ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦିଲ୍ଲୀରେ ପ୍ରଶାସନିକ ଅଧିକାରୀଙ୍କ ପୋଷ୍ଟିଂ ଓ ବଦଳି ନେଇ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶକୁ ଦିଲ୍ଲୀରେ ସରକାରରେ ଥିବା ଆମ ଆଦମୀ ପାର୍ଟି (ଆପ୍) ବିରୋଧ କରୁଛି | ଏହା ସହିତ ଅନ୍ୟ ବିରୋଧୀ ଦଳ ଗୁଡିକ ଠାରୁ ମଧ୍ୟ ଏହି ପ୍ରସଙ୍ଗରେ ଆପ ନିଜ ସପକ୍ଷରେ ସମର୍ଥନ ହାସଲ କରିଛି | ହେଲେ ଏହି ଅଧ୍ୟାଦେଶକୁ କଂଗ୍ରେସ ବିରୋଧ କରିବ କି ନାହିଁ ତାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ଆଜି ଏଥିରେ ପୂର୍ଣ୍ଣଛେଦ ପକାଇଛି କଂଗ୍ରେସ | ଆପକୁ ସମର୍ଥନ ଘୋଷଣା କରିବା ସହିତ ସଂସଦରେ ଏହି ଅଧ୍ୟାଦେଶକୁ ବିରୋଧ କରିବ କଂଗ୍ରେସ।
ସେପଟେ ସୋମବାର (ଆସନ୍ତାକାଲି) ବିରୋଧୀ ଦଳଗୁଡ଼ିକ ବେଙ୍ଗାଲୁରୁରେ ବୈଠକ ପାଇଁ ଏକତ୍ର ହେଉଥିବା ବେଳେ ତା’ପୂର୍ବରୁ କଂଗ୍ରେସ ନେଇଛି ଏହି ନିଷ୍ପତ୍ତି। ଏହା ଦିଲ୍ଲୀର ଆପ୍ ସରକାର ପାଇଁ ଏକ ବଡ଼ ବଳ ବୋଲି କୁହାଯାଉଛି। ତେବେ ଏହି ଅଧ୍ୟାଦେଶକୁ କଂଗ୍ରେସ ବିରୋଧ ନକଲେ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଯାଉଥିବା ବିରୋଧୀ ବୈଠକରେ ଯୋଗ ନଦେବାକୁ ଆପ୍ ଧମକ ଦେଇଥିଲା।
ଏନେଇ କଂଗ୍ରେସର ସାଧାରଣ ସଂପାଦକ କେ.ସି ଭେନୁଗୋପାଳ କହିଛନ୍ତି, ମୁଁ ଭାବୁଛି ସେମାନେ (ଆପ୍) ଆସନ୍ତାକାଲି ହେବାକୁ ଥିବା ବୈଠକରେ ସାମିଲ ହେବେ। ଦିଲ୍ଲୀ ଅଧ୍ୟାଦେଶ ନେଇ ଆମର ନିଷ୍ପତ୍ତି ପୂରା ସ୍ପଷ୍ଟ। ଆମେ ଏହାକୁ ସମର୍ଥନ କରିବୁ ନାହିଁ।
ସେପଟେ ଆପ୍ ନେତା ରାଘବ ଚଡ୍ଡା କହିଛନ୍ତି ଯେ କଂଗ୍ରେସ ଦିଲ୍ଲୀ ଅଧ୍ୟାଦେଶକୁ ବିରୋଧ କରିବ ବୋଲି ସ୍ପଷ୍ଟ ଭାବେ କହିଛି। ଏଥିରେ କୌଣସି ସନ୍ଦେହ ବା ଦ୍ୱନ୍ଦ୍ୱ ନାହିଁ ବୋଲି ସେ କହିଛନ୍ତି।
ଦିଲ୍ଲୀର ଆପ୍ ସରକାର ଏହି ଅଧ୍ୟାଦେଶକୁ ଅସାମ୍ବିଧାନିକ ବୋଲି କହିଆସୁଛନ୍ତି। ଦଳର ରଜନୀତିକ ବ୍ୟାପାର କମିଟି (ପିଏସି)ର ବୈଠକ ଆଜି ଅନୁଷ୍ଠିତ ହେବ। ଯେହେତୁ କଂଗ୍ରେସ ଏହି ଅଧ୍ୟାଦେଶକୁ ବିରୋଧ କରିବ ବୋଲି ଘୋଷଣା କରିସାରିଛି, ତେଣୁ ଆସନ୍ତାକାଲି ବିରୋଧୀଙ୍କ ବୈଠକରେ ଆପ୍ ଯୋଗ ଦେବ କି ନାହିଁ ସେ ନେଇ ପିଏସି ବୈଠକରେ ନିଷ୍ପତ୍ତି ହେବ ବୋଲି ସୂଚନା ମିଳିଛି।





