ଭୁବନେଶ୍ଵର (ସତ୍ୟପାଠ ବ୍ୟୁରୋ): କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ପୁଅ ତଥା କ୍ରୀଡ଼ା ମନ୍ତ୍ରୀ ଉଦୟନିଧି ଷ୍ଟାଲିନ୍ କରିଥିବା ପ୍ରଶ୍ନକୁ ନେଇ ଏବେ ଜୋରଦାର ଚର୍ଚ୍ଚା। ଆପଣଙ୍କ ପୁଅ କେତେ ରନ୍ କରିଛନ୍ତି ବୋଲି ଶାହଙ୍କୁ ପ୍ରଶ୍ନ କରିଛନ୍ତି ଉଦୟନିଧି। ଏହା ସହିତ କେଉଁ ଯୋଗ୍ୟତା ବଳରେ ସେ (ଅମିତ ଶାହଙ୍କ ପୁଅ ଜୟ ଶାହ) ବିସିସିଆଇର ସଂପାଦକ ହୋଇଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।
ଶୁକ୍ରବାର ରାମେଶ୍ୱରମର ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ତାମିଲନାଡୁ ଆସିଥିଲେ ଅମିତ ଶାହ। ଏହି ଅବସରରେ ସେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଏବଂ ତାଙ୍କ ଦଳ ଡିଏମକେ ବଂଶବାଦ ରାଜନୀତିକୁ ପ୍ରୋତ୍ସାହିତ କରୁଥିବା କହିଥିଲେ। ଶାହଙ୍କ ଏହି ଟିପ୍ପଣୀ ଉପରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି ଉଦୟନିଧି।
ଚେନ୍ନାଇରେ ଡିଏମକେର ଯୁବ ଶାଖାର ନୂତନ କାର୍ଯ୍ୟାଳୟର ଅଧିକାରୀମାନଙ୍କୁ ସମ୍ବୋଧିତ କରିବାବେଳେ ଉଦୟନିଧି କହିଛନ୍ତି ଯେ, ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପରେ ମୁଁ ବିଧାୟକ ହେଲି ଏବଂ ପରେ ଦଳ ମୋତେ ମନ୍ତ୍ରୀ କରିଥିଲା। ଅମିତ ଶାହା କହିଲେ ଆମ ଦଳର ନେତାମାନେ ମୋତେ ମୁଖ୍ୟମନ୍ତ୍ରୀ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଆମ ଦଳର ନେତାମାନେ ବଂଶବାଦ ରାଜନୀତିରେ ବିଶ୍ୱାସ କରୁଛନ୍ତି ଏବଂ ଆମ ଦଳ ଏକ ବଂଶବାଦ ଦଳ। ଏଠାରେ ମୁଁ ଅମିତ ଶାହାଙ୍କୁ ପଚାରିବାକୁ ଚାହେଁ, ଆପଣଙ୍କ ପୁଅ କିପରି BCCI ର ସଂପାଦକ ହେଲେ? ସେ କେତୋଟି ମ୍ୟାଚ୍ ଖେଳିଛନ୍ତି ଓ କେତେ ରନ୍ କରିଛନ୍ତି?
ସୂଚନାଯୋଗ୍ୟ ଯେ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ପୁଅ ଜୟ ଶାହ ୨୦୧୯ରୁ ବର୍ତ୍ତମାନ ପର୍ଯ୍ୟନ୍ତ BCCI ର ସଂପାଦକ ଅଛନ୍ତି।





