ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଗତ ପାଞ୍ଚ ବର୍ଷରେ ସାରା ଦେଶରେ ଦାରିଦ୍ର୍ୟ ଦୂରୀକରଣରେ ବଡ଼ ଧରଣର ସଫଳତା ମିଳିଛି। ସାରା ଦେଶରେ ରେକର୍ଡ ୧୩.୫ କୋଟି ଲୋକ ଦାରିଦ୍ର୍ୟ ସୀମାରେଖାରୁ ମୁକ୍ତି ପାଇଛନ୍ତି। ସେହି ସମୟରେ ଓଡ଼ିଶାରେ ୬୨ ଲକ୍ଷ ୬୨ ହଜାର ୮୫୨ ଜଣ ଲୋକ ଦାରିଦ୍ର୍ୟମୁକ୍ତ ହୋଇଥିବା ନିତି ଆୟୋଗ ରିପୋର୍ଟରୁ ଜଣାପଡ଼ିଛି। ଆର୍ଥିକ ବର୍ଷ ୨୦୧୫-୧୬ରୁ ୨୦୧୯-୨୦ ମଧ୍ୟରେ ଏହି ସଫଳତା ମିଳିଛି।
ଓଡ଼ିଶାରେ ଦାରିଦ୍ର୍ୟ ହାର ଏହି ସମୟରେ ୨୯.୩୪ ପ୍ରତିଶତରୁ ୧୫.୮୬ ପ୍ରତିଶତକୁ ହ୍ରାସ ପାଇଛି। ସେହିପରି ଗ୍ରାମୀଣ ଦାରିଦ୍ର୍ୟ ହାର ୩୨.୬୪ ପ୍ରତିଶତରୁ ୧୭.୭୨ ପ୍ରତିଶତକୁ ଖସିଥିବା ବେଳେ ସହରାଞ୍ଚଳରେ ସେହି ହାର ୧୨.୩୨ ପ୍ରତିଶତରୁ ୫.୪୨ ପ୍ରତିଶତକୁ ହ୍ରାସ ପାଇଛି। ନିତି ଆୟୋଗ ଜାରି କରିଥିବା ‘ଜାତୀୟ ବହୁମୁଖୀ ଦାରିଦ୍ର୍ୟ ସୂଚୀ: ଏକ ଅଗ୍ରଗତି ସମୀକ୍ଷା ୨୦୨୩’ ରିପୋର୍ଟ ଅନୁସାରେ ଜିଲ୍ଲାଗୁଡ଼ିକ ମଧ୍ୟରେ ମାଲକାନାଗିରି ଦାରିଦ୍ର୍ୟ ହାର ରାଜ୍ୟରେ ସର୍ବାଧିକ ୪୫.୦୧ ପ୍ରତିଶତ ଥିବା ବେଳେ ପୁରୀରେ ସର୍ବନିମ୍ନ ୩.୨୯ ପ୍ରତିଶତ ରହିଛି। ସେହିପରି ରାୟଗଡ଼ାରେ ଦାରିଦ୍ର୍ୟ ହାର ୩୪.୦୩ ପ୍ରତିଶତ, କୋରାପୁଟରେ ୩୩.୫୪ ପ୍ରତିଶତ, ନବରଙ୍ଗପୁରରେ ୩୩.୪୫ ପ୍ରତିଶତ ଓ ମୟୂରଭଞ୍ଜରେ ୩୦.୫୭ ପ୍ରତିଶତ ରହିଛି। ରିପୋର୍ଟରେ ସ୍ପଷ୍ଟ କରାଯାଇଛି ଯେ ୨୦୧୫-୧୬ ତୁଳନାରେ ୨୦୨୯-୨୦ରେ ରାଜ୍ୟର ସବୁ ଜିଲ୍ଲାରେ ଦାରିଦ୍ର୍ୟ ଭିତରେ କାଳ କାଟୁଥିବା ଲୋକଙ୍କ ସଂଖ୍ୟା କମ୍ ହୋଇଛି। ପୁରୀ, ଜଗତସିଂହପୁର, ଖୋର୍ଦ୍ଧା, କଟକ, ଗଞ୍ଜାମ, ନୟାଗଡ଼, ଝାରସୁଗୁଡ଼ା, ସୋନପୁର, କେନ୍ଦ୍ରାପଡ଼ା, ବଲାଙ୍ଗୀର ଓ ସମ୍ବଲପୁରରେ ଦାରିଦ୍ର୍ୟ ହାର ୧୦ ପ୍ରତିଶତରୁ କମ୍ ରହିଛି। ଅନ୍ୟ ଜିଲ୍ଲାଗୁଡ଼ିକରେ ଏହି ହାର ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟାରେ ରହିଛି।
ତେବେ ସର୍ବଭାରତୀୟ ସ୍ତରରେ ଓଡିଶା ସମେତ ଉତ୍ତର ପ୍ରଦେଶ, ବିହାର, ମଧ୍ୟ ପ୍ରଦେଶ ଓ ରାଜସ୍ଥାନରେ ଦ୍ରୁତ ଗତିରେ ଦାରିଦ୍ର୍ୟ ହ୍ରାସ ପାଇଥିବା ରିପୋର୍ଟରେ ଦର୍ଶାଯାଇଛି। ଉତ୍ତର ପ୍ରଦେଶରେ ସର୍ବାଧିକ ୩.୪୩ କୋଟି ଲୋକ ଦାରିଦ୍ର୍ୟରୁ ମୁକୁଳିଛନ୍ତି। ୨୦୧୫-୧୬ରୁ ୨୦୧୯-୨୦ ମଧ୍ୟରେ ଭାରତରେ ଦାରିଦ୍ର୍ୟ ହାର ୨୪.୮୫ ପ୍ରତିଶତରୁ ୧୪.୯୬ ପ୍ରତିଶତକୁ ହ୍ରାସ ପାଇଛି। ଗ୍ରାମାଞ୍ଚଳ ଦାରିଦ୍ର୍ୟ ହାର ୩୨.୫୯ ପ୍ରତିଶତରୁ ୧୯.୨୮ ପ୍ରତିଶତକୁ ଓ ସହରାଞ୍ଚଳ ଦାରିଦ୍ର୍ୟ ହାର ୮.୬୫ ପ୍ରତିଶତରୁ ୫.୨୭ ପ୍ରତିଶତକୁ ହ୍ରାସ ପାଇଛି। ସ୍ବଚ୍ଛତା ଓ ପରିମଳ, ପୁଷ୍ଟି, ରୋଷେଇ ଇନ୍ଧନ, ଆର୍ଥିକ ଅନ୍ତର୍ଭୁକ୍ତୀକରଣ, ପାନୀୟ ଜଳ ଓ ବିଦ୍ୟୁତ ଯୋଗାଣ ଉପରେ ସରକାର ଗୁରୁତ୍ବ ପ୍ରଦାନ କରିଥିବାରୁ ଦାରିଦ୍ର୍ୟ ଦ୍ରୁତ ଗତିରେ ହ୍ରାସ ପାଇଛି ବୋଲି ରିପୋର୍ଟରେ କୁହାଯାଇଛି।
ନୀତି ଆୟୋଗର ଉପାଧ୍ୟକ୍ଷ ସୁମନ ବେରି ଏହି ରିପୋର୍ଟକୁ ଆଜି ଉନ୍ମୋଚନ କରିଥିଲେ। ସ୍ବାସ୍ଥ୍ୟ, ଶିକ୍ଷା, ଜୀବନଧାରଣ ମାନ ଭଳି ୧୨ଟି ଗୁରୁତ୍ବପୂର୍ଣ୍ଣ ମାନଦଣ୍ଡ ଆଧାରରେ ନିତି ଆୟୋଗ ଏହି ରିପୋର୍ଟ ପ୍ରସ୍ତୁତ କରିଛି। ରିପୋର୍ଟକୁ ତିନି ଆୟୋଗ ଉପାଧ୍ୟକ୍ଷ ସୁମନ ବେରି ଉନ୍ମୋଚନ କରିଛନ୍ତି।





