ଭୁବନେଶ୍ଵର (ସତ୍ୟପାଠ ବ୍ୟୁରୋ): ରାଜ୍ୟରେ କମିବାରେ ଲାଗିଛି ବାଘ ସଂଖ୍ୟା । ୨୦୨୧-୨୨ ଗଣନା ଅନୁସାରେ ବର୍ତ୍ତମାନ ରାଜ୍ୟରେ ବାଘ ସଂଖ୍ୟାରେ ଅହେତୁକ ହ୍ରାସ ହୋଇଛି । ରାଜ୍ୟରେ ମାତ୍ର ୨୦ଟି ମହାବଳ ବାଘ ଅଛନ୍ତି । ସେଥିମଧ୍ୟରୁ ଶିମିଳାପାଳ ବ୍ୟାଘ୍ର ଅଭୟାରଣ୍ୟରେ ଅଛନ୍ତି ମାତ୍ର ୧୬ ଟି ବାଘ । ୨୦୧୮ ରେ ରାଜ୍ୟରେ ୨୮ ଟି ମହାବଳ ବାଘ ଥିବାବେଳେ ବର୍ତ୍ତମାନ ଏହା ୨୦ କୁ ଖସି ଆସିଛି, ଯାହାକି ଏକ ଚିନ୍ତାର ବିଷୟ । ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ ଅବସରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ତଥ୍ୟ ଦିଆଯାଇଛି ।
ସୂଚନାଯୋଗ୍ୟ ଯେ, ୧୦୦ ବର୍ଷ ଆଗରୁ ଏସିଆରେ ୧ ଲକ୍ଷ ବାଘ ଥିଲେ । ଏବେ ୪ ହଜାରରୁ କମ୍ ଅଛନ୍ତି। ବିଶ୍ଵ ବନ୍ୟପ୍ରାଣୀ ପାଣ୍ଠି ଅନୁଯାୟୀ, ଗତ ୧୫୦ ବର୍ଷ ମଧ୍ୟରେ ବାଘସଂଖ୍ୟାରେ ପ୍ରାୟ ୯୫ ପ୍ରତିଶତ ହ୍ରାସ ପାଇଛି ।
NTCA ରିପୋର୍ଟ ଅନୁସାରେ, ରାଜ୍ୟରେ ବାଘ ସଂଖ୍ୟା କମିବାରେ ଲାଗିଛି ଏପରିକି ଓଡ଼ିଶା ବାଘ ପାଇଁ ସୁରକ୍ଷିତ ନୁହେଁ ବୋଲି ମଧ୍ୟ ଏହି ରିପୋର୍ଟରେ ଦର୍ଶାଯାଇଛି । ୨୦୦୬ ରେ ରାଜ୍ୟରେ ବାଘ ସଂଖ୍ୟା ୪୫ ଥିଲା, ୨୦୧୦ ରେ ୩୨ ବାଘ ଥିଲେ । ସେହିପରି ୨୦୧୪ ଓ ୨୦୧୮ ରେ ୨୮ କୁ ହ୍ରାସ ପାଇଥିଲା ବାଘ ସଂଖ୍ୟା । ବର୍ତ୍ତମାନ ଏହା 20 କୁ ଖସି ଆସିଛି ।
ଅନପଟେ ନିଜସ୍ଵ ବାଘ ଓ ହାତୀ ଗଣନା କରିବେ ରାଜ୍ୟ ସରକାର । ଅକ୍ଟୋବରରୁ ଆରମ୍ଭ ହେବ ବାଘ ଗଣନା ।ଦୁଇଟି ପର୍ଯ୍ୟାୟରେ ହେବ ଗଣନା । ଟ୍ରାଞ୍ଜାକ୍ଟ ଆନାଲିସିସ ଓ କ୍ୟାମେରା ଟ୍ରାପ ଜରିଆରେ ହେବ ବାଘ ଗଣନା । ଟ୍ରାଞ୍ଜାକ୍ଟ ଆନାଲିସିସରେ ପାଦ ଚିହ୍ନ, ସ୍କ୍ରାଚ ମାର୍କ ଆଦି ଆଧାରରେ ବାଘ ଗଣନା କରାଯିବ । CCTV କ୍ୟାମେରା ଟ୍ରାପ୍ ଜରିଆରେ ବାଘର ଚଳପ୍ରଚଳକୁ କଏଦ କରାଯିବ । ପ୍ରାୟ ଦେଢ଼ ମାସ ଧରି ଚାଲିବ ବାଘ ଗଣନା । ସେହିପରି ୨୦୨୪ ମେ’ରୁ ରାଜ୍ୟ ସରକାର କରିବେ ହାତୀ ଗଣନା । ବନ ବିଭାଗର ବରିଷ୍ଠ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି ।





