ମୋକିମ ଓ ଚିରଞ୍ଜୀବଙ୍କ ନିଲମ୍ବନ ପ୍ରତ୍ୟାହାର ଦାବି: କଂଗ୍ରେସ ଭବନରେ କର୍ମୀଙ୍କ ପ୍ରତିବାଦ ଓ ନାରାବାଜୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କଂଗ୍ରେସରୁ ବିଧାୟକ ମହମ୍ମଦ ମୋକିମ୍ ଓ ପୂର୍ବତନ କାର୍ଯ୍ୟକାରୀ ସଭାପତି ଚିରଞ୍ଜିବ ବିଶ୍ବାଳଙ୍କ ନିଲମ୍ବନକୁ ଜୋରଦାର ବିରୋଧ। ଦଳୀୟ ଶୃଙ୍ଖଳା ଭଙ୍ଗ ପାଇଁ ଉଭୟଙ୍କୁ ଦଳରୁ ନିଲମ୍ବନ କରାଯାଇଥିବା ବେଳେ ଏହାକୁ ଜୋରଦାର ବିରୋଧ କରିଛନ୍ତି ଉଭୟଙ୍କ ସମର୍ଥକ । ଏହି ନିଲମ୍ବନ ପଛରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ହାତ ଥିବା ଅଭିଯୋଗ ଆଣି ଆଜି କଂଗ୍ରେସ ଭବନରେ ଧସେଇ ପସି ହୋ ହାଲ୍ଲା କରିଛନ୍ତି ଉଭୟଙ୍କ ସମର୍ଥକ। ଏହି ସମୟରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ବିରୋଧରେ ନାରାବାଜି କରିବା ସହିତ ଆଗାମୀ ଦିନରେ ଅଣ୍ଡାମାଡ କରିବେ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି ।

ସେପଟେ ନିଲମ୍ବନ ପରେ ଉଭୟ ମୋକିମ ଓ ଚିରଞ୍ଜିବ ମଧ୍ୟ ନାଁ ନନେଇ ଏଥିପାଇଁ ପିସିସି ସଭାପତିଙ୍କୁ ଦାୟୀ କରିଥିଲେ। ଏନେଇ ଆଜି ଶରତ ପଟ୍ଟନାୟକଙ୍କ ପ୍ରତିକ୍ରିୟା ମିଳି ନଥିବାବେଳେ ଗତକାଲି ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ ସେ କହିଥିଲେ ଯେ, ଶୃଙ୍ଖଳା କମିଟି ରିପୋର୍ଟ ଆଧାରରେ ଉଭୟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ନିଲମ୍ବନ ନେଇ କାହାର ଯଦି କିଛି ଅଭିଯୋଗ ଥାଏ ତାହେଲେ ସେମାନେ ହାଇକମାଣ୍ଡ ଙ୍କ ପାଖକୁ ଯାଇ ପାରନ୍ତି ବୋଲି ଶରତ କହିଥିଲେ।

ତେବେ ପ୍ରଥମେ ସାମ୍ବାଦିକ ସମ୍ମିଳନୀ ଜରିଆରେ ଓ ଏବେ ସିଧାସଳଖ କଂଗ୍ରେସ ଭବନରେ ପସି ଏହି ନିଲମ୍ବାନକୁ ବିରୋଧ କରାଯାଇଥିବା ବେଳେ ଏହି ଘଟଣା କଂଗ୍ରେସ ରାଜନୀତିରେ ଆଗକୁ କେଉଁ ମୋଡ଼ ନେଉଛି ତାହାରି ଉପରେ ସମସ୍ତଙ୍କ ନଜର।

Related Posts