ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘରକୁ ପଶିବାକୁ ଚେଷ୍ଟା କରୁଥିବା ବ୍ୟକ୍ତି ଗିରଫ। ଶୁକ୍ରବାର ଜଣେ ବ୍ୟକ୍ତି ମମତା ବାନାର୍ଜୀଙ୍କ କାଳିଘାଟ ସ୍ଥିତ ଘରେ ପଶିବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ ତାକୁ ଗିରଫ କରିଛି।
ପୁଲିସର ସୂଚନା ଅନୁସାରେ, ଦୁର୍ବୃତ୍ତ ଜଣଙ୍କ କାର୍ ନେଇ ମମତା ବାନାର୍ଜୀଙ୍କ ଘର ପାଖ ଗଳିରେ ପ୍ରବେଶ କରିଥିଲା।
ଏହାପରେ ଗତିବିଧି ସନ୍ଦେହ ଜନକ ଥିବାରୁ ପୁଲିସ ତାକୁ ଅଟକାଇ ଗିରଫ କରିଥିଲା। ଗିରଫ ଅଭିଯୁକ୍ତ ହେଲେ ଶେଖ ନୂର ଆଲମ। ତାଙ୍କ ଠାରୁ ବନ୍ଧୁକ, ଛୁରୀ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି। ଘଟଣା ଘଟିବା ସମୟରେ ମମତା ବାନାର୍ଜୀ ତାଙ୍କ ଘରେ ଥିଲେ ବୋଲି କୋଲକାତା ପୁଲିସ କମିଶନର ବିନୀତ ଗୋୟଲ କହିଛନ୍ତି।
ଘଟଣା ସମ୍ପର୍କରେ ଗୋୟଲ କହିଛନ୍ତି ‘ବ୍ୟକ୍ତି ଜଣକ ତାଙ୍କ କାର୍ରେ ବନ୍ଧୁକ, କୁକ୍ରୀ ଛୁରୀ, ଗଞ୍ଜେଇ, ଏବଂ ବିଏସ୍ଏଫ୍ ଭଳି କିଛି ଏଜେନ୍ସିର ଏକାଧିକ ପରିଚୟ ପତ୍ର ରଖିଥିଲେ। ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିବାକୁ ଚାହୁଁଥିଲେ। ଯେତେବେଳେ ସେ ହରିଷ ଚାଟାର୍ଜୀ ଗଳିରେ ପ୍ରବେଶ କରିଥିଲେ ସେତେବେଳେ ଆମ ପୁଲିସ ଅଫିସର ତାଙ୍କୁ ଅଟକାଇଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ଜେଡ୍ ସୁରକ୍ଷା ପ୍ରଦାନ କରାଯାଇଥିବା ବେଳେ ଏହି ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି। ବ୍ୟକ୍ତିଙ୍କର ପ୍ରକୃତ ଉଦ୍ଦେଶ୍ୟ କଣ ଥିଲା ବୋଲି ଜାଣିବାକୁ ତଦନ୍ତ ଜାରି ରହିଛି।’
ବ୍ୟକ୍ତି ପ୍ରଥମେ ନିଜକୁ ଆନନ୍ଦପୁରର ବୋଲି ପରିଚୟ ଦେଇଥିଲା। ପରେ କଥା ବଧଦଳାଇ ଘର ପଶ୍ଚିମ ମେଦିନିପୁରରେ ବୋଲି କହିଥିଲା। ତେବେ ସତ କଣ ଜାଣିବାକୁ ପୁଲିସ ତଦନ୍ତ ଚଳାଇଛି। ତାର ବ୍ଲାକ୍ ହ୍ୟାଚ୍ବ୍ୟାକ୍ କାର୍କୁ ସିଜ୍ କରାଯିବା ସହିତ ତାକୁ କାଲିଘାଟ ଥାନାରେ ରଖି ପଚରାଉଚରା କରାଯାଉଛି। ମମତା ବାନାର୍ଜୀ ସେଣ୍ଟ୍ରାଲ୍ କୋଲକାତାରେ ଆୟୋଜିତ ‘ଶହୀଦ ଦିବସ’ ରାଲିକୁ ଯିବାକୁ ବାହାରିଥିଲେ। ଏହାର କିଛି ଘଣ୍ଟା ପୂର୍ବରୁ ଏହି ଘଟଣା ଘଟିଥିଲା।
ଅନ୍ୟପଟେ ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି। ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧିକାରୀ ସୁରକ୍ଷା ବ୍ୟବସ୍ଥାର ତ୍ରୁଟି କହି କାଳିଘାଟ ପୁଲିସ ଷ୍ଟେସନ୍ ଓ କମିଶନର ଗୋୟଲଙ୍କର ଇସ୍ତଫା ଦାବି କରିଛନ୍ତି।





