ୍ରୋହକୁ ନେଇ ଦୀର୍ଘଦିନ ଧରି ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟାଇ ଗତ ମାସରେ ସିନ୍ଦେ ସରକାରର କ୍ୟାବିନେଟରେ ସ୍ଥାନ ପାଇଥିବା ୮ ଜଣ ଏନସିପି ବିଧାୟକଙ୍କୁ ଶେଷରେ ଶୁକ୍ରବାର ସେମାନଙ୍କ ବିଭାଗ ମିଳିଛି।
ବିଭାଗ ବଣ୍ଟନ ପରେ ଯୋଜନା ବିଭାଗ ସହିତ ଅଜିତ ପାୱାରଙ୍କୁ ଗୁରୁତ୍ୱପୂର୍ଣ୍ଣ ଅର୍ଥ ମନ୍ତ୍ରାଳୟର ଦାୟିତ୍ୱ ତୁଲାଇବେ। ସେହିଭଳି ଛଗନ ଭୁଜବଳ ଖାଦ୍ୟ ଯୋଗାଣ ଓ ଖାଉଟି ସୁରକ୍ଷା ବିଭାଗର ଦାୟିତ୍ୱ ତୁଲାଇବେ ଏବଂ ଧର୍ମ ରାଓବାବା ଆତ୍ରାମ ଔଷଧ ଓ ପ୍ରଶାସନ (ଏଫଡିଏ) ବିଭାଗର ମନ୍ତ୍ରୀ ରହିବେ।
ସହଯୋଗ ମନ୍ତ୍ରାଳୟ ଦିଲୀପ ଓ୍ଵାଲେ୍ସ ପାଟିଲଙ୍କ ନେତୃତ୍ୱରେ ରହିବ ଏବଂ ଧନଞ୍ଜୟ ମୁଣ୍ଡେଙ୍କୁ କୃଷି ମନ୍ତ୍ରାଳୟ ଦାୟିତ୍ୱ ଦିଆଯାଇଛି। ହାସନ ମୁସରିଫ ମେଡିକାଲ ଶିକ୍ଷା ବିଭାଗର ମନ୍ତ୍ରୀ ରହିଥିବା ବେଳେ ଅନୀଲ ପାଟିଲ ରିଲିଫ ଓ ଥଇଥାନ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରାଳୟ ସମ୍ଭାଳିବେ।ଅଦିତି ତଟକରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ପରିଚାଳନା କରିବାକୁ ଯାଉଛନ୍ତି, ସଞ୍ଜୟ ବନସୋଡେଙ୍କୁ କ୍ରୀଡ଼ା ଓ ଯୁବ କଲ୍ୟାଣ ଏବଂ ବନ୍ଦର ବିଭାଗ ମିଳିଛି।
ସୂଚନାଯୋଗ୍ୟ ଯେ, ଶରଦ ପାୱାରଙ୍କ ନେତୃତ୍ୱାଧୀନ ଏନସିପିରେ ବିଭାଜନ ଏବଂ ପରେ ଗତ ମାସରେ ଏହି ୯ ଜଣ ବିଧାୟକଙ୍କୁ ଶିବସେନା-ବିଜେପି ସରକାରରେ ସାମିଲ କରାଯିବା ପରେ ଏହି ସବୁ ମନ୍ତ୍ରିମଣ୍ଡଳ ଆବଣ୍ଟନ କରାଯାଇଛି। ମନ୍ତ୍ରିମଣ୍ଡଳରେ ସଂପ୍ରସାରଣ ପରେ ବିଭାଗ ବଣ୍ଟନକୁ ନେଇ ଜୋରଦାର ବିତର୍କ ଆରମ୍ଭ ହୋଇଥିବା ବେଳେ ମେଣ୍ଟର କିଛି ପୁରୁଣା ସଦସ୍ୟଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ମନ୍ତ୍ରିମଣ୍ଡଳରେ ସାମିଲ ହେବାପରେ ଅଜିତ ପାୱାର ଅର୍ଥ ବିଭାଗ ନେବାକୁ ଅଡ଼ି ବସିଥିବା ବେଳେ ଶିବସେନା (ସିନ୍ଦେ ଗୋଷ୍ଠୀ) ଏହାକୁ ବିରୋଧ କରିଥିଲେ | ଏସବୁ ଭିତରେ ନିକଟରେ ଅଜିତ ଦିଲ୍ଲୀ ଆସି ପ୍ରଧାନମନ୍ତ୍ରୀ ମୋଦି ଓ ଗ୍ରହ ମନ୍ତ୍ରୀ ଶାହଙ୍କୁ ଭେଟିଥିଲେ | ଏହାପରେ ଆଜି ବିଭାଗ ବଣ୍ଟନକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଶେଷରେ ଅଜିତଙ୍କୁ ଅର୍ଥ ମନ୍ତ୍ରାଳୟ ମିଳିଛି |





