ଆଜିଠୁ ୟୁନିଟ୍-୨ ମାର୍କେଟ ବିଲ୍ଡିଂ ବନ୍ଦ: ଉଠାଦୋକାନୀଙ୍କ ଉଚ୍ଛେଦ ଦାବିରେ ଧାରଣା ଦେବ ସେଣ୍ଟ୍ରାଲ ମାର୍କେଟ୍‌ ବ୍ୟବସାୟୀ ସଂଘ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆଜିଠୁ ୟୁନିଟ୍-୨ ମାର୍କେଟ ବିଲ୍ଡିଂ ବନ୍ଦ। ଧାରଣା ଦେବ ସେଣ୍ଟ୍ରାଲ ମାର୍କେଟ ବ୍ୟବସାୟୀ ସଂଘ। ଉଠାଦୋକାନୀ-ସେଣ୍ଟ୍ରାଲ ମାର୍କେଟ ବ୍ୟବସାୟୀ ସଂଘ ମଧ୍ୟରେ ଘନେଇଛି ବିବାଦ। ଏନେଇ ସୋମବାରଠାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମାର୍କେଟ ବିଲ୍ଡିଂ ବନ୍ଦ ରହିବ। ମାର୍କେଟ ବିଲ୍ଡିଂ ପରିସରରେ ଥିବା ସ୍ଥାୟୀ ଓ ଅସ୍ଥାୟୀ ବିବାଦର ସମାଧାନ ହୋଇପାରିନାହିଁ ।ସମସ୍ୟା ସମାଧାନ ଲାଗି ସେଣ୍ଟ୍ରାଲ ମାର୍କେଟ ବ୍ୟବସାୟୀ ସଂଘ ପକ୍ଷରୁ ବିଏମସିକୁ ତିନି ଦିନ ସମୟ ଦିଆଯାଇଥିଲା। ୩ ଦିନ ମଧ୍ୟରେ ସମସ୍ୟାର ସମାଧାନ ନ ହେଲେ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଦୋକାନ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ।

ପ୍ରତିଶ୍ରୁତି ମୁତାବକ, ଉଠାଦୋକାନୀମାନଙ୍କୁ ବିଏମସି ଉଠାଇପାରିନଥିବାରୁ ଆଜିଠୁ ମାର୍କେଟ ବିଲ୍ଡିଂ ବନ୍ଦ ରଖିଛି ବ୍ୟବସାୟୀ ସଂଘ। ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ମାର୍କେଟ ବନ୍ଦ ରହିବ ବୋଲି କହିଛନ୍ତି ସେଣ୍ଟ୍ରାଲ ମାର୍କେଟ୍‌ ବ୍ୟବସାୟୀ ସଂଘ ସଭାପତି ପ୍ରଦ୍ୟୁମ୍ନ କୁମାର ଜେନା। ସେପଟେ ସଂଘର ଯୁଗ୍ମ ସମ୍ପାଦକ ରଣଜିତ୍ କୁମାର ମହାନ୍ତି କହିଛନ୍ତି, ଦୋକାନୀ ଓ ସେମାନଙ୍କ ପରିବାର ଭୁବନେଶ୍ୱର ମେୟରଙ୍କ ବାସଭବନ ଆଗରେ ପ୍ରତିବାଦ କରିବେ। ବିଏମସି ମେୟରଙ୍କ ଘର ଆଗରେ ମଧ୍ୟ ପ୍ରତିବାଦ କରାଯିବ ବୋଲି ସେ କହିଛନ୍ତି।

ବର୍ତ୍ତମାନ ୫୯ ଜଣ ହାଇକୋର୍ଟରୁ ରହିତାଦେଶ ଆଣିଛନ୍ତି। ତାଙ୍କୁ ଛାଡି ପ୍ରାୟ ୩୨୦ରୁ ଅଧିକ ଉଠାଦୋକାନୀ ମାର୍କେଟ ବିଲ୍ଡିଂ ଭିତରେ ବସୁଛନ୍ତି। ଫଳରେ ଅନ୍ୟ ବ୍ୟବସୀୟମାନେ ଅସୁବିଧାର ସମ୍ମୁଖିନ ହେଉଥିବା ନେଇ ଅଭିଯୋଗ ହେଉଛି। ତେଣୁ ସେମାନଙ୍କୁ ତୁରନ୍ତ ହଟାଇବାକୁ ସଂଘ ଦାବି କରିଛି।

Related Posts