ଭୁବନେଶ୍ଵର(ସତ୍ୟପାଠ ବ୍ୟୁରୋ): ଭିଜିଲାନ୍ସ ପଞ୍ଝାରେ ପଡିଲେ ଅତିରିକ୍ତ ତହସିଲଦାର। ମହାନଦୀ ବାଲିଘାଟରୁ ବାଲି ଚାଲାଣ ହେଉଥିବା ଏକ ହାଇଓ୍ୱା ଗାଡ଼ିକୁ ଛାଡିବା ପାଇଁ ଲାଞ୍ଚ ନେଉଥିବା ବେଳେ ବନମାଳ ପରିଡ଼ାଙ୍କୁ ମାଡ଼ି ବସିଲା ନୟାଗଡ଼ ଭିଜିଲାନ୍ସ ଟିମ୍। ଘଟଣାସ୍ଥଳରେ ଜବତ କଲେ ୩ ହଜାର ଟଙ୍କା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଘର ଓ କାର୍ଯ୍ୟାଳୟରେ ଭିଜିଲାନ୍ସ ଟିମ୍ ଚଢ଼ାଉ ଜାରି ରଖିଛି।
ସୂଚନା ମୁତାବକ, ବାଲି ବୋଝେଇ ହାଇଓ୍ୱା ଗାଡ଼ିକୁ ସବୁଦିନ ଛାଡିବା ପାଇଁ ଅତିରିକ୍ତ ତହସିଲଦାର ଶ୍ରୀ ପରିଡ଼ା ହାଇଓ୍ୱା ମାଲିକ ଦଶପଲ୍ଲା ବ୍ଲକ ଦୁଆର ଗାଁର ଅଜିତ୍ ପ୍ରଧାନଙ୍କ ସହିତ ୧୩ ହଜାର ଟଙ୍କା ଡିଲ କରିଥିଲେ। କଥା ମୁତାବକ ଗତ ୨୪ ତାରିଖ ଦିନ ୧୦ ହଜାର ଟଙ୍କା ଶ୍ରୀ ପରିଡ଼ା ନେଇଥିଲେ। ଆଜି ଅବଶିଷ୍ଟ ୩ ହଜାର ଟଙ୍କା ନେବାକୁ ବାଇଦା ଥିଲା। ଏହି ସମ୍ପର୍କରେ ଗାଡ଼ି ମାଲିକ ଶ୍ରୀ ପ୍ରଧାନ ନୟାଗଡ଼ ଭିଜିଲାନ୍ସ ଡିଏସ୍ପି ପ୍ରତ୍ୟୁକ୍ଷ କୁମାର ମହାପାତ୍ରଙ୍କ ନିକଟରେ ଅଭିେଯାଗ କରିଥିଲେ। ଅଭିଯୋଗକୁ ମୁତାବକ ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରଜୁ କରାଯାଇ ପୂର୍ବ ପ୍ରସ୍ତୁତି ଅନୁସାରେ ଭିଜିଲାନ୍ସର ଏକ ୮ ଜଣିଆ ଟିମ୍ ଅତିରିକ୍ତ ତହସିଲଦାର ଶ୍ରୀ ପରିଡ଼ାଙ୍କ ସରକାରୀ ବାସଭବନ ନିକଟରେ ଛକି ବସିଥିଲେ। ହାଇଓ୍ୱା ମାଲିକ ଶ୍ରୀ ପ୍ରଧାନ ବାକି ଥିବା ୩ ହଜାର ଟଙ୍କା ଦେଲାବେଳେ ଭିଜିଲାନ୍ସ ଟିମ୍ ଅତିରିକ୍ତ ତହସିଲଦାରଙ୍କୁ ମାଡି ବସିଥିଲେ। ଉକ୍ତ ଚଢାଉ ବେଳେ ଭିଜିଲାନ୍ସ ଡିଏସ୍ପି ଶ୍ରୀ ମହାପାତ୍ରଙ୍କ ସମେତ ଇନିସପେକ୍ଟର ଜ୍ଞାନ ରଞ୍ଜନ ମହାପାତ୍ର, ମଧୁସ୍ମିତା କର, ଭବାନୀ ଶଙ୍କର ପଟ୍ଟନାୟକ, ମହେଶ କୁମାର ସାହୁ ପ୍ରମୁଖ ରହିଥିଲେ। ଅତିରିକ୍ତ ତହସିଲଦାର ଶ୍ରୀ ପରିଡ଼ାଙ୍କୁ ନୟାଗଡ଼ ଭିଜିଲାନ୍ସ କାର୍ଯ୍ୟାଳୟକୁ ନିଆଯାଇ ପଚରାଉଚରା ଜାରି ରହିଛି।





