ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଶିମିଳିପାଳ ଅଭୟାରଣ୍ୟରେ କର୍ତ୍ତବ୍ଯରତ ତିନି ଜଣ ବନ ଅଧିକାରୀଙ୍କୁ ସେମାନଙ୍କର ଉତ୍ସର୍ଗିକୃତ ସେବା ପାଇଁ ଭାରତ ସରକାର ସମ୍ମାନିତ କରିବେ । ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ, ଭାରତ ସରକାର ଏହି ପୁରସ୍କାର ଘୋଷଣା କରିଛନ୍ତି । ଆସନ୍ତା ୨୯ତାରିଖରେ ଉତ୍ତରାଖଣ୍ଡ ରାଜ୍ୟର କର୍ବେଟ ଟାଇଗର ରିଜର୍ଭରେ “ବିଶ୍ବ ବ୍ୟାଘ୍ର ଦିବସ” ପାଳନ ଅବସରରେ ଭାରତ ସରକାରଙ୍କ ମାନ୍ୟବର ମନ୍ତ୍ରୀ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଦ୍ୱାରା ଏହି ପୁରସ୍କାର ପ୍ରଦାନ କରାଯିବ । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ କାର୍ଯ୍ଯରତ ଥିବା ସ୍ବର୍ଗତଃ ମାଥି ହାଁସଦା ଓ ସ୍ବର୍ଗତଃ ବିମଳ ଜେନାଙ୍କୁ ସେମାନଙ୍କର ଉତ୍ସର୍ଗିକୃତ ସେବା, ତ୍ୟାଗ ଓ ବଳିଦାନ ପାଇଁ ମରଣୋତ୍ତର ସମ୍ନାନ ମିଳିବାକୁ ଥିବାବେଳେ ହିମାଂଶୁ ଶେଖର ସେଠୀଙ୍କୁ ତାଙ୍କର ଅସାଧାରଣ ସାହସିକତା ଓ ବୀରତ୍ବ ପାଇଁ ଏହି ପୁରସ୍କାର ମିଳିବାକୁ ଯାଉଛି ।
ଗତ ଜୁନ ୧୬ତାରିଖ ରାତିରେ ଶ୍ରୀ ହାଂସଦା ଓ ସହକର୍ମୀ ହିମାଂଶୁ ଶେଖର ସେଠୀ ରାତ୍ରି ପାଟ୍ରୋଲିଂ କରୁଥିବା ସମୟରେ ଗୁଳି ଶଦ୍ଦ ଶୁଣି ୬ଜଣ ଶିକାରୀଙ୍କୁ କାବୁ କରିବାକୁ ଉଦ୍ୟମ କରିଥିଲେ । ହିମାଂଶୁ ସେମାନଙ୍କଠାରୁ ବନ୍ଧୁକ ଛଡ଼ାଉ ଥିବା ବେଳେ ଅଚାନକ ଜଣେ ଶିକାରୀ ଶ୍ରୀ ହାଂସଦାଙ୍କୁ ଗୁଳି କରିଥିଲା। ହାଁସଦାଙ୍କ ଜୀବନ ବଞ୍ଚାଇବାକୁ ହିମାଂଶୁ ତତକ୍ଷଣାତ ତାଙ୍କୁ ସେହି ରାତିରେ ଦୀର୍ଘ ପଥ ଅତିକ୍ରମ କରି କରଞ୍ଜିଆ ହସ୍ପିଟାଲରେ ପହଞ୍ଚାଇ ଥିଲେ । ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କର ବୀରତ୍ୱର ଉଦ୍ୟମ ହେତୁ ଜଣେ ଶିକାରୀ ଚିହ୍ନଟ ହୋଇ ଧରା ପଡିବା ସହିତ ଅନ୍ୟ ଅପରାଧୀଙ୍କୁ ଚିହ୍ନଟ କରିବା ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ କରିଥିବା ପୋଲିସକୁ ସୂଚନା ଦିଆଯାଇଥିଲା।
ସେହିପରି ସ୍ବର୍ଗତ ବିମଲ କୁମାର ଜେନା ଗତ ମଇ ୨୨ତାରିଖ ସନ୍ଧ୍ୟାରେ କଳସିଡୁବା ଅଞ୍ଚଳରେ ଦୁଇ ଜଣ ସୁରକ୍ଷା ସହାୟକଙ୍କ ସହ ପାଟ୍ରୋଲିଂରେ ଯାଇଥିବାବେଳେ ୮ରୁ ୧୦ଜଣ ଶିକାରୀ ମୃତ ହରିଣ ବୋହି ନେଉଥିବା ଦେଖି ସେମାନଙ୍କୁ ଅଟକାଇଥିଲେ । ଜଙ୍ଗଲ କର୍ମଚାରୀଙ୍କୁ ଦେଖି ଶିକାରୀମାନେ ସଙ୍ଗେସଙ୍ଗେ ଘଟଣାସ୍ଥଳରୁ ପଳାୟନ କଲେ । ସେମାନେ ସଂଖ୍ୟାରେ ଅଧିକ ଅଛନ୍ତି ଜାଣି ସଙ୍ଗେସଙ୍ଗେ ଅଧିକ ଫୋର୍ସ ମଗାଇବା ପାଇଁ ଶ୍ରୀ ଜେନା ବାର୍ତ୍ତା ପଠାଇଲେ । ବନ କର୍ମଚାରୀମାନେ ପହଞ୍ଚିବା ପୂର୍ବରୁ ଶିକାରୀମାନେ ଧରା ପଡ଼ିଯିବା ଜାଣି ପୁନଶ୍ଚ ଫେରି ଆସି ବିମଳ ଜେନାଙ୍କୁ ଗୁଳି କରି ହତ୍ୟା କରିଥିଲେ ଏବଂ ଶିକାର କରିଥିବା ମୃତ ବନ୍ୟଜନ୍ତୁଙ୍କ ସହିତ ସେହି ସ୍ଥାନରୁ ପଳାଇଥିଲେ। ନିଜ ଜୀବନକୁ ବାଜି ଲଗାଇ ଜଙ୍ଗଲ ଓ ବନ୍ୟଜନ୍ତୁ ସୁରକ୍ଷା ସହିତ ଶିମିଳିପାଳ ସୁରକ୍ଷା ଦିଗରେ ଏମାନଙ୍କର ଅବଦାନ ଥିବାରୁ ଭାରତ ସରକାରଙ୍କ ଜଙ୍ଗଲ ମନ୍ତ୍ରଣାଳୟ ସେମାନଙ୍କ ତ୍ୟାଗ ଓ ବଳିଦାନ ପାଇଁ ସେମାନଙ୍କୁ ଉତ୍ସର୍ଗିକୃତ ସେବା ପାଇଁ ଉଦିଷ୍ଟ ପୁରସ୍କାର ପାଇଁ ମନୋନୀତ କରି ଦେଶ, ରାଜ୍ୟ ତଥା ମୟୁରଭଞ୍ଜ ମାଟିକୁ ଗର୍ବିତ କରିଛନ୍ତି l





