ଡ୍ରାଇଭର ସଂଘର ଚେତାବନୀ ପରେ ଚେତିଲେ ସରକାର: ଗଠନ ହେଲା ଓଡ଼ିଶା ମୋଟରଯାନ ଡ୍ରାଇଭର ଓ କର୍ମଚାରୀ କଲ୍ୟାଣ ବୋର୍ଡ

ଭୁବନେଶ୍ଵର(ସତ୍ୟପାଠ ବ୍ୟୁରୋ): ଡ୍ରାଇଭର ସଂଘର ଚେତାବନୀ ପରେ ଚେତିଲେ ରାଜ୍ୟ ସରକାର । ଗଠନ ହେଲା ଓଡ଼ିଶା ମୋଟରଯାନ ଡ୍ରାଇଭର ଓ କର୍ମଚାରୀ କଲ୍ୟାଣ ବୋର୍ଡ । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଡ୍ରାଇଭର ଓ କର୍ମଚାରୀ କଲ୍ୟାଣ ବୋର୍ଡ ଗଠନ କରିଛନ୍ତି ସରକାର । ଏହି ବୋର୍ଡରେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ଓ ଝାରସୁଗୁଡ଼ା ବିଧାୟିକା ଦୀପାଳି ଦାସଙ୍କୁ ସଦସ୍ୟ ଭାବେ ମନୋନୀତ କରାଯାଇଛି ।

ଅନ୍ୟମାନଙ୍କ ମଧ୍ୟରେ ଏହି ବୋର୍ଡରେ ପରିବହନ ବିଭାଗର ଅଧିକାରୀ, ଗାଡ଼ି ମାଲିକ ସଂଘର ପ୍ରତିନିଧି, ଚାଳକ ସଂଘର ପ୍ରତିନିଧି, କର୍ମଚାରୀ ସଂଘର ପ୍ରତିନିଧି ଓ ସାମାଜିକ କର୍ମୀ ସଦସ୍ୟ ଭାବେ ରହିବେ । ଏହି ବୋର୍ଡ ଡ୍ରାଇଭର ଓ କର୍ମଚାରୀଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରିବେ ଏବଂ ବିଭିନ୍ନ ଯୋଜନାର କାର୍ଯ୍ୟକାରୀ କରିବେ । ଏହା ଦ୍ୱାରା ରାଜ୍ୟର ୫ ଲକ୍ଷରୁ ଉର୍ଦ୍ଧ୍ୱ ଡ୍ରାଇଭର ଓ କର୍ମଚାରୀ ଏବଂ ସେମାନଙ୍କ ପରିବାରବର୍ଗ ଉପକୃତ ହେବେ । କଲ୍ୟାଣ ବୋର୍ଡ ଗଠନ ବିଳମ୍ବ ହେଉଥିବା ଅଭିଯୋଗ କରି ୩ ଦିନ ତଳେ ସାମ୍ବାଦିକ ସମ୍ମିଳନୀ କରି ଆନ୍ଦୋଳନ ପାଇଁ ଚେତାବନୀ ଦେଇଥିଲା ଡ୍ରାଇଭର ମହାସଂଘ ।

ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ ପାଇଁ ୩୦ ତାରିଖ ଯାଏଁ ମହଲତ ଦିଆଯାଇଥିଲା । ଗତ ମାର୍ଚ୍ଚ ମାସରେ ୧୦ ଦଫା ଦାବିରେ ସାରା ରାଜ୍ୟରେ ଷ୍ଟିଅରିଂ ଛାଡ଼ି ଆନ୍ଦୋଳନକୁ ଓହ୍ଲାଇଥିଲେ ଡ୍ରାଇଭର ମହାସଂଘ । ଫଳରେ ରାଜ୍ୟରେ ଏକରକମ ଅଚଳାବସ୍ଥା ସୃଷ୍ଟି ହୋଇଥିଲା । ସରକାରଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଥିଲା । ତେବେ ପ୍ରତିଶ୍ରୁତି ପୂରଣ ନହେବାରୁ ପୁଣି ଥରେ ଆନ୍ଦୋଳନ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲା ଡ୍ରାଇଭର ଏକତା ମହାମଞ୍ଚ ।

Related Posts