ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଭୁବନେଶ୍ୱର ୟୁନିଟ-୨ ମାର୍କେଟ୍ ବିଲ୍ଡିଂ ବନ୍ଦ ପ୍ରସଙ୍ଗରେ ସମୟ ମାଗିଲେ ବିଏମସି କମିଶନର । ଏହାସହିତ ଉଭୟ ପକ୍ଷଙ୍କୁ ସହଯୋଗ କରିବାକୁ ଅନୁରୋଧ କଲେ କମିଶନର୍ ବିଜୟ ଅମୃତଲାଲ କୁଲାଙ୍ଗେ । ପୂର୍ବରୁ ୨ ଥର ମାର୍କେଟ୍ ବିଲ୍ଡିଂ କର୍ମକର୍ତାଙ୍କ ସହ ବୈଠକ ହୋଇଛି । ସେଠାରେ କିଛି ଆଇନଗତ ସମସ୍ୟା ଥିବାରୁ ଟିକେ ସମୟ ଦରକାର ବୋଲି କହିଛନ୍ତି ବିଏମସି କମିଶନର ।
ମାର୍କେଟ୍ ବିଲ୍ଡିଂରେ ସ୍ଥାୟୀ ଓ ଅସ୍ଥାୟୀ ବ୍ୟବସାୟୀ ସଂଘ ଭିତରେ କିଛି ଦିନ ଧରି ବିବାଦ ଲାଗି ରହିଛି । ଉଠା ଦୋକାନୀଙ୍କୁ ମାର୍କେଟ ବିଲ୍ଡିଂରୁ ଉଠାଇବା ପାଇଁ ଦାବି କରି ଧାରଣା ଦେଇଛନ୍ତି ମାର୍କେଟ ବ୍ୟବସାୟୀ ସଂଘ । ମାର୍କେଟ ବିଲ୍ଡିଂ ପରିସରରେ ଥିବା ସ୍ଥାୟୀ ଓ ଅସ୍ଥାୟୀ ବିବାଦର ସମାଧାନ ହୋଇପାରିନାହିଁ । ମସସ୍ୟା ସମାଧାନ ଲାଗି ସେଣ୍ଟ୍ରାଲ ମାର୍କେଟ ବ୍ୟବସାୟୀ ସଂଘ ପକ୍ଷରୁ ବିଏମସିକୁ ତିନି ଦିନ ସମୟ ଦିଆଯାଇଥିଲା ।
ପ୍ରତିଶ୍ରୁତି ମୁତାବକ, ଉଠାଦୋକାନୀମାନଙ୍କୁ ବିଏମସି ଉଠାଇପାରିନଥିବାରୁ ଆଜିଠୁ ମାର୍କେଟ ବିଲ୍ଡିଂ ବନ୍ଦ ରଖିଛି ବ୍ୟବସାୟୀ ସଂଘ । ମସସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ମାର୍କେଟ ବନ୍ଦ ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି । ଉଠାଦୋକାନୀଙ୍କ ମଧ୍ୟରେ ଅଧିକାଂଶ ବାହାର ରାଜ୍ୟର ଲୋକ ରହିଛନ୍ତି । ବିଏମସିର ଅଧିକାରୀଙ୍କ ସମ୍ପୃକ୍ତି ଯୋଗୁଁ ବେଆଇନ ଭାବେ ଏଠାରେ ଉଠାଦୋକାନୀମାନେ ବସୁଥିବା ସଂଘ ଅଭିଯୋଗ କରିଛନ୍ତି ।





