ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍ଆଇ)ର ସଭାପତି ତଥା ବିଜେପି ନେତା ଓ ସାଂସଦ ବ୍ରିଜଭୂଷଣ ଶରଣ ସିଂହଙ୍କୁ ଯୌନ ନିର୍ଯାତନା ମାମଲାରେ ଅନ୍ତରୀଣ ଜାମିନ୍। ଦିଲ୍ଲୀର ରାଉଜ ଏଭିନ୍ୟୁ କୋର୍ଟ ମଙ୍ଗଳବାର ମହିଳା ରେସଲରଙ୍କ ଯୌନ ଉତ୍ପୀଡନ ମାମଲାର ଶୁଣାଣି କରି ବ୍ରିଜଭୂଷଣ ଓ ଡବ୍ଲ୍ୟୁଏଫ୍ଆଇ ଅଧିକାରୀ ବିନୋଦ ତୋମରଙ୍କୁ ୨ ଦିନିଆ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। କୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୨୦ ତାରିଖରେ କରିବେ।
ବ୍ରିଜଭୂଷଣ ସିଂହ ଏବଂ ବିନୋଦ ତୋମାରଙ୍କ ବିରୋଧରେ ନିକଟରେ ଏକ ୧୦୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ ହୋଇଥିଲା। ତାଙ୍କ ଉପରେ ମଧ୍ୟ ମୋଟ ୬ଟିରୁ ୨ଟି ମାମଲା ରହିଛି। ତାଙ୍କୁ ବ୍ରିଜଭୂଷଣଙ୍କ ସହିତ ଅଭିଯୁକ୍ତ କରାଯାଇଛି। ଦୁଇଟି ମାମଲାରେ ରେସଲରମାନେ ଅଭିଯୋଗ କରିଛନ୍ତି ଯେ, ବ୍ରିଜ ଭୂଷଣ ତାଙ୍କୁ ଏଭଳି ସମୟରେ ସାକ୍ଷାତ କରୁଥିଲେ, ଯେତେବେଳେ ସେ ଏକୁଟିଆ ଥିଲେ। ବହୁବାର ତାଙ୍କ ସ୍ବାମୀ ଓ ପରିବାର ଲୋକଙ୍କୁ ବ୍ରିଜଭୂଷଣଙ୍କ ଅଫିସ ବାହାରେ ରୋକି ଦିଆଯାଉଥିଲା।
ଏ ସବୁ ମାମଲା ବ୍ୟତୀତ ଜଣେ ନାବାଳିକା କୁସ୍ତିଯୋଦ୍ଧାଙ୍କ ଅଭିଯୋଗ ଆଧାରରେ ବ୍ରିଜଭୂଷଣ ସିଂହଙ୍କ ବିରୋଧରେ ଆଉ ଏକ ଏଫ୍ଆଇଆର୍ ରୁଜୁ କରାଯାଇଥିଲା, ଯାହା କି ଯୌନ ଅପରାଧରୁ ଶିଶୁ ସୁରକ୍ଷା (ପୋକ୍ସୋ) ଆଇନ ଅନୁଯାୟୀ ରୁଜୁ ହୋଇଥିଲା। ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିବା ୭ ଜଣ ମହିଳା କୁସ୍ତିଯୋଦ୍ଧାଙ୍କ ମଧ୍ୟରେ ସେ ଥିଲେ। ବ୍ରିଜଭୂଷଣ ଶରଣ ସିଂହ ଯୌନ ଶୋଷଣର ସମସ୍ତ ଅଭିଯୋଗକୁ ଖଣ୍ଡନ କରିଥିଲେ। ଉଲ୍ଲେଖଯୋଗ୍ୟ, ଯୌନ ନିର୍ଯାତନା, ଅପରାଧିକ ଧମକ ଏବଂ ପିଛା କରିବା ଅଭିଯୋଗରେ ଦିଲ୍ଲୀ ପୁଲିସ ଜୁନ୍ ୧୫ ତାରିଖରେ ୬ ଥର ସାଂସଦ ଥିବା ବ୍ରିଜଭୂଷଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲା।
ଅନେକ ମହିଳା କୁସ୍ତିଯୋଦ୍ଧାଙ୍କ ଅଭିଯୋଗକୁ ନେଇ ଅନ୍ତର୍ଜାତୀୟସ୍ତରରେ ହଇଚଇ ସୃଷ୍ଟି ହେବା ପରେ ପୁଲିସ୍ ଏହି ଚାର୍ଜସିଟ୍ ଦାଖଲ କରିଥିଲା। ଚାର୍ଜସିଟ୍ ଅନୁଯାୟୀ, ଅଭିଯୋଗକାରୀଙ୍କ ଦାବିକୁ ପ୍ରମାଣ କରିବା ପାଇଁ କୌଣସି ଡିଜିଟାଲ୍ କିମ୍ବା କଲ୍ ଡିଟେଲ୍ ରେକର୍ଡ ନାହିଁ ବୋଲି କୁହାଯାଇଥିଲା। ତେବେ ଦିଲ୍ଲୀ ପୁଲିସ କହିଥିଲା ଯେ ଡବ୍ଲ୍ୟୁଏଫଆଇ ଏବଂ ଅଭିଯୋଗକାରୀଙ୍କ ଠାରୁ ସଂଗ୍ରହ କରାଯାଇଥିବା ଫଟୋ ଅପରାଧ ଘଟିଥିବା ଘଟଣାରେ ସିଂହଙ୍କ ଉପସ୍ଥିତିକୁ ପ୍ରମାଣିତ କରୁଛି।





