ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଭୁବନେଶ୍ବର ସ୍ଥିତ ୟୁନିଟ୍ ୯ ସରକାରୀ ବାଳିକା ବିଦ୍ୟାଳୟରେ ତାଲା ପକାଇଲେ ଛାତ୍ରୀ ଓ ଅଭିଭାବକ । ସ୍କୁଲକୁ ବନ୍ଦ କରି ନିକଟସ୍ଥ ବାଳକ ବିଦ୍ୟାଳୟରେ ମିଶ୍ରଣ କରିବାକୁ ସରକାର ଯୋଜନା କରିଛନ୍ତି । ଏହାକୁ ତୀବ୍ର ବିରୋଧ କରି ଛାତ୍ରୀ ଓ ଅଭିଭାବକ ଶ୍ରେଣୀ ବର୍ଜନ କରି ଆନ୍ଦୋଳନରେ ବସିଛନ୍ତି । ତେବେ ୧୯୬୭ ମସିହାରେ ପ୍ରତିଷ୍ଠିତ ଏହି ସ୍କୁଲରେ ପାଖାପାଖି ୫ ଶହ ଛାତ୍ରୀ ପଢୁଥିବା ବେଳେ କାହିଁକି ବନ୍ଦ କରାଯିବ ବୋଲି ପ୍ରଶ୍ନ କରିଛନ୍ତି ଛାତ୍ରୀ ଓ ଅଭିଭାବକ ।
ସୂଚନାଯୋଗ୍ୟ ଯେ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରୁ ରମାଦେବୀ ଯୁକ୍ତ ୨ କଲେଜ ଅଲଗା କରିବାକୁ ବିଶ୍ୱବିଦ୍ୟାଳୟ କୁଳପତି ଶିକ୍ଷା ବିଭାଗ ଉପରେ ଚାପ ପକାଇଥିଲେ । ଆବଶ୍ୟକ ଶ୍ରେଣୀ ଗୃହ ନଥିବାରୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ପ୍ରଭାବିତ ହେଉଥିବା ନେଇ ଦର୍ଶାଇଥିଲେ । ଏହାପରେ ଗଣଶିକ୍ଷା ବିଭାଗ ପକ୍ଷରୁ ୟୁନିଟ୍ ୯ ବାଳିକା ହାଇସ୍କୁଲ ସହ ମିଶ୍ରଣ ନେଇ ଫେବୃଆରୀ ୧୬ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହାପରେ ଅଭିଭାବକମାନଙ୍କ ଅସନ୍ତୋଷ ପ୍ରକାଶ କରିଥିଲେ । ତତ୍କାଳୀନ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ଭେଟି ସ୍କୁଲ୍ ବନ୍ଦ ନକରିବାକୁ ଦାବିପତ୍ର ଦେଇଥିଲେ । ଏହାପରେ ତତ୍କାଳୀନ ଗଣଶିକ୍ଷା ମନ୍ତ୍ରୀ ଓ ଗଣଶିକ୍ଷା ବିଭାଗ ସଚିବ ବିଦ୍ୟାଳୟ ପରିଦର୍ଶନ କରିଥିଲେ । ୟୁନିଟ୍ ୯ ବାଳିକା ହାଇସ୍କୁଲକୁ ୟୁନିଟ୍ ୯ ହାଇସ୍କୁଲ୍ ସହ ମିଶ୍ରଣ ନକରିବାକୁ ପ୍ରତିଶ୍ରୁତି ଦେଇଥିଲେ ।
ସ୍କୁଲ୍ ମିଶ୍ରଣ ନ କରିବାକୁ ଜୁନ୍ ୧୬ ତାରିଖରେ ନିଷ୍ପତ୍ତି ହୋଇଥିଲା । ଏନେଇ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଚିଠି ଲେଖିଥିଲେ । କିନ୍ତୁ ହଠାତ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ୟୁନିଟ୍ ୯ ବାଳିକା ହାଇସ୍କୁଲକୁ ୟୁନିଟ୍ ୯ ହାଇସ୍କୁଲ ସହ ମିଶ୍ରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏଥିସହ ବାଳିକା ହାଇସ୍କୁଲରେ ରମାଦେବୀ ଯୁକ୍ତ ୨ କଲେଜ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ଏନେଇ ଗଣଶିକ୍ଷା ବିଭାଗର ସ୍ୱତନ୍ତ୍ର ସଚିବଙ୍କୁ ଚିଠି ଲେଖିଛନ୍ତି ।
ଜୁନ୍ ୨୭ ତାରିଖରେ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ, ଗଣଶିକ୍ଷା ବିଭାଗର ସ୍ୱତନ୍ତ୍ର ସଚିବ, ରମାଦେବୀ ବିଶ୍ୱବିଦ୍ୟାଳୟ କୁଳପତି, ଯୁକ୍ତ ୨ କଲେଜ ଅଧ୍ୟକ୍ଷା ୟୁନିଟ୍ ୯ ବାଳିକା ହାଇସ୍କୁଲ ପରିଦର୍ଶନ କରିଥିଲେ । ଏଥିସହ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ, ଉଚ୍ଚ ମାଧ୍ୟମିକ ଶିକ୍ଷା ଯୁଗ୍ମ ନିର୍ଦ୍ଦେଶକ, ଭୁବନେଶ୍ୱର ବ୍ଲକ୍ ଶିକ୍ଷା ଅଧିକାରୀ ଓ ରମାଦେବୀ ଯୁକ୍ତ ୨ କଲେଜ ଅଧ୍ୟକ୍ଷାଙ୍କ ସମେତ ୨ ବରିଷ୍ଠ ଅଧ୍ୟାପକ ୟୁନିଟ୍ ୯ ବାଳିକା ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଭେଟିବା ସହ ସ୍କୁଲର କ୍ଲାସ୍ରୁମ୍ ଓ ଭିତ୍ତିଭୂମି ଦେଖିଥିଲେ । ଏହାପରେ ଏଠାରେ ଯୁକ୍ତ ୨ କଲେଜ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ହୋଇଥିଲା ।
ପ୍ରଥମ ପର୍ଯ୍ୟାୟରେ କଳା ଓ ବାଣିଜ୍ୟର ବିଭାଗକୁ ସ୍ଥାନାନ୍ତରିତ କରାଯିବ । ବିଜ୍ଞାନ ପାଇଁ ଭିତ୍ତିଭୂମି ନ ଥିବାରୁ ଏଠାରେ ନୂଆ ବିଲ୍ଡିଂ ନିର୍ମାଣ ହେବା ସହ ଲ୍ୟାବ୍ ସୁବିଧା କରାଯିବ । ନିର୍ମାଣ କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟ ପରିସରରେ ବିଜ୍ଞାନ ପଢ଼ାଯିବ ବୋଲି ନିଷ୍ପତ୍ତି ହୋଇଛି । ଏଥିସହ ୟୁନିଟ୍ ୯ ବାଳିକା ହାଇସ୍କୁଲକୁ ୟୁନିଟ୍ ୯ ହାଇସ୍କୁଲ୍ ସହ ମିଶ୍ରଣ କରାଯିବ । ଏଠାରେ ପଢ଼ାଉଥିବା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ୟୁନିଟ୍ ୯ ହାଇସ୍କୁଲକୁ ବଦଳି କରାଯିବ । ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଅନ୍ୟତ୍ର ବଦଳି କରାଯିବ ବୋଲି ନିଷ୍ପତ୍ତି ହୋଇଛି ।





