ଭୁବନେଶ୍ଵର (ସତ୍ୟପାଠ ବ୍ୟୁରୋ): ଭିଡ ହିଂସାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ଏକ ଆବେଦନର ଶୁଣାଣି କରି କେନ୍ଦ୍ର ସରକାରଙ୍କ ସହିତ ୬ ରାଜ୍ୟର ପୋଲିସ ମୁଖିଆଙ୍କୁ ନୋଟିସ୍ କରିଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ । ନୋଟିସ୍ ହୋଇଥିବା ରାଜ୍ୟ ମଧ୍ୟରେ ଓଡିଶା, ହରିଆଣା, ମଧ୍ୟପ୍ରଦେଶ, ବିହାର, ରାଜସ୍ଥାନ, ମହାରାଷ୍ଟ୍ର ରହିଛି । ଓଡିଶା ପୋଲିସକୁ ମଧ୍ୟ ଜୁନ୍ ୧୭ ହିଂସାରେ ଘଟିଥିବା ଏକ ହିଂସା ମାମଲାରେ ନୋଟିସ୍ ଜାରି କରିଛନ୍ତି ।
ସୁୁପ୍ରିମକୋର୍ଟ ଏହି ଭିଡ ହିଂସା ମାମଲାରେ ଏଫଆଇଆର ଦାୟର ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁମାନେ ବିଭିନ୍ନ ଗୋଷ୍ଠୀ ବା ବର୍ଗ ମଧ୍ୟରେ ଶତ୍ରୁତା ସୃଷ୍ଟି କରୁଛନ୍ତି ସେମାନଙ୍କ ବିରୋଧରେ ଧାରା ୧୫୩ଏ ଅନୁଯାୟୀ ଏତଲା ଦାୟର କରିବାକୁ କହିଛନ୍ତି । ଏଥିସହ ଯେଉଁମାନେ ଭିଡ ହିଂସାର ଶିକାର ହୋଇଛନ୍ତି ସେମାନଙ୍କୁ କ୍ଷତିପୂରଣ ରାଶି ଦେବାକୁ ଏକ ଯୋଜନା କରିବାକୁ କହିଛନ୍ତି । ଯେଉଁସବୁ ହିଂସାକୁ ନେଇ ସୁପ୍ରିମକୋର୍ଟ ନୋଟିସ୍ କରିଛନ୍ତି ତାହା ମଧ୍ୟରେ ଗୋ ସୁରକ୍ଷା ନାଁରେ ମାରପିଟ୍ କରିବା କଥା ମଧ୍ୟ ରହିଛି ।
ଓଡିଶାରେ ଜୁନ୍ ୧୭ ତାରିଖରେ ହିଂସା ହୋଇଥିଲା । ଯେଉଁଥିରେ ଏକ ନିର୍ଦ୍ଦିଷ୍ଟ ସଂପ୍ରଦାୟର ଦୁଇ ଜଣଙ୍କୁ ଦଉଡିରେ ବାନ୍ଧି ମାଡ ମାରିଥିଲେ କିଛି ଗୋଷ୍ଠୀ । ସର୍ବୋଚ୍ଚ ନ୍ୟାୟଳୟର ବିଚାରପତି ଜଷ୍ଟିସ ବିଆର ଗଭାଇ, ଜେବି ପରଦିୱାଲା ଏହି ମାମଲାରେ ଶୁଣାଣି କରିଛନ୍ତି । କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ ସହ ଜଡ଼ିତ ନ୍ୟାସନାଲ ଫେଡେରେସନ ଅଫ୍ ଇଣ୍ଡିଆନ ୱିିମେନ୍ ସଂଗଠନ ଭିଡ ହିଂସାକୁ ନେଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଆଇନଜୀବୀ ତଥା ସମାଜବାଦୀ ପାର୍ଟି ସାଂସଦ କପିଲ ଶିବଲ ଏହି ମାମଲାରେ ଆବେଦନକାରୀଙ୍କ ପକ୍ଷ ରଖିଥିଲେ ।





