ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମଣିପୁରରେ ୨ ମହିଳାଙ୍କ ସହ ବର୍ବରୋଚିତ ଆଚରଣ କରିଥିବା ଏକ ମୁଖ୍ୟ ଅଭିଯୁକ୍ତର ଘରକୁ ଉତ୍ତ୍ୟକ୍ତ ଲୋକମାନେ ପୋଡି ଦେଇଛନ୍ତି। ଏହି ଘଟଣା ଚେକମାଇ ଅଞ୍ଚଳରେ ଘଟିଛି। ଅଚାନକ କିଛି ବିକ୍ଷୋଭକାରୀ ଆସି ଅଭିଯୁକ୍ତର ଘରେ ନିଆଁ ଲଗାଇଦେଇଥିଲେ । ଏହାର ଭିଡିଓ ମଧ୍ୟ ଭାଇରାଲ ହେଉଛି, ଯେଉଁଥିରେ ଅନେକ ମହିଳା ଏକତ୍ରିତ ଭାବରେ ମୁଖ୍ୟ ମୁଖ୍ୟ ଅଭିଯୁକ୍ତ ଖୁୟରୁମ ହେରାଦାସର ଘରକୁ ନିଆଁ ଲଗାଇ ପୋଡି ଦେଉଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ନିକଟରେ ମଣିପୁରରେ ୨ ମହିଳାଙ୍କୁ ଉଲଗ୍ନ କରି ବିଚ୍ ରାସ୍ତାରେ ଚଲାଇବା ସହ ପଶୁ ଭଳି ବ୍ୟବହାର କରିବାର ଭିଡିଓ ଭାଇରାଲ ହୋଇଥିଲା । ଯାହାକୁ ନେଇ ସାରା ଦେଶରେ ଆଲୋଡନ ସୃଷ୍ଟି ହେବା ପରେ ମୁଖ୍ୟ ଦୁଇ ଅଭିଯୁକ୍ତଙ୍କୁ ଗୁରୁବାର ଥାଉବଲ ଜିଲ୍ଲାରୁ ଗିରଫ କରାଯାଇଥିଲା ।
ଗତ ମେ ୪ ତାରିଖରେ ମଣିପୁର କାଙ୍ଗପୋକପି ଜିଲ୍ଲାରେ ମୈତେଇ ସମ୍ପ୍ରଦାୟର କିଛି ଲୋକ, କୁକି ସମ୍ପ୍ରଦାୟର ଦୁଇଜଣ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇ ଚଲାଇ ନେବା ଏବଂ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ମହିଳାଙ୍କୁ ନିର୍ଯାତନା ସମୟର ଭିଡିଓ ଭାଇରାଲ ହେବା ପରେ ସବୁଠି ତୀବ୍ର ହେଉଛି ବିରୋଧର ସ୍ୱର । ଦୁଇ ମହିଳାଙ୍କୁ ସର୍ବସାଧାରଣରେ ନିର୍ଯାତନା ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କ ସହ ୪ ଗିରଫ ହୋଇଛନ୍ତି। ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ତିନି ଜଣଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ମିଳିଛି।
ଏନେଇ ମୁଖ୍ୟମନ୍ତ୍ରୀ ଏନ.ବିରେନ୍ ସିଂ କହିଛନ୍ତି, ସବୁ ଦୋଷୀଙ୍କୁ ଧରିବାକୁ ପଦକ୍ଷେପ ନିଆଯାଉଛି। କେବଳ ସେତିକି ନୁହେଁ, ଦୋଷୀ ଯେପରି ମୃତ୍ୟୁଦଣ୍ଡ ପାଇବେ ସେଥିପାଇଁ ପଦକ୍ଷେପ ନେଉଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।





