ଭୁବନେଶ୍ଵର (ସତ୍ୟପାଠ ବ୍ୟୁରୋ): ସାରା ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ନଦୀରେ ଜଳସ୍ତର ବୃଦ୍ଧି ହେବା ସହ ତଳିଆ ଅଞ୍ଚ ଜଳମଗ୍ନ ହେବାରେ ଲାଗିଛି । କେତେକ ସ୍ଥାନରେ ବନ୍ୟା ପରିସ୍ଥିତି ଉପୁଜିଛି । ନଦୀର ବନ୍ୟାଜଳ ତଳିଆ ଅଞ୍ଚଳକୁ ମାଡ଼ିବା ସହ ରାସ୍ତା ଉପରେ ପାଣି ଜମି ରହିଛି । ଆଗାମୀ ଦୁଇ ଦିନ ଧରି ଆହୁରି ବର୍ଷା ସମ୍ଭାବନା ଥିବାରୁ ପ୍ରଶାସନ ପକ୍ଷରୁ ଏନେଇ ପ୍ରସ୍ତୁତି କରାଯାଇଛି ।ବନ୍ୟା ଆଶଙ୍କା ଥିବା 9 ଟି ଜିଲ୍ଲାକୁ 10 ଟି ଓଡ୍ରାଫ୍ ଓ ଏନଡିଆରଏଫ୍ ଟିମ୍ ମୁତୟନ କରାଯାଇଛି । ଏହା ସହ 10 ଜିଲ୍ଲାରେ 13 ଟି ଅଗ୍ନିଶନ ବାହିନୀ ଟିମ୍ କୁ ମୁତୟନ କରାଯାଇଛି ।
ପ୍ରବଳ ବର୍ଷା ଯୋଗୁ କେବଳ ବୈତରଣୀ ନଦୀର ଜଳସ୍ତର ବିପଦ ସଙ୍କେତ ଉର୍ଦ୍ଧ୍ୱରେ ପ୍ରବାହିତ ହେଉଥିବାବେଳେ ଅନ୍ୟ ସବୁ ନଦୀର ଜଳସ୍ତର ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି । ତେବେ ଏସବୁ ନଦୀର ଜଳସ୍ତର କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି । ଆସନ୍ତା ଦୁଇଦିନ ଧରି ରାଜ୍ୟରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ତେଣୁ ଓଡ୍ରାଫ ଟିମକୁ କେନ୍ଦୁଝର, ସମ୍ବଲପୁରର ରେଢାଖୋଲ, ଭଦ୍ରକ, ଯାଜପୁର, ମୟୂରଭଞ୍ଜ, ଅନୁଗୁଳ, ବୌଦ୍ଧ ଓ ବାଲେଶ୍ୱର ଜିଲ୍ଲାରେ ମୋଟ୍ 8ଟି ଟିମକୁ ମୁତୟନ କରାଯାଇଥିବାବେଳେ ଏନଡିଆରଏଫର ଗୋଟିଏ ଲେଖାଏଁ ଟିମକୁ ଭଦ୍ରକ ଓ ଯାଜପୁରରେ ମୁତୟନ କରାଯାଇଛି । ସେହିପରି ଭଦ୍ରକ ଓ ଯାଜପୁରରେ 3ଟି ଲେଖାଏଁ ଅଗ୍ନିଶମ ବାହିନୀ ଟିମ ସମେତ ସମ୍ବଲପୁର,କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ସୋନପୁର, ବୌଦ୍ଧ, କନ୍ଧମାଳ ଓ ବାଲେଶ୍ୱର ଜିଲ୍ଲାରେ 13 ଟି ଟିମ୍ ମୁତୟନ ଅଛନ୍ତି । ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି ।
ବୈତରଣୀ ନଦୀରେ ଜଳସ୍ତର ବିପଦ ସଙ୍କେତ ଉର୍ଦ୍ଧ୍ୱରେ ପ୍ରବାହିତ କରୁଥିବାରୁ ଭଦ୍ରକରେ ୩୩ଟି ପାୱାରବୋଟ୍ , ଯାଜପୁରରେ 36ଟି ପାୱାର ବୋଟ ଓ କେନ୍ଦୁଝର ଜିଲ୍ଲାରେ ଗୋଟିଏ ପାୱାର ବୋଟକୁ ରଖାଯାଇଛି । ଜଳମଗ୍ନ ହେଉଥିବା ରାସ୍ତା ଓ ପୋଲ ଉପରେ ଲୋକଙ୍କ ଚଳପ୍ରଚଳକୁ ବନ୍ଦ କରିବାକୁ ପରାମର୍ଶ ଦିଆଯାଇଛି ।
ବୈତରଣୀ ନଦୀରେ ଜଳସ୍ତର ବିପଦ ସଙ୍କେତ ଉର୍ଦ୍ଧ୍ୱରେ ପ୍ରବାହିତ ହେଉଥିବାରୁ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର, ଘଷିପୁରା ଓ ହାଟଡିହି ବ୍ଲକ ସମେତ ଭଦ୍ରକ ଜିଲ୍ଲାର ଭଣ୍ଡାରୀପୋଖରୀ, ଧାମନଗର ଓ ତିହିଡ଼ି, ଯାଜପୁର ଜିଲ୍ଲାର କୋରେଇ, ଯାଜପୁର ଓ ଦଶରଥପୁର ବ୍ଲକ ପ୍ରଭାବିତ ହେବାର ଆଶଙ୍କା ରହିଛି । ତେଣୁ ସମସ୍ତ ପ୍ରକାରର ପ୍ରତିଷେଧକ ପଦକ୍ଷେପ ନେବାକୁ କେନ୍ଦୁଝର, ଭଦ୍ରକ ଓ ଯାଜପୁର ଜିଲ୍ଲାପାଳଙ୍କୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେବା ସହ ପରିସ୍ଥିତି ସମ୍ପର୍କରେ ନିୟମିତ ଭାବେ ଏସଆରସିଙ୍କୁ ଅବଗତ କରିବାକୁ କୁହାଯାଇଛି ।
ଜଳମଗ୍ନ ହୋଇଥିବାବେଳେ ତଳିଆ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି । ଅସ୍ଥାୟୀ ଆଶ୍ରୟସ୍ଥଳୀରେ ସ୍ଥାନାନ୍ତର ହେଉଥିବା ଲୋକମାନଙ୍କୁ ରନ୍ଧା ଖାଦ୍ୟ କିମ୍ବା ଶୁଖିଲା ଖାଦ୍ୟ ସହ ସ୍ୱଚ୍ଛ ପିଇବା ପାଣି ଦେବାକୁ ପରାମର୍ଶ ଦେଇଛନ୍ତି । ସମସ୍ତ ପ୍ରକାରର ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବା ଓ ପ୍ରତିଷେଧକମୂଳକ ପଦକ୍ଷେପ ନେବାକୁ ସେ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।





