ମଣିପୁର ଯିବେ ବିରୋଧୀ ‘ଇଣ୍ଡିଆ’ ମେଣ୍ଟର ୨୦ ସାଂସଦ; ସ୍ଥିତି ପରଖିବେ, ରାଜ୍ୟପାଳଙ୍କୁ ଭେଟିବା ସହ ସରକାରଙ୍କୁ ହିଂସା ରୋକିବାକୁ ପ୍ରସ୍ତାବ ଦେବେ

ଭୁବନେଶ୍ଵର (ସତ୍ୟପାଠ ବ୍ୟୁରୋ): ମଣିପୁର ହିଂସାକୁ ନେଇ ବିରୋଧୀ କେନ୍ଦ୍ର ସରକାରଙ୍କୁ ଶାଣିତ ଆକ୍ରମଣ କରୁଥିବା ବେଳେ ଆଜି ବିରୋଧୀ ମେଣ୍ଟ ଇଣ୍ଡିଆର ୨୦ ଜଣ ସାଂସଦନ ହିଂସା କ୍ଷତିଗ୍ରସ୍ତ ମଣିପୁର ଯିବେ। ବିରୋଧୀଙ୍କ ଏହି ପ୍ରତିନିଧି ମଣ୍ଡଳ ମଣିପୁର ଯାଇ ସେଠାକାର ସ୍ଥିତି ପରଖିବେ। ହିଂସାର ପ୍ରକୃତ ସ୍ଥିତିକୁ ଜାଣିବା ପରେ ଏହାର ତଥ୍ୟ ସରକାର ଓ ସଂସଦ ଆଗରେ ଉପସ୍ଥାପନ କରିବେ। ଏଥିସହ ହିଂସା ରୋକିବା ପାଇଁ ଉପଯୁକ୍ତ ପ୍ରସ୍ତାବ ବି ଦେବେ।

ଗସ୍ତ ପୂର୍ବରୁ ଲୋକସଭାରେ କଂଗ୍ରେସର ଉପ ନେତା ଗୌରବ ଗୋଗୋଇ ମଣିପୁର ହିଂସାର ତଦନ୍ତର ଜଣେ ଅବସରପ୍ରାପ୍ତ ସୁପ୍ରିମକୋର୍ଟ ବିଚାରପତିଙ୍କ ଅଧୀନରେ କରିବାକୁ ଦାବି କରିଛନ୍ତି। ମଣିପୁର ଯିବାକୁ ଥିବା ୨୦ ଜଣିଆ ପ୍ରତିନିଧି ମଣ୍ଡଳରେ କଂଗ୍ରେସରୁ ଅଧୀର ରଞ୍ଜନ ଚୌଧୁରୀ, ଗୌରବ ଗୋଗୋଇ, ଟିଏମସରୁ ସୁସ୍ମିତା ଦେବ, ଜେଏମଏମରୁ ମହୁଆ ମାଝୀ, ଡିଏମକେରୁ କାନିମୋଝି, ଏନସିପରୁ ମହମ୍ମଦ ଫୈଜଲ, ଆରଏଲଡିରୁ ଜୟନ୍ତ ଚୌଧୁରୀ, ଆରଜେଡିରୁ ମନୋଜ ଝା, ଆରଏସ୍‌ପିରୁ ଏନକେ ପ୍ରେମାଚନ୍ଦ୍ରନ ଓ ଭିଚିକେରୁ ଟି ଥିରୁମାବାଲାଭନ, ଜେଡିୟୁ ମୁଖ୍ୟ ରାଜୀବ ରଞ୍ଜନ ସିଂହ, ଅନୀଲ ପ୍ରସାଦ ହେଗେଡ, ସିପିଆଇର ସନ୍ଦୋଶ କୁମାର, ସିପିଆଇ(ଏମ)ର ଏଏ ରହିମ, ସପାର ଜାଭେଦ ଅଲୀ ଖାନ, ଆଇୟୁଏମଏଲର ଇଟି ମହମ୍ମଦ ବଶୀର, ଆପ୍‌ର ସୁଶୀଲ ଗୁପ୍ତା, ଶିବସେନା(ୟୁବିଟି)ର ଅରବିନ୍ଦ ସାୱନ୍ତ, ଡିଏମକେର ଡି ରବିକୁମାର ଓ କଂଗ୍ରେସର ଫୁଲୋ ଦେବି ନେତାମ ମଣିପୁର ଯିବେ।

ବିରୋଧୀ ପକ୍ଷର ଏହି ଟିମ୍ ସ୍ଥିତି ଅନୁଧ୍ୟାନ କରିବା ପରେ ରାଜ୍ୟପାଳଙ୍କୁ ଭେଟିବା ସହ ସଂସଦ ଓ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେବ । ସେପଟେ ବିରୋଧୀ ମେଂଟର ଏହି ମଣିପୁର ଗସ୍ତକୁ କଡ଼ା ସମାଲୋଚନା କରିଛନ୍ତି ବିଜେପି ସାଂସଦ ରବି କିଶନ । ସେ କହିଛନ୍ତି ଯେ, ଏହି ଟିମ୍ ମଣପୁର ବଦଳରେ ପାକିସ୍ତାନ ଓ ଚୀନ ଯିବା କଥା । ଏହାକୁ ନେଇ ବିବାଦ ଛିଡ଼ା ହୋଇଛି ।

ମଣିପୁରରେ ମେ’ ମାସରୁ ହିଂସା ଜାରି ରହିଛି । କୁକି ଓ ମୈତେୟୀ ସମୁଦାୟ ମଧ୍ୟରେ ଚାଲିଥିବା ସଂଘର୍ଷରେ ଏଯାଏଁ ଦେଢ଼ ଶହରୁ ଅଧିକ ଲୋକଙ୍କ ଜୀବନ ଯାଇସାରିଛି । ୫୦ ହଜାରରୁ ଅଧିକ ଘର ଛାଡ଼ି ସାରିଲେଣି । ନିକଟରେ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇବା ଭଳି ଲଜ୍ଜାଜନକ ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା । ସ୍ଥିତି ନିୟନ୍ତ୍ରଣ କରିବାକୁ ସୁରକ୍ଷାକର୍ମୀମାନେ ଲାଗିପଡ଼ିଛନ୍ତି । ହେଲେ ଏବେବି ସେଠାରେ ଅଶାନ୍ତି ଜାରି ରହିଛି । ଅନ୍ୟପଟେ ଏହି ପ୍ରସଙ୍ଗକୁ ନେଇ ସଂସଦରେ ମଧ୍ୟ ହୋହଲ୍ଲା ଚାଲିଛି । ଉଭୟ ଲୋକସଭା ଓ ରାଜ୍ୟସଭାରେ ୭ଦିନ ହେବ ହଟ୍ଟଗୋଳ ଜାରି ରହିଛି । ପ୍ରଧାନମନ୍ତ୍ରୀଙ୍କ ବିବୃତି ପାଇଁ ଦାବି କରିଆସୁଛନ୍ତି ବିରୋଧୀ ।

Related Posts