ଭୁବନେଶ୍ଵର (ସତ୍ୟପାଠ ବ୍ୟୁରୋ): ଭଦ୍ରକ ଜିଲ୍ଲାରେ ଗତ ୨୪ ଘଣ୍ଟା ଧରି ଉପର ମୁଣ୍ଡରେ ଲଗାଣ ବର୍ଷା ଲାଗିରହିବା ଯୋଗୁ ଭଣ୍ଡାରିପୋଖରୀ ବ୍ଲକ ଦେଇ ଯାଇଥିବା ବୈତରଣୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଆଖୁଆପଦା ଠାରେ ୧୯.୧୬ମିଟର ବନ୍ୟାଜଳ ପ୍ରବାହିତ ହେଉଛି। ଏଠାରେ ୧୭.୮୩ ମିଟର ବିପଦ ସଂକେତ ରହିଛି। ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଗତ ଦୁଇଦିନ ହେବ ତୁହାକୁ ତୁହା ବର୍ଷା ଓ ପବନ ଲାଗି ରହିଛି। ତେବେ ବିଭିନ୍ନ ଖାଲୁଆ ଅଞ୍ଚଳରେ ବର୍ଷା ଜଳ ପରିପୂର୍ଣ୍ଣ ହୋଇଯାଇଥିବା ବେଳେ ନଦୀରେ ବନ୍ୟା ଆସିଲେ ଏହା ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ବୋଲି କୁହାଯାଉଛି।
ମିଳିଥିବା ସୂଚନା ଅନୁଯାୟୀ ବୈତରଣୀ ନଦୀର ଉପର ମୁଣ୍ଡ ଠାକୁରମୁଣ୍ଡା ଠାରେ ସର୍ବାଧିକ ୨୬୪.୪ମିମି ବର୍ଷା ରେକର୍ଡ କରାଯାଇଛି। ସେହିଭଳି କେନ୍ଦୁଝର ଠାରେ ୧୪୪.୮, ଚମ୍ପୁଆ ଠାରେ ୧୧୧.୪, ସ୍ଵାମପାଟଣା ଠାରେ ୧୭୦.୨, ଆନନ୍ଦପୁର ଠାରେ ୯୬.୨ ଓ ଆଖୁଆପଦାଠାରେ ୬୮.୮ମିମି ବର୍ଷା ରେକର୍ଡ କରାଯାଇଛି। ଉପରୋକ୍ତ ବର୍ଷା ତଥ୍ୟ ଅନୁଯାୟୀ ବୈତରଣୀ ଅବବାହିକାରେ ଏକ ବଡଧରଣର ବନ୍ୟା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଦିନ ୧୦ଟା ବେଳେ ଆନନ୍ଦପୁର ଠାରେ ନଦୀର ଜଳସ୍ତର ବିପଦ ସଙ୍କେତ ଟପିଛି।





