ବନ୍ଦେ ଭାରତ ଏକ୍ସପ୍ରେସରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦୁର୍ଘଟଣା ଯେପରି ଭାରତୀୟ ରେଳବାଇର ପିଛା ଛାଡୁନି। ଏହି କ୍ରମରେ ଆଜି ଭାରତର ସବୁଠାରୁ ଅତ୍ୟାଧୁନିକ ଟ୍ରେନ କୁହାଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସରେ ଲାଗିଛି ନିଆଁ । ଭୋପାଳର ରାନି କମଳାପତି ରେଳ ଷ୍ଟେସନରୁ ନିଜାମୁଦ୍ଦିନ ଅଭିମୁଖେ ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସର ସି-୧୪ ବଗିରେ ନିଆଁ ଲାଗିଛି । ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ଓ କୌଣସି କ୍ଷୟକ୍ଷତି ହୋଇନାହିଁ । ଏକ ବଡ ଅଘଟଣ ଟଳିଯାଇଛି । ଯାଞ୍ଚ ପରେ ଟ୍ରେନ ଚଳାଚଳ ହେବ ବୋଲି ଭାରତୀୟ ରେଲୱେ ପକ୍ଷରୁ ସୂଚନା ମିଳିଛି ।

ସକାଳୁ ରାନି କମଳାପତି ଷ୍ଟେସନରୁ ବନ୍ଦେ ଭାରତ ଟ୍ରେନ ଛାଡିଥିଲା । କୁରୱାଇ କେଥୋରା ଷ୍ଟେସନରେ ଅଚାନକ ଟ୍ରେନର ସି-୧୪ ବଗିରେ ନିଆଁ ଲାଗିଥିଲା । ଖବର ପାଇଁ ତୁରନ୍ତ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ । ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । କେହି ଯାତ୍ରୀ ଆହତ ହୋଇନାହାନ୍ତି । ନିଆଁ କେବଳ ବ୍ୟାଟେରୀ ବକ୍ସରେ ଲାଗିଥିଲା । ଯାଞ୍ଚ ପରେ ଶୀଘ୍ର ଟ୍ରେନ ଚାଲିବ ବୋଲି ଭାରତୀୟ ରେଳୱେ ପକ୍ଷରୁ ସୂଚନା ମିଳିଛି ।

ନିଜାମୁଦ୍ଦିନ ଯାଉଥିବା ବନ୍ଦେ ଭାରତ ଟ୍ରେନ ନମ୍ବର ୨୦୧୭୧ସକାଳ ୫ଟା ୪୦ରୁ ରାନି କମଳାପତି ଷ୍ଟେସନରୁ ବାହାରିଥିଲା । ଯାତ୍ରୀଙ୍କ ସୂଚନା ଅନୁସାରେ ନିଆଁ ବ୍ୟାଟେରୀରୁ ଲାଗିଛି । ନିଆଁ ଲାଗିବାର ସୂଚନା ମିଳିବା ମାତ୍ରେ ଟ୍ରେନକୁ ଅଟକା ଯାଇ ଯାତ୍ରୀଙ୍କୁ ସୁରକ୍ଷିତ ବାହାରକୁ ଓହ୍ଲାଇ ଦିଆଯାଇଥିଲା ।

ସୂଚନାଯୋଗ୍ୟ ଯେ, ବାଲେଶ୍ବର ରେଳ ଦୁର୍ଘଟଣାରେ ୨୯୪ ଜଣଙ୍କ ମୃତ୍ୟୁ ହେବା ପରେ ଏକାଧିକ ଛୋଟ ଧରଣର ରେଳ ଦୁର୍ଘଟଣା ମଧ୍ୟ କ୍ରମାଗତ ସାମ୍ନାକୁ ଆସିବାରେ ଲାଗିଛି । ଗତ ଜୁଲାଇ ୧୩ ତାରିଖରେ ଚେନ୍ନାଇ-ବେଙ୍ଗାଲୁରୁ ଏକ୍ସପ୍ରେସ ଇଞ୍ଜିନରେ ଧୂଆଁ ଦେଖିବାକୁ ମିଳିଥିଲା । କରମଣ୍ଡଳ ଟ୍ରେନ ଦୁର୍ଘଟଣା ପରେ ଲୋକ ଭୟଭୀତ ଅଛନ୍ତି । ଅଚାନକ ଟ୍ରେନରେ ନିଆଁ ଦେଖି ଲୋକ ଭୟଭୀତ ହୋଇଥିଲେ । ଏହା ପୂର୍ବରୁ ଜୁଲାଇ ୧୧ ତାରିଖରେ ବ୍ରହ୍ମପୁର ରେଳ ଷ୍ଟେସନରେ ବିବେକ ଏକ୍ସପ୍ରେସର ନିଆଁ ଲାଗିଥିଲା । ସେହିପରି ଦ୍ରିବୁଗଡ-କନ୍ୟାକୁମାରୀ ବିବେକ ଏକ୍ସପ୍ରେସ ଟ୍ରେନର ଏସ-10 ବଗିରୁ ଧୂଆଁ ବାହାରିବାରୁ ଯାତ୍ରୀ ଭୟଭୀତ ହୋଇ ଓହ୍ଲାଇ ପଡିଥିଲେ ।

Related Posts