ଏନସିପି କାହାର?: ଅଜିତଙ୍କ ଆବେଦନ ଉପରେ ଜବାବ ଦେବାକୁ ଶରଦ ପାୱାରଙ୍କୁ ଇସିଙ୍କ ନୋଟିସ

ମହାରାଷ୍ଟ୍ରରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)ରେ ବିଭାଜନ ପରେ ଶରଦ ପାୱାର ଏବଂ ତାଙ୍କ ପୁତୁରା ଅଜିତ ପାୱାରଙ୍କ ମଧ୍ୟରେ ରାଜନୈତିକ ବିବାଦ ଜାରି ରହିଛି । ଉଭୟ ଗୋଷ୍ଠୀ ନିଜକୁ ପ୍ରକୃତ ଏନସିପି ବୋଲି କହିବା ସହିତ ଦଳର ନାମ ଓ ଚିହ୍ନ ଦାବି କରୁଛନ୍ତି। ଅଜିତ ପାୱାର ଗୋଷ୍ଠୀ ନିଜକୁ ପ୍ରକୃତ ଏନସିପି ଦାବି କରି ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ । ଆଉ ଅଜିତ ପାୱାରଙ୍କ ଆବେଦନ ଉପରେ ଏବେ ନିର୍ବାଚନ ଆୟୋଗ ଶରଦ ପାୱାର ଗୋଷ୍ଠୀକୁ ନୋଟିସ ଜାରି କରି ତାଙ୍କ ଦାବି ଉପରେ ଜବାବ ମାଗିଛନ୍ତି ।

ଗତ ଜୁଲାଇ 2 ତାରିଖରେ ହଠାତ ଦଳରେ ବିଦ୍ରୋହ କରି ମହାରାଷ୍ଟ୍ରର ତତ୍କାଳୀନ ବିରୋଧୀ ଦଳ ନେତା ଥିବା ଅଜିତ ପାୱାର ବିଜେପି-ଶିବସେନା ସରକାରରେ ସାମିଲ ହୋଇଥିଲେ | ରାଜଭବନରେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ | ତେବେ ଖାଲି ଅଜିତ ନୁହନ୍ତି ତାଙ୍କ ସମେତ 8 ଜଣ ଏନସିପି ବିଧାୟକ ମଧ୍ୟ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିଲେ | ଏସବୁ ଘଟଣା ଗଣମାଧ୍ୟମ ଆଗକୁ ହଠାତ ଆସିଥିଲେ ବି ଜୁନ 30 ତାରିଖରୁ କିନ୍ତୁ ଏନେଇ ନିର୍ବାଚନ କମିଶନଙ୍କୁ ଚିଠି ଲେଖିଥିଲେ ଅଜିତ ଗୋଷ୍ଠୀ | ଦଳର 40 ରୁ ଅଧିକ ବିଧାୟକ ଓ ସାଂସଦ ତାଙ୍କ ସହ ରହିଥିବାରୁ ଦଳର ନାମ ଓ ଚିହ୍ନ ଉପରେ ତାଙ୍କର ଅଧିକାର ଅଛି ବୋଲି ଜଣାଇଥିଲେ |

ସେପଟେ ଦଳରେ ବିଦ୍ରୋହ ପରେ ଶରଦ ପାୱାର ମଧ୍ୟ ଚୁପ ବସି ନଥିଲେ | ସରକାରରେ ସାମିଲ ହୋଇଥିବା 8 ମନ୍ତ୍ରୀଙ୍କ ସମେତ 2 ସାଂସଦଙ୍କୁ ଦଳରୁ ବହିଷ୍କାର କରିବାକୁ ନିର୍ବାଚନ କମିଶନଙ୍କୁ ଚିଠି ଲେଖିଥିଲେ ଶରଦ ପାୱାରଙ୍କ ଗୋଷ୍ଠୀର ନେତା ତଥା ମହାରାଷ୍ଟ୍ର ଏନସିପିର ଅଧକ୍ଷ ଜୟନ୍ତ ପାଟିଲ | ତେବେ ଦଳର ନାମ ଓ ଚିହ୍ନକୁ ନେଇ ଅଜିତ ଗୋଷ୍ଠୀ କରିଥିବା ଆବେଦନ ଉପରେ ବୁଧବାର ଶରଦ ପାୱାରଙ୍କ ଗୋଷ୍ଠୀକୁ ଜବାବ ଦାଖଲ କରିବାକୁ ନୋଟିସ ଜାରି କରିଛନ୍ତି ନିର୍ଵାଚନ କମିଶନ | ଆଉ 30 ଦିନ ମଧ୍ୟରେ ଏହାର ଜବାବ ଦିଆଯିବ ବୋଲି କହିଛନ୍ତି ଜୟନ୍ତ ପାଟିଲ |

ତେବେ ମହାରାଷ୍ଟ୍ର ରାଜନୀତିରେ ଏଭଳି ଘଟଣା ପ୍ରଥମ ନୁହଁ | ପୂର୍ବରୁ ଶିବସେନାରେ ମଧ୍ୟ ସମାନ ଢଙ୍ଗରେ ବିଦ୍ରୋହ କରି, ବହୁ ସଂଖ୍ୟାରେ ବିଧାୟକ ଓ ସାଂସଦଙ୍କୁ ସାଙ୍ଗରେ ନେଇ ଦଳର ନାମ ଓ ଚିହ୍ନ ଦାବି କରିଥିଲେ ଏକନାଥ ସିନ୍ଧେ | ଉଦ୍ଧବ ଠାକରେ ଓ ଏକନାଥ ସିନ୍ଧେଙ୍କ ମଧ୍ୟରେ ଲମ୍ବା ଅଦାଲତୀ ଲଢେଇ ପରେ ଶିବସେନାର ଚିହ୍ନ ଓ ନାମ ସିନ୍ଧେ ଗୋଷ୍ଠୀଙ୍କୁ ମିଳିଥିଲା | ଏବେ ଏନସିପି ରେ ମଧ୍ୟ ସମାନ ଲଢେଇ ଦେଖା ଦେଇଥିବା ବେଳେ ଦଳର ଘଡି ଚିହ୍ନ କାହାକୁ ମିଳୁଛି ତାହା ଦେଖିବାକୁ ବାକି ରହିଲା |

Related Posts