ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଭାରତ ଛାଡ଼ୁଛନ୍ତି ଭାରତୀୟ ନାଗରିକ। ଚଳିତ ବର୍ଷ ଜୁନ ସୁଦ୍ଧା ୮୭ ହଜାରରୁ ଅଧିକ ଭାରତୀୟ ନାଗରିକତା ଛାଡ଼ିଛନ୍ତି । ଏନେଇ ସଂସଦରେ ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ସୂଚନା ଦେଇଛନ୍ତି । ଗତ ଦୁଇ ଦଶନ୍ଧିରେ ଚାକିରି ସନ୍ଧାନରେ ସର୍ବାଧିକ ନାଗରିକ ଭାରତ ଛାଡ଼ିଛନ୍ତି । ଏମାନଙ୍କ ମଧ୍ୟରୁ ଅନେକ ବ୍ୟକ୍ତିଗତ ସୁବିଧା ପାଇଁ ବିଦେଶୀ ନାଗରିକତା ନେବାକୁ ବିକଳ୍ପ ରାସ୍ତା ବାଛିଛନ୍ତି।
ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ଶୁକ୍ରବାର ଲୋକସଭାରେ ସୂଚନା ଦେଇ କହିଛନ୍ତି, ଚଳିତବର୍ଷ ଜୁନ ସୁଦ୍ଧା ସର୍ବାଧିକ ଭାରତୀୟ ଦେଶ ଛାଡ଼ିଛନ୍ତି । ପ୍ରାୟ ୮୭, ୦୨୬ ଜଣ ଦେଶ ଛାଡ଼ି ବିଦେଶ ନାଗରିକତା ଆପଣାଇଛନ୍ତି । ଏକ ଲିଖିତ ଉତ୍ତରରେ ସେ କହିଛନ୍ତି ଯେ, ୨୦୧୧ରୁ ଏପର୍ଯ୍ୟନ୍ତ ୧୭.୫୦ ଲକ୍ଷରୁ ଅଧିକ ଲୋକ ଭାରତୀୟ ନଗରିକତା ଛାଡ଼ିଛନ୍ତି । ଜୟଶଙ୍କର କହିଛନ୍ତି, ୨୦୨୨ରେ ୨, ୨୫, ୬୨୦ଜଣ, ୨୦୨୧ରେ ୧, ୬୩, ୩୭୦ଜଣ, ୨୦୨୦ରେ ୮୫, ୨୫୬ଜଣ ଭାରତୀୟ ନାଗରିକତା ଛାଡ଼ିଛନ୍ତି ।
ସେହିପରି ଗତ ଦୁଇ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ନ୍ୟାୟପାଳିକାରେ ୧୦୨ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଆଇନ ମନ୍ତ୍ରାଳୟ ପକ୍ଷରୁ ସଂସଦରେ ଦିଆଯାଇଥିବା ରିପୋର୍ଟ ଅନୁଯାୟୀ, ପୂରା ଦେଶରେ ବିଭିନ୍ନ ନ୍ୟାୟଳୟରେ ୬.୩୬ ଲକ୍ଷ ମାମଲାରେ କେନ୍ଦ୍ର ସରକାର ପକ୍ଷକାର ରହିଚଛନ୍ତି । ଏଥିରୁ ସବୁଠାରୁ ଅଧିକ ୧.୭୯ ଲକ୍ଷ ମାମଲାରେ ଅର୍ଥମନ୍ତ୍ରାଳୟ ସାମିଲ ଅଛି । ସେହିପରି ପ୍ରତିରକ୍ଷା ମନ୍ତ୍ରାଳୟ ୮୭ ହଜାର ଏବଂ ଶିକ୍ଷା ମନ୍ତ୍ରାଳୟ ୧୭ ହଜାର ମାମଲାରେ ପକ୍ଷକାର ରହିଛି । କେନ୍ଦ୍ର ସରକାର ଏହି ମାମଲାରେ ନିଜ ପକ୍ଷ ରଖିବା ପାଇଁ ୨୦୨୨-୨୩ ଆର୍ଥିକ ବର୍ଷରେ ୫୪.୩୫ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ।





