ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଗତକାଲିର ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ସକାଳ ସମୟରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବତ୍ତୀ ଓଡିଶା ଉପକୂଳ ସମୁଦ୍ର ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି | ଏହା ବର୍ତ୍ତମାନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ତତସଲଗ୍ନ ଓଡିଶା ଉପକୂଳରେ କେନ୍ଦ୍ରୀଭୂତ ଅଛି। ଏହା ସହ ଜଡିତ ଘୂର୍ଣ୍ଣିବଳୟ ବାୟୁମଣ୍ଡଳରେ ୭.୬ କିମି ଉଚ୍ଚତା ଯାଏଁ ସକ୍ରିୟ ରହିଛି। ଏହି ଲଘୁଚାପ କ୍ଷେତ୍ର ଆଗାମୀ ଦୁଇଦିନ ଯାଏଁ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଓଡିଶା ମଧ୍ୟ ଦେଇ ଗତି କରିବାର ସମ୍ଭାବନା ରହିଛି।
ଅନ୍ୟପକ୍ଷରେ ମୌସୁମୀ ନିମ୍ନ ଚାପ ରେଖା ଆଜି ରାଜସ୍ଥାନର ଯଶେଲରମରରୁ ବାହାରି ରୁହରକାଟା, ଗୁନା, ଦାରମା, ରାୟପୁରରୁ ଉତ୍ତର-ପଶ୍ଚିମ ପାର୍ଶ୍ୱବତ୍ତୀ ଓଡିଶା ଉପକୂଳରେ ସକ୍ରିୟ ଲଘୁଚାପର କେନ୍ଦ୍ର ମଧ୍ୟ ଦେଇ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଯାଏଁ ଲମ୍ବିଛି। ଏହା ବାୟୁମଣ୍ଡଳରର ୨.୧ କିମି ଉଚ୍ଚତା ଯାଏଁ ବ୍ୟାପିଛି।
ଏହାର ପ୍ରଭାବରେ ୨୪ ତାରିଖ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ପାର୍ଶ୍ୱବତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଂଚଳରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି କେବାର ସମ୍ଭାବନା ରହିଛି। ଏବଂ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ତେବେ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍ ୨୨ ତାରିଖ ଅପରାହ୍ନ ମଧ୍ୟରେ ପଶ୍ଚିମ ଓଡ଼ିଶାର ନୂଆପଡା, ବଲାଙ୍ଗୀର, କଳାହାଣ୍ଡି, ବରଗଡ, ବୌଦ୍ଧ, ସୋନପୁର, ଏବଂ ସମ୍ବଲପୁର ପ୍ରଭୃତି ୭ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର (୭ ରୁ ୨୦ ସେମି) ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଏହି ସମସ୍ତ ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।
ସେହିପରି ଏହି ସମୟ ମଧ୍ୟରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କନ୍ଧମାଳ, ରାୟଗଡା, ଗଜପତି, ଗଞ୍ଜାମ, ଅନୁଗୁଳ, ନୟାଗଡ, କଟକ ଏବଂ ଢ଼େଙ୍କାନାଳ .ଜିଲ୍ଲାରେ ପ୍ରବଳ ବର୍ଷାର (୭ରୁ ୧୧ ସେମି) ସମ୍ଭାବନା ରହିଛି। ସେଥିପାଇଁ ଏହି ସମସ୍ତ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।
ସକ୍ରିୟ ଲଘୁଚାପ ଏବଂ ଶକ୍ତିଶାଳୀ ମୌସୁମୀ ପ୍ରବାହ ହେତୁ ଓଡିଶା ଉପକୂଳର ଆଖପାଖ ଅଞ୍ଚଳ ଏବଂ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ତତ-ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ୨୨ ତାରିଖ ଯାଏଁ ଝଡପବନ ଘଣ୍ଟା ପ୍ରତି ୪୦ ରୁ ୫୦ କିମି ବେଗରେ ବୋହିବାର ସମ୍ଭାବନା ରହିଛି ତେଣୁ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ସମ୍ପୂର୍ଣ୍ଵ ବାରଣ କରାଯାଇଛି।
ଅନ୍ୟପକ୍ଷରେ ଟୁଇନ୍ ସିଟି କଟକ ଓ ଭୁବନେଶ୍ୱର ସମେତ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଆଜି (ଶୁକ୍ରବାର) ଆକାଶ ମେଘାଛନ୍ନ ରହିଥିବା ବେଳେ ଅପରାହ୍ନରୁ ବିଳମ୍ବିତ ସନ୍ଧ୍ୟା ମଧ୍ୟରେ ବଜ୍ରପାତ ସହ ଅସରାଏ, ଦୁଇଅସରା ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ଜାରି ସୂଚନାରେ କୁହାଯାଇଛି।





