ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଆସନ୍ତାକାଲି କଟକରେ ବନ୍ଦ ରହିବ ବିଭିନ୍ନ କାର୍ଯ୍ୟାଳୟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ତିନି ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଆଜି ରାଜଭବନରେ ରାତ୍ରିଯାପନ ପରେ ଆସନ୍ତାକାଲି (ଜୁଲାଇ ୨୬) ସେ କଟକ ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ରାଷ୍ଟ୍ରପତିଙ୍କ କଟକ ଗସ୍ତ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ଓଡ଼ିଶା ହାଇକୋର୍ଟଙ୍କ ରେଜିଷ୍ଟ୍ରେର ଜେନେରାଲଙ୍କ ଅନୁରୋଧକ୍ରମେ ଆସନ୍ତାକାଲି କଟକସ୍ଥିତ ବିଭିନ୍ନ କାର୍ଯ୍ୟାଳୟ ବନ୍ଦ ରହିବ ବୋଲି କଟକ ରାଜସ୍ୱ ବିଭାଗ କମିଶନର ଘୋଷଣା କରିଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

କଟକସ୍ଥିତ ବୋର୍ଡ ଅଫ୍ ରେଭିନ୍ୟୁରେ ଅବସ୍ଥାପିତ ସମସ୍ତ କାର୍ଯ୍ୟାଳୟ. ଆରଡିସି (କେନ୍ଦ୍ରୀୟ ଡିଭିଜନ), ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ସବ୍‌-ରେଜିଷ୍ଟ୍ରାର, ପିଡିଡିଆରଡିଏ, ପରିବହନ କାର୍ଯ୍ୟାଳୟ, ଜିଲ୍ଲା ଅବକାରୀ କାର୍ଯ୍ୟାଳୟ, ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ, ବ୍ଳକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ, ରାଜ୍ୟ ପରିବହନ କର୍ତ୍ତୃପକ୍ଷ କମିଶନଙ୍କ କାର୍ଯ୍ୟାଳୟ, ଜିଲ୍ଲା ଟ୍ରେଜେରୀ, ଆଡ୍‌ଭୋକେଟ୍ ଜେନେରାଲଙ୍କ କାର୍ଯ୍ୟାଳୟ, ତହସିଲଦାରଙ୍କ କାର୍ଯ୍ୟାଳୟ, କଲେକ୍‌ଟୋରେଟ୍ କମ୍ପାଉଣ୍ଡସ୍ଥିତ ଏସ୍‌ବିଆଇ ମୁଖ୍ୟ କାର୍ଯ୍ୟାଳୟ ଓ ୟୁକୋ ବ୍ୟାଙ୍କ, ବାର୍ କାଉନସିଲ ନିକଟସ୍ଥ କର୍ପୋରେସନ ବ୍ୟାଙ୍କ, ହାଇକୋର୍ଟ କ୍ୟାମ୍ପସ ସ୍ଥିତ ଏସ୍‌ବିଆଇ କାର୍ଯ୍ୟାଳୟ, ଚାନ୍ଦିନୀଚୌକସ୍ଥିତ ମୁଖ୍ୟ ପୋଷ୍ଟ ଅଫିସ୍‌, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ପୋଷ୍ଟ ଅଫିସ, ହାଇକୋର୍ଟ ପରିସରରେ ଥିବା ପୋଷ୍ଟ ଅଫିସ ଓ ହାଇକୋର୍ଟ ନିକଟସ୍ଥ ଏଲ୍‌ଆଇସି ଅଫିସ ଆସନ୍ତାକାଲି ବନ୍ଦ ରହିବ।

ସୂଚନାଯୋଗ୍ୟ ଯେ, ଆସନ୍ତାକାଲି ରାଷ୍ଟ୍ରପତି କଟକରେ ଓଡ଼ିଶା ହାଇକୋର୍ଟର ୭୫ତମ ପ୍ରତିଷ୍ଠା ଦିବସ ସମାରୋହ, ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ ଏବଂ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ବାର୍ଷିକ ଉତ୍ସବରେ ସାମିଲ ହେବେ। ଏହାସହିତ କଟକ ଚଣ୍ଡୀ ମନ୍ଦିର ମଧ୍ୟ ପରିଦର୍ଶନ କରିବେ।

Related Posts