ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ୨୦୨୪ ନିର୍ବାଚନରେ ବିଜେପିକୁ ମାତ ଦେବାକୁ ୨୬ଟି ବିରୋଧୀ ଦଳ ବେଙ୍ଗାଲୁରୁରେ ବୈଠକ କରୁଛନ୍ତି। ୨୬ଟି ଦଳ ଏକାଠି ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ହେବେ, ତା’କୁ ନେଇ ଚର୍ଚ୍ଚା ଜୋର ଧରିଛି। ଏସବୁ ଭିତରେ ବିରୋଧୀ ବୈଠକରେ କଂଗ୍ରେସ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ସମ୍ପର୍କରେ ବଡ଼ ଘୋଷଣା କରିଛି। କଂଗ୍ରେସ କ୍ଷମତା କିମ୍ବା ପ୍ରଧାନମନ୍ତ୍ରୀ ପଦ ପାଇଁ ଆଦୌ ଇଚ୍ଛା ରଖି ନାହିଁ ବୋଲି ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ବୈଠକରେ ସ୍ପଷ୍ଟ କରିଛନ୍ତି।
ଖଡଗେ କହିଛନ୍ତି, “କଂଗ୍ରେସ ଆଦୌ କ୍ଷମତା କିମ୍ବା ପ୍ରଧାନମନ୍ତ୍ରୀ ପଦ ପାଇଁ ଇଚ୍ଛା ରଖିନାହିଁ। ନିଜ ପାଇଁ କ୍ଷମତା ଦଖଲ କରିବା ଉଦ୍ଦେଶ୍ୟରେ ଆମର ଏହି ବୈଠକ ନୁହେଁ। ସମ୍ବିଧାନ,ଗଣତନ୍ତ୍ର, ଧର୍ମନିରପେକ୍ଷ ଓ ସାମାଜିକ ନ୍ୟାୟର ସୁରକ୍ଷା ପାଇଁ ଏହି ବୈଠକ କରାଯାଉଛି। ମୁଁ ଚେନ୍ନାଇରେ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ଜନ୍ମଦିନରେ ମଧ୍ୟ କଂଗ୍ରେସ ପ୍ରଧାନମନ୍ତ୍ରୀ ପଦ ପାଇଁ ଆଦୌ ଇଚ୍ଛା ରଖି ନଥିବା କହିଥିଲି।”
ଏହାସହିତ ବିଜେପିକୁ ଟାର୍ଗେଟ କରି ଖଡଗେ କହିଛନ୍ତି, “ଆମେ ୨୬ଟି ଦଳ। ୧୧ଟି ରାଜ୍ୟରେ ଆମମାନଙ୍କର ସରକାର ରହିଛି। ବିଜେପି ଏକାକୀ ୩୦୩ ଆସନ ଆଉ ଜିତି ପାରିବ ନାହିଁ। ବିଜେପି ସହଯୋଗୀମାନଙ୍କ ଭୋଟକୁ ବ୍ୟବହାର କରିବ। ଏହାପରେ ସେମାନଙ୍କ ଠାରୁ ସମ୍ପର୍କ ତୁଟାଇ ଦେବ। ଆମେ ଭଲ ଭାବେ ଜାଣିଛୁ ଯେ ରାଜ୍ୟସ୍ତରରେ ଆମମାନଙ୍କ ମଧ୍ୟରୁ କିଛି ଜଣଙ୍କ ମଧ୍ୟରେ ମତପାର୍ଥକ୍ୟ ରହିଛି। ଏହି ମତପାର୍ଥକ୍ୟ ବିଚାରଧାରାଗତ ନୁହେଁ। ମତପାର୍ଥକ୍ୟ ଏତେ ବଡ଼ ନୁହେଁ ଯେ ଆମେ ସାଧାରଣ ଲୋକ, ମଧ୍ୟବିତ୍ତ, ଯୁବପିଢ଼ି, ଗିରବ, ଦଳିତ, ଆଦିବାସୀ ଓ ସଂଖ୍ୟାଲଘୁଙ୍କ ଅଧିକାରର ସୁରକ୍ଷା ପାଇଁ ଏହାକୁ ଭୁଲି ପାରିବୁ ନାହିଁ। ଆମେ ନିଶ୍ଚିତ ମତପାର୍ଥକ୍ୟର ସମାଧାନ କରିବୁ।”
ବେଙ୍ଗାଲୁରୁରେ ଚାଲିଥିବା ବିରୋଧୀଙ୍କ ମହାବୈଠକରେ ଖଡେଗଙ୍କ ବ୍ୟତୀତ ସୋନିଆ ଗାନ୍ଧି, ରାହୁଲ ଗାନ୍ଧି, ଷ୍ଟାଲିନ, ନୀତୀଶ କୁମାର, ଅରବିନ୍ଦ କେଜ୍ରିୱାଲ, ହେମନ୍ତ ସୋରେନ, ମମତା ବାନାର୍ଜୀ ଓ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ଭଳି ହେଭିୱେଟ ଯୋଗ ଦେଇଛନ୍ତି।
ସେପଟେ ଏହି ବୈଠକରେ ଆଉ ଏକ ବଡ଼ ଘୋଷଣା ମଧ୍ୟ ହୋଇଛି | ପୂର୍ବରୁ ଏହି ବିରୋଧୀ ମେଣ୍ଟକୁ ୟୁନାଇଟେଡ୍ ପ୍ରୋଗ୍ରେସ୍ ଆଲିଆନ୍ସ (ୟୁପିଏ)କୁହାଯାଉଥିବା ବେଳେ ଏବେ ଏହି ମେଣ୍ଟର ନାମ ପରିବର୍ତ୍ତନ କରାଯାଇଛି । ଆଜି ବେଙ୍ଗାଲୁରୁରେ ଅନୁଷ୍ଠିତ ହୋଇଥିବା ବିରୋଧୀ ବୈଠକରେ ମେଣ୍ଟର ନୂତନ ନାମ ସ୍ଥିର ହୋଇଛି। ଏହି ବୈଠକରେ ୟୁପିଏର ନୂଆ ନାମ ‘ଇଣ୍ଡିଆ’ ରଖାଯାଇଛି। ଏଣିକି ଇଣ୍ଡିଆନ୍ ନେସ୍ନାଲ୍ ଡେମୋକ୍ରାଟିକ ଇନ୍କ୍ଲୁସିଭ୍ ଆଲିଆନ୍ସ (ଇଣ୍ଡିଆ) ନାମରେ ଏହି ମେଣ୍ଟ ଦଳକୁ ଜଣାଯିବ ବୋଲି ସୂଚନା ଦିଆଯାଇଛି |





