୨୦୨୪ରେ NDA ବନାମ୍ INDIA ଲଢ଼େଇ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ୨୦୨୪ରେ NDA ବନାମ୍ INDIA ଲଢ଼େଇ । ଗୋଟିଏ ପଟେ ୩୮ ଦଳଙ୍କୁ ନେଇ ବିଜେପି ନେତୃତ୍ୱରେ ଶାସକ NDA ମେଣ୍ଟ ଅନ୍ୟପଟେ ୨୬ ବିରୋଧୀ ଦଳଙ୍କ ମହାମେଣ୍ଟ । ଦୁଇଦିନ ଧରି ୨୬ଟି ବିରୋଧୀ ଦଳଙ୍କୁ ନେଇ ବେଙ୍ଗଳୁରୁରେ ଚାଲିଥିବା ମାନସମନ୍ଥନରୁ ନିଷ୍କର୍ସ ବାହାରିଛି। ଆଗାମୀ ସାଧାରଣ ନିର୍ବାଚନରେ ବିଜେପିକୁ ମାତ୍ ଦେବାକୁ ଏକାଠି ହୋଇଛନ୍ତି ବିରୋଧୀ। ଆଉ ମେଣ୍ଟର ନୂଆ ନାଁ ଦିଆଯାଇଛି ଇଣ୍ଡିଆନ୍ ନ୍ୟାସନାଲ ଡେଭଲପମେଣ୍ଟାଲ୍ ଇନକ୍ଲୁସିଭ୍ ଆଲାଏନ୍ସ ବା ଇଣ୍ଡିଆ ।

ଏସଂପର୍କରେ ସୂଚନା ଦେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡ଼ଗେ କହିଛନ୍ତି ଯେ, ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ପାଇଁ ୨୬ଟି ଯାକ ଦଳର ମନ ମିଶିଛି। ବିଚାରଧାରାରେ ଭିନ୍ନତା ଥିଲେ ବି ସମ୍ବିଧାନର ରକ୍ଷା ପାଇଁ ଏହି ନୂଆ ମେଣ୍ଟର ଗଠନ ହୋଇଛି। ଏହାର ଆଗାମୀ ବୈଠକ ମୁମ୍ବାଇରେ ହେବ। ସେଠାରେ ଆଗାମୀ ରଣନୀତି ପାଇଁ ୧୧ ଜଣିଆ କୋର୍ଡିନେସନ କମିଟି ଗଠନ କରାଯିବ ବୋଲି ଖାଡ଼ଗେ କହିଛନ୍ତି।

ସେପଟେ NDA ବନାମ୍ ଇଣ୍ଡିଆ ଲଢ଼େଇରେ କିଏ ହେବ ମୋଦିଙ୍କ ପ୍ରତିଦ୍ୱନ୍ଦ୍ୱୀ ? ଅର୍ଥାତ୍ କିଏ ବନିବ ବିରୋଧୀଙ୍କ ପ୍ରଧାନମନ୍ତ୍ରୀ ଚେହେରା? ଏନେଇ ସାରା ଦେଶରେ କଳ୍ପନାଜଳ୍ପନା ଲାଗିଥିବା ବେଳେ, କଂଗ୍ରେସ ବେଙ୍ଗାଳୁରୁ ବୈଠକରେ ବଡ ଘୋଷଣା କରିଛି। ଦଳ ପ୍ରଧାନମନ୍ତ୍ରୀ ପଦ ପାଇଁ ଆଗ୍ରହୀ ନଥିବା ସୋନିଆ ଓ ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ସ୍ପଷ୍ଟ କରିଛନ୍ତି ମଲ୍ଲିକାର୍ଜୁନ ଖାଡ଼ଗେ।

ସେପଟେ ବିରୋଧୀଙ୍କ ବୈଠକକୁ କାଉଣ୍ଟର କରିବା ପାଇଁ ଦିଲ୍ଲୀରେ ବସିଛି ଶାସକ ନ୍ୟାସନାଲ୍ ଡେମୋକ୍ରାଟିକ୍ ଆଲାଏନ୍ସ ବା NDA ର ବୈଠକ । ୩୮ଟି ସହଯୋଗୀ ଦଳଙ୍କୁ ନେଇ ଶକ୍ତି ପ୍ରଦର୍ଶନ କରିଛି ବିଜେପି। ମେଣ୍ଟର ୨୫ ବର୍ଷ ପୂର୍ତ୍ତି ଅବସରରେ ଅନୁଷ୍ଠିତ ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପ୍ରମୁଖ ଯୋଗ ଦେଇଛନ୍ତି। ଚଳିତଥର NDA ବୈଠକରେ ଅନେକ ଛୋଟ ଛୋଟ ଦଳଙ୍କ ସହିତ କିଛି ନୂଆ ସାଥୀ ମଧ୍ୟ ଯୋଗ ଦେଇଛନ୍ତି। ଏଥିରେ ସାମିଲ ହୋଇଥିବା ଚର୍ଚ୍ଚିତ ସହଯୋଗୀଙ୍କ ମଧ୍ୟରେ ଶିବସେନାର ଏକନାଥ ସିନ୍ଦେ ଏବଂ NCPର ଅଜିତ ପାୱାର ରହିଛନ୍ତି।

ସେପଟେ NDA ବୈଠକରେ ବିରୋଧୀଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ବିରୋଧୀ ଦଳ ଗୁଡ଼ିକୁ ଦୁର୍ନୀତିଖୋର୍ ବୋଲି କହିବା ସହିତ, ଦେଶର କଲ୍ୟାଣ ଅପେକ୍ଷା ବ୍ୟକ୍ତିଗତ ସ୍ୱାର୍ଥକୁ ସେମାନେ ଅଧିକ ଗୁରୁତ୍ୱ ଦେଉଥିବା ମୋଦି କହିଛନ୍ତି। ଅଫ୍ ଦି ଫ୍ୟାମିଲି, ବାୟ ଦି ଫ୍ୟାମିଲି ଓ ଫର୍ ଦି ଫ୍ୟାମିଲି ବିରୋଧୀ ମେଣ୍ଟର ମୂଳମନ୍ତ୍ର ବୋଲି ମୋଦି କହିଛନ୍ତି।

ତେବେ ଗତକାଲି ୩୮ ଦଳକୁ ନେଇ ଦିଲ୍ଲୀରେ ଏନଡିଏ ଓ ୨୬ ବିରୋଧୀ ଦଳ ଏକାଠି ହୋଇ ଇଣ୍ଡିଆ ମେଣ୍ଟ ଗଠନ କରି ଶକ୍ତି ପ୍ରଦର୍ଶନ କରିଥିବାବେଳେ ୨୪ ନିର୍ବାଚନରେ କେଉଁ ମେଣ୍ଟ କାହା ଉପରେ ଭାରି ପଡ଼ୁଛି ତାହାରି ଉପରେ ଏବେ ସାରା ଦେଶର ନଜର।

Related Posts