ପ୍ରିଣ୍ଟିଂ ପ୍ରେସ୍‌ରୁ ଲିକ୍‌ ହୋଇଥିଲା OSSC ଜେଇ ସିଭିଲ୍ ମେନ୍ ପରୀକ୍ଷାର ପ୍ରଶ୍ନପତ୍ର; ସୂଚନା ଦେଲେ ବାଲେଶ୍ୱର ଏସ୍‌ପି ସାଗରିକା ନାଥ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): OSSC ଦ୍ୱାରା ପରିଚାଳିତ ଜେଇ ସିଭିଲ୍ ମେନ୍ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ଏକ ପ୍ରିଣ୍ଟିଂ ପ୍ରେସରୁ ହୋଇଛି। ପ୍ରିଣ୍ଟିଂ ପ୍ରେସର ଜଣେ ହେଲ୍‌ପର ଏହି ପ୍ରଶ୍ନପତ୍ର ଲିକ୍‌ କରିଛି। ଆଜି ମାମଲାର ମାଷ୍ଟରମାଇଣ୍ଡକୁ ଗିରଫ କରିବା ସହିତ ଏଭଳି ତଥ୍ୟ ଦେଇଛନ୍ତି ବାଲେଶ୍ୱର ଏସ୍‌ପି ସାଗରିକା ନାଥ।

ଏସ୍‌ପିଙ୍କ କହିବା ଅନୁସାରେ ପ୍ରିଣ୍ଟିଂ ପ୍ରେସର ହେଲ୍‌ପର ପ୍ରଶ୍ନପତ୍ର ଆଣି ମାଣ୍ଟରମାଇଣ୍ଡକୁ ଦେଇଥିଲା। ମାଷ୍ଟରମାଇଣ୍ଡ ହେଉଛନ୍ତି ବିହାରର ଜଣେ ସରକାରୀ ଅଧିକାରୀ। ପ୍ରଶ୍ନପତ୍ର ଲିକ୍‌ କରିଥିବା ପ୍ରିଣ୍ଟିଂ ପ୍ରେସ ହେଲ୍‌ପର ଓ ମାଷ୍ଟରମାଇଣ୍ଡ ଗୋଟିଏ ଗାଁର। ସଂପୃକ୍ତ ପ୍ରିଣ୍ଟିଂ ପ୍ରେସଟି ଓଡ଼ିଶା ବାହାରେ। ୯ରୁ ୧୧ ତାରିଖ ମଧ୍ୟରେ ପ୍ରଶ୍ନପତ୍ର ପ୍ରେସରୁ ହେଲ୍‌ପର ଆଣିଥିଲା | ତେବେ ଯେଉଁ ଯେଉଁ ପରୀକ୍ଷାର ପ୍ରଶ୍ନପତ୍ର ପ୍ରେସ କୁ ଆସୁଥିଲା ତାକୁ ସେ ଲିକ କରୁଥିଲା ବୋଲି ଏସ୍‌ପି କହିଛନ୍ତି।

ସେ ଆହୁରି କହିଛନ୍ତି, ଓଡ଼ିଶାରୁ ଗିରଫ ଲୋକ କେବଳ ମଧ୍ୟସ୍ଥ କାମ କରୁଥିଲେ। ଓଡ଼ିଶାରୁ କୌଣସି ସରକାରୀ ଅଧିକାରୀଙ୍କ ସଂପୃକ୍ତି ଜଣାପଡ଼ିନି। ବର୍ତ୍ତମାନ ତଦନ୍ତ ଚାଲିଛି। ଏହି ମାମଲାରେ ୧୭ ଗିରଫ ହୋଇଛନ୍ତି। ଆଗକୁ ସଂଖ୍ୟା ବଢ଼ିବ। ପ୍ରିଣ୍ଟିଂ ପ୍ରେସ୍‌ ହେଲ୍‌ପର ଘରୁ ନଗଦ ଲକ୍ଷେ ଟଙ୍କା ମିଳିଛି ବୋଲି ବାଲେଶ୍ୱର ଏସ୍‌ପି କହିଛନ୍ତି।

ସୂଚନାଯୋଗ୍ୟ ଯେ, ଜଳେଶ୍ୱରର ଏକ ହୋଟେଲରୁ କିଛି ଦିନ ତଳେ OSSC ଦ୍ୱାରା ପରିଚାଳିତ ଜେଇ ସିଭିଲ୍ ମେନ୍ ପରୀକ୍ଷାର ପ୍ରଶ୍ନପତ୍ର ଡିଲ୍‌ ଚାଲିଥିବା ବେଳେ ଚଢ଼ଉ କରିଥିଲା ପୁଲିସ୍‌। ସେଠାରୁ କିଛି ଡକ୍ୟୁମେଣ୍ଟ ସହ ଅନ୍ୟାନ୍ୟ ଜିନିଷ ଜବତ କରିଥିଲା ପୁଲିସ । ଏହା ପରେ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୬ ଟି କାର୍‌, ଗୋଟିଏ ବସ୍, ଅନେକ ସାର୍ଟିଫିକେଟ ଜବତ କରିଥିଲା। ଏଥିସହ ୧୫ଟି ମୋବାଇଲ୍ ଫୋନ, ସାଇନ ହୋଇଥିବା ଏକାଧିକ ବ୍ଲାଙ୍କ ଚେକ୍‌ ଓ ନଗଦ ୨୨,୫୦୦ ଟଙ୍କା ମଧ୍ୟ ଜବତ ହୋଇଥିଲା।

Related Posts