ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପରଲୋକରେ କଂଗ୍ରେସର ବରିଷ୍ଠ ନେତା ତଥା କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମେନ ଚାଣ୍ଡି । ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା। ଓମେନ ଚାଣ୍ଡିଙ୍କ ମୃତ୍ୟୁ ନେଇ ତାଙ୍କ ପୁଅ ସୂଚନା ଦେଇଛନ୍ତି ।
ଅସୁସ୍ଥତା ହେତୁ ଓମେନ ଚାଣ୍ଡି ଦୀର୍ଘଦିନ ଧରି ଚିକିତ୍ସାଧିନ ଥିଲେ । ୨୦୧୯ ପରଠାରୁ ଅସୁସ୍ଥତା କାରଣରୁ ଓମେନ ଚାଣ୍ଡି ଚିକିତ୍ସିତ ହେଉଥିବା ବେଳେ ରବିବାର ତାଙ୍କୁ ବେଙ୍ଗାଲୁରୁକୁ ଏୟାରଲିଫ୍ଟ କରାଯାଇଥିଲା । ମାତ୍ର ସେଠାରେ ଡାକ୍ତରଙ୍କ ସମସ୍ତ ଚେଷ୍ଟା ସତ୍ତ୍ୱେ ବେଙ୍ଗାଲୁରୁରେ ତାଙ୍କର ପରଲୋକ ଘଟିଛି ।
ସୂଚନାଯୋଗ୍ୟ ଯେ, ଓମେନ ଚାଣ୍ଡି କଂଗ୍ରେସର ଜଣେ ବରିଷ୍ଠ ନେତା ହୋଇଥିବା ବେଳେ ଦୁଇ ଦୁଇ ଥର କେରଳରେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିଛନ୍ତି। । ସେ ୨୦୦୪ରୁ ୨୦୦୬ ମସିହା ପର୍ଯ୍ୟନ୍ତ ଓ ୨୦୧୧ରୁ ୨୦୧୬ ମସିହା ପର୍ଯ୍ୟନ୍ତ କେରଳ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ ।
ଓମେନ ଚାଣ୍ଡିଙ୍କ ବିୟୋଗରେ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ସମେତ ସାରା ଦେଶରୁ ଅନେକ ନେତା ଦୁଃଖ ପ୍ରକାଶ କରିବା ସହିତ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି |





